ମନମୁଣ୍ଡା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ନାରାୟଣ ପ୍ରସାଦ ସେକ୍ସନ ଅନ୍ତର୍ଗତ ଭଟ୍ଟାଗୋରା – ଖେମୁଣ୍ଡିଗଡ ରାସ୍ତାପାର୍ଶ୍ବ ବନୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅଞ୍ଚଳବାସୀଙ୍କ ପକ୍ଷରୁ ବୌଦ୍ଧ ଡିଏଫ୍ଓଙ୍କଠାରେ ଅଭିଯୋଗ ବି ହୋଇଥିଲା। ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଏସିଏଫ୍ ଦିଲ୍ଲୀପ ସିଂ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସିଂ ପ୍ରଥମେ ୨୫ ରନିଙ୍ଗ କିମି ପାଇଁ ୨୪ଲକ୍ଷ ବ୍ୟୟ ଅଟକଳରେ ହୋଇଥିବା ଖେମୁଣ୍ଡିଗଡ-ଭଟ୍ଟାଗୋରା ରାସ୍ତାପାର୍ଶ୍ବ ବନୀକରଣର ତଦନ୍ତ କରିଥିଲେ। ଏହି ରାସ୍ତାରେ ୬୨୫୦ ଗଛ ଲଗାଯାଇଥିଲା। ବିଭାଗ ପକ୍ଷରୁ ୩ବର୍ଷ ପର୍ଯ୍ୟନ୍ତ ଏହାର ସୁରକ୍ଷା ଦାୟିତ୍ବ ନେବାକୁ ସରକାରୀ ନିୟମ ଥିବା ବେଳେ ଉପଯୁକ୍ତ ତଦାରଖର ଅଭାବ ଯୋଗୁଁ ମାତ୍ର ହଜାରେ ଗଛ ବଞ୍ଚିଥିବା ବେଳେ ଆଉ ୯୪୧ଟି ଗଛ ଲଣ୍ଡାହୋଇ ରହିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଖେମୁଣ୍ଡିଗଡ – ନାରାୟଣ ପ୍ରସାଦ ରାସ୍ତାର ତଦନ୍ତ କରିବାକୁ ଯାଇଥିଲେ ଶ୍ରୀ ସିଂ। ସେ ଏହି ରାସ୍ତାକୁ ଖୋଜି ପାଇନଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ଖେମୁଣ୍ଡିଗଡରୁ ଭଟ୍ଟାଗୋରାକୁ ଯିବାକୁ ହେଲେ କେବଳ ଗୋଟିଏ ରାସ୍ତା ନାରାୟଣ ପ୍ରସାଦ ଦେଇ ଯିବାକୁ ପଡିଥାଏ। ଏହି ରାସ୍ତାରେ ୨୫ ରନିଙ୍ଗ କିମିରେ ୬୨୫୦ ଗଛ ଲଗାଯାଇଛି। ପୁଣି ସେହି ସମାନ ରାସ୍ତାରେ ଖେମୁଣ୍ଡିଗଡରୁ ନାରାୟଣ ପ୍ରସାଦକୁ ୨୫ ରନିଙ୍ଗ କିମିରେ ୬୨୫୦ ବୃକ୍ଷରୋପଣ ହୋଇଛି ବୋଲି ଦର୍ଶାଇ ସିଧାସଳଖ ୨୩ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ତଦନ୍ତରୁ ଜାଣିବାକୁ ପାଇଲେ। ସେ ଏହି ରିପୋର୍ଟ ଡିଏଫଓଙ୍କୁ ପ୍ରଦାନ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ତତ୍କାଳୀନ ନାରାୟଣ ପ୍ରସାଦ ଫରେଷ୍ଟର ବସୁଦେବ ପ୍ରଧାନ, କଣ୍ଟାମାଳ ରେଞ୍ଜର ସୁଶିଳ ତ୍ରିପାଠୀ, ଏସିଏଫ ଭୈରବ ବେହେରା ଏବଂ ଡିଏଫଓ ସତ୍ୟନାରାୟଣ ବେଉରା ୪ ଜଣ ଯାକ ଉତ୍ତରଦାୟୀ ରହିବେ ବୋଲି କହିଥିଲେ।