‘ବିଶ୍ବକପ୍‌ ପାଇଁ ଆଇପିଏଲ୍‌ ଭଲ ଅଭ୍ୟାସ ଦେଇଛି’

ବେଙ୍ଗାଲୁରୁ: ଜାତୀୟ ଦଳ ଚୟନ ପାଇଁ ଆଇପିଏଲ୍‌ ପ୍ରଦର୍ଶନକୁ ମାପକାଠି କରାଯାଉନଥିଲା। କିନ୍ତୁ ବିଶ୍ବକପ୍‌ ପାଇଁ ଏହି ପ୍ରତିଯୋଗିତା ଭଲ ପ୍ରସ୍ତୁତି ଦେଇଛି ବୋଲି ଖେଳାଳିମାନେ ସ୍ବୀକାର କରିଛନ୍ତି। ବିଶେଷ କରି ଅଷ୍ଟ୍ରେଲିଆ ଖେଳାଳିମାନେ ଏହାକୁ ପ୍ରଶଂସା କରିଛନ୍ତି। ଆଇପିଏଲ୍‌ ଶେଷ ହୋଇନଥିଲେ ମଧ୍ୟ ବିଶ୍ବକପ୍‌ ଦାୟିତ୍ବ ଦୃଷ୍ଟିରୁ ଋତୁ ଅଧାରୁ ସ୍ବଦେଶ ବାହୁଡ଼ିଛନ୍ତି ଦୁଇ ଅଭିଜ୍ଞ ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍‌ ୱାର୍ନର। ଗତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍‌ ବିକୃତ ବିବାଦରେ ଫସିଯିବା ପରେ ବର୍ଷକ ପାଇଁ ନିଲମ୍ବିତ ହୋଇଥିବା ଏହି ଦୁଇ ତାରକା ବ୍ୟାଟସମ୍ୟାନ୍‌ ସିଧାସଳଖ ବିଶ୍ବକପ୍‌ ‌ଖେଳିବେ। ତେବେ ଜାତୀୟ ଦଳର ପ୍ରସ୍ତୁତି ଲାଗି ଉଭୟଙ୍କୁ ଆଇପିଏଲ୍‌ ଶେଷ ପର୍ଯ୍ୟାୟ ପୂର୍ବରୁ ଫେରିଯିବାକୁ ପଡ଼ିଛି। ଭାରତ ଛାଡ଼ିବା ପୂର୍ବରୁ ଉଭୟ ଆଇପିଏଲ୍‌ ଆମକୁ ବିଶ୍ବକପ୍‌ ଲାଗି ଭଲ ଅଭ୍ୟାସ ଦେଇଛି ବୋଲି କହିଛନ୍ତି। ‘ମୁଁ ଆଇପିଏଲ୍‌ ପ୍ରାରମ୍ଭରୁ ଭଲ କରିନଥିଲି, କିନ୍ତୁ ଲିଗ୍ ଆଗେଇବା ସହିତ ଭଲ ପ୍ରଦର୍ଶନ କରୁଥିବା ଅନୁଭବ ପାଇଛି। ଦଳ ଏବେ ଶେଷ ୨ ମ୍ୟାଚ୍‌ ଜିତିଲେ ଯୋଗ୍ୟତା ଦୌଡ଼ରେ ରହିପାରିବ। ରାଜସ୍ଥାନ ରୟାଲ୍‌ସ ଶେଷ ୩ଟିରୁ ୨ ଜିତିଥିବାରୁ ଆତ୍ମବିଶ୍ବାସରେ ରହିଛି‌’ ବୋଲି ଅଧାରୁ ଅଧିନାୟକ ଦାୟିତ୍ବ ନେଇଥିବା ଷ୍ଟିଭେନ୍ ସ୍ମିଥ୍ କହିଛନ୍ତି। କିନ୍ତୁ ଯେଉଁଭଳି ଭାବେ ଆମେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛୁ ଏହା ୫୦ ଓଭରିଆ ବଶ୍ବକପ୍‌ ପାଇ ଭଲ ଅଭ୍ୟାସ ଦେଇଛି। ବ୍ୟକ୍ତିଗତ ଭାବେ ମୋ‌ତେ ଏହା ପଡ଼ିଆ ମଝିରେ ସମୟ ବିତାଇବାର ସୁଯୋଗ ଦେଇଥିଲା ବୋଲି ସ୍ମିଥ୍ କହିଥିଲେ। ୨୯ ବର୍ଷୀୟ ସ୍ମିଥ୍ ଏହା ପରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ୱାର୍ମ ଅପ୍‌ ଦିନିକିଆ ଶୃଙ୍ଖଳାରେ ଖେଳି ନିଜକୁ ଅଧିକ ପ୍ରସ୍ତୁତ କରିବେ ବୋଲି ମଧ୍ୟ ସୂଚନା ମିଳିଛି।
ସ୍ମିଥଙ୍କ ତୁଳନାରେ ଡେଭିଡ୍‌ ୱାର୍ନର କିନ୍ତୁ ଅଧିକ ସଫଳ ହୋଇଛନ୍ତି। ୧୨ ମ୍ୟାଚ୍‌ରୁ ୬୯୨ ରନ୍‌ ସଂଗ୍ରହ କରି ବ୍ୟାଟିଂ ତାଲିକାର ଶୀର୍ଷରେ ବି ଅତୁଟ ଅଛନ୍ତି। ସୋମବାର ରାତିରେ ବିସ୍ଫୋରକ ୮୧ ରନ୍‌ କରିବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୪୫ ରନ୍‌ରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଥିଲା। ଏହି ବିଜୟ ସହ ହାଇଦ୍ରାବାଦକୁ ମଧ୍ୟ ସେ ପ୍ଲେ ଅଫ୍ ଦ୍ବାରରେ ପହଞ୍ଚାଇଛନ୍ତି। ପଡିଆକୁ ଫେରିବା ପରେ ଭଲ ପ୍ରଦର୍ଶନ କରିବା ଏବଂ ମିଳିଥିବା ଦାୟିତ୍ବକୁ ଠିକଣା ଭାବେ ତୁଲାଇବା ଆତ୍ମସନ୍ତୋଷ ଦେଇଛି। ବିଶ୍ବକପ୍‌ ପାଇଁ ଆଇପିଏଲ୍ ପ୍ରଦର୍ଶନ ସଫଳତାର ସିଡି ଭଳି ବୋଲି କହିଛନ୍ତି ୱାର୍ନର। ନିଜକୁ ଜଣେ ବ୍ୟାଟସମ୍ୟାନ୍ ଭାବେ ମୁଁ ଦେଖିଛି ଏବଂ ପରଖିଛି। ବିଗତ କିଛି ମାସ ଧରି କଠିନ ପରିଶ୍ରମ ବି କରିଛି। ୧୨ ମାସର ନିଲମ୍ବନ ସମୟରେ ଶ୍ରେଷ୍ଠ ପିତା ଏବଂ ଶ୍ରେଷ୍ଠ ସ୍ବାମୀ ହେବାକୁ ବି ଚେଷ୍ଟା କରିଛି ବୋଲି ୩୨ ବର୍ଷୀୟ ୱାର୍ନର ପ୍ରକାଶ କରିଥିଲେ। ଏ ବିଶ୍ବକପ୍‌ ନିଶ୍ଚିତ କିଛି ବଡ଼ ସ୍କୋର୍ ପ୍ରଦାନ କରିବ। କାରଣ ବଲ୍‌ ସେତେଟା ସୁଇଙ୍ଗ୍ କରିବା ସମ୍ଭାବନା ନାହିଁ। ଇଂଲଣ୍ଡ ଘରୋଇ ଦଳ ଭାବେ ଏବଂ ଆମେ ବିଜେତା ଦଳ ଭାବେ ନିଶ୍ଚିତ ଦାବିଦାର ରହିବୁ ବୋଲି ୱାର୍ନର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର