ଫନି ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି, ଅନ୍ଧାରର ସୁଯୋଗରେ ମାତି ପାରନ୍ତି ଲୁଟେରା

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଦୁଇ ଦିନ ଧରି କମିସନରେଟ ପୁଲିସ ମୁଖ୍ୟାଳୟରେ ଘନଘନ ବୈଠକ ବସିଥିଲା। ଏଥିରେ ବାତ୍ୟା ବେଳେ ସମ୍ଭାବ୍ୟ ଅପରାଧ, ଅଘଟଣ, ରାସ୍ତା ଅବରୋଧ(ପ୍ରାକୃତିକ) ଆଦି ଉପରେ କେମିତି ନଜର ରଖାଯାଇପାରିବ, ସେ ଉପରେ ଆଲୋଚନା କରାଯାଇଥିଲା। ଏହା ଛଡ଼ା ରିଲିଫର ସୁରକ୍ଷା ଓ ବଣ୍ଟନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବାତ୍ୟା ବେଳେ ଦୁଇ ସହରରେ ଘଟୁଥିବା ସମସ୍ତ ଘଟଣା ଉପରେ ଅହରହ ନଜର ରଖିବ। ଏଥିପାଇଁ ସେମାନେ ପୁଲିସ କଣ୍ଟ୍ରୋଲ୍‌ ରୁମ୍ ଓ ଦୁଇ ସହରରେ ଲାଗିଥିବା ସିସି କ୍ୟାମେରାର ମଧ୍ୟ ସହଯୋଗ ନେବେ। ବିଶେଷକରି ବାତ୍ୟା ବେଳେ ବିଦ୍ୟୁତ କାଟ୍‌ର ସୁଯୋଗ ନେଇ ଲୁ‌ଟେରାମାନ ସକ୍ରିୟ ହେବାର ସମ୍ଭାବନା ଅଧିକ ଥିବାରୁ କମିସନରେଟ ପୁଲିସ ଏହା ତୀକ୍ଷ୍ଣ ଓ କଡ଼ା ନଜର ରଖିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ଦୁଇ ସହରର ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦେଶ ହୋଇଛି, ସେମାନଙ୍କ ଅଧୀନରେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ର ପ୍ରତ୍ୟେକ କଲ ଉପରେ ଧ୍ୟାନ ଦେବେ। କଣ୍ଟ୍ରୋଲ୍‌ ରୁମ୍ କର୍ମଚାରୀ ଦିନ ରାତି ୨୪ଘଣ୍ଟା ହାଇଆଲର୍ଟ ରହିବେ। ବିଦ୍ୟୁତ କାଟ ପରେ ଯୋଗାଯୋଗ ପାଇଁ ଭିଏଚଏଫ ସେଟ ଉପରେ କମିସନରେଟ ପୁଲିସ ସଂପୂର୍ଣ୍ଣ ଭାବେ ନିର୍ଭର କରିବ। ତେଣୁ ଥାନା ଓ ପୁଲିସ ଗାଡ଼ିରେ ଲାଗିଥିବା ଭିଏଚଏଫ ସେଟ ପ୍ରସ୍ତୁତ ରଖିବା ସହ ଖରାପ ଥିଲେ ତୁରନ୍ତ ମରାମତି କରିବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ଜୋନାଲ ଏସିପିମାନଙ୍କ ନିର୍ଦେଶ ଦେଇଛନ୍ତି। ସେହିପରି ଯୋଗଯୋଗ ପାଇଁ ପୁଲିସ ଅଧିକାରୀମାନେ ମଧ୍ୟ ସେମାନଙ୍କ ମୋବାଇଲ ଫୋନ୍ ଚାର୍ଜ ରଖିବାକୁ କୁହାଯାଇଛି। ଥାନାରେ ୩/୪ ଦିନ ପାଇଁ ଆବଶ୍ୟକୀୟ ପଟ୍ରୋଲ, ଡିଜେଲ, କିରାସିନି, ଇନଫ୍ଲାବେଲ ଲାଇଟ, ଜେନେରେଟର, ୱାକିଟକି, ଟର୍ଚ, ଆସ୍କା ଲାଇଟ, ସାଟେଲାଇଟ ଫୋନ ଓ ବ୍ୟା‌ଟେରି ଚାର୍ଜ କରି ରଖିବାକୁ କୁହାଯାଇଛି। ବାତ୍ୟା ବେଳେ ବା ପରବର୍ତୀ ସମୟରେ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଛି। ତେଣୁ ସହରର କେତେକ ସମ୍ବେଦନଶୀଳ ସ୍ଥାନ, ସୁନାଗହଣା ଦୋକାନ, ସପିଂ ମଲ, ମାର୍କେଟ କଂପ୍ଲେକ୍ସରେ ପୁଲିସ ମୁତୟନ କରାଯିବ। ରାତି ବେଳେ ବିଦ୍ୟୁତ କାଟ ହୋଇଥିଲେ ଅସଦାଚରଣ, ଇଭଟିଜିଂ ଭଳି ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ସତର୍କ ରହିବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି। ସେହିପରି ଲୁଟେରା ସକ୍ରିୟ ହୋଇ ଦୋକାନ ଓ ଖାଲି ଥିବା ଘରକୁ ଟାର୍ଗେଟ୍‌ କରିପାରନ୍ତି। ଏହି ସମୟରେ ଡକାୟତି, ସିନ୍ଧିଚୋରି, ଲୁଟପାଟ ଭଳି ଅପରାଧ ଘଟିବା ସମ୍ଭାବନା ରହିଛି। ଏଥିପାଇଁ ଜାତୀୟ ରାଜପଥ ସମେତ ଗଳିକନ୍ଦିରେ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ କଡ଼ା ପା‌ଟ୍ରୋଲିଂ ବ୍ୟବସ୍ଥା କରାଯାଉଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିସନର ସଂଜୟ କୁମାର ସିଂହ, ଭୁବନେଶ୍ବର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ବର ସିଂହ, କମିସନରେଟ ପୁଲିସ ମୁଖ୍ୟାଳୟ ଡିସିପି ପଦ୍ମିନୀ କୁମାର ସାହୁଙ୍କ ସମେତ ଦୁଇ ସହରର ବରିଷ୍ଠ ପୁଲିସ ଅଧିକାରୀ, ସେସୁ ଓ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର