‘ଫନି’ ପରବର୍ତ୍ତୀ ଜୀବିକା ପୁନରୁଦ୍ଧାର ପାଇଁ ମିଳିତ ପ୍ରଚେଷ୍ଟା ଲୋଡ଼ା

ନଡ଼ିଆ ବଗିଚା ସଫା ପାଇଁ ହେକ୍ଟର ପିଛା ୩୨ ହଜାର

ଭୁବନେଶ୍ବ: ବାତ୍ୟା ‘ଫନି’ରେ ରାଜ୍ୟର ୧୪ଟି ଜିଲ୍ଲାର ପ୍ରାୟ ୧୯ ହଜାର ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଦୁଇ ଲକ୍ଷ ହେକ୍ଟର ଚାଷ ଜମି, ୩୨୯୦ଟି ଗୋଷ୍ଠୀ ପରିଚାଳିତ ଉଠା ଜଳସେଚନ ପ୍ରକଳ୍ପ, ୯ ମିଲିଅନ୍‌ ପଶୁ ସମ୍ପଦ ପ୍ରଭାବିତ ହେବା ସହ ୫.୩ ମିଲିଅନ୍‌ କୁକୁଡ଼ା ମରିଛନ୍ତି। ୬୩୯୦ ପାରମ୍ପରିକ ମାଛ ଧରା ଡଙ୍ଗା ଓ ୭୨୪୦ ମାଛ ଧରା ଜାଲ ନଷ୍ଟ ହୋଇଛି। ଜଙ୍ଗଲ ଅଞ୍ଚଳରେ ୯ ଲକ୍ଷରୁ ଅଧିକ ଓ ଅଣ-ଜଙ୍ଗଲ ଅଞ୍ଚଳରେ ପ୍ରାୟ ପାଞ୍ଚ ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ବାତ୍ୟା‌ ପ୍ରଭାବିତ ଉପକୂଳ ଓଡିଶାର ଗରିବୀର ମାତ୍ରା ବୃଦ୍ଧି ସାଙ୍ଗକୁ ବେରୋଜଗାରୀ ଓ ଦେଶାନ୍ତର ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି ବୋଲି ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି।

ସାମାଜିକ ଅନୁଷ୍ଠାନ ସମୂହ ତରଫରୁ ‘ଉଦ୍ୟମ’ ଓ ‘ସିୱାଇଏସ୍‌ଡି’ର ମିଳିତ ଆନୁକୂ୍ଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କୃଷି କ୍ଷେତ୍ରରେ ଗୁଣାତ୍ମକ ବିହନ, ଇନ୍‌ପୁଟ୍‌ ସବ୍‌ସିଡି, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଉଦ୍ୟାନ କୃଷି ପାଇଁ ପ୍ରୋତ୍ସାହନ, ଚାରା ରୋପଣ ଆଦିକୁ ଗୁରୁତ୍ବ ଦିଆଯିବ ଆବଶ୍ୟକ ବୋଲି ଉପସ୍ଥିତ ସରକାରୀ ଅଧିକାରୀ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବାତ୍ୟା ପ୍ରଭାବିତ ପଞ୍ଚାୟତର ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ କହିଛନ୍ତି। ନାରିକେଳ ପରିଷଦର ଉପ ନିର୍ଦ୍ଦେଶକ ଡ. ରଜତ୍‌ ପାଲ କହିଛନ୍ତି, ନଷ୍ଟ ହୋଇଥିବା ନଡ଼ିଆ ବଗିଚା ସଫା କରିବା ପାଇଁ ହେକ୍ଟର ପିଛା ୩୨ ହଜାର ଟଙ୍କା ହିସାବରେ ସରକାରୀ ସହାୟତା ଦିଆଯାଉଛି। ଅନେକ ଚାଷୀ ଏ ବିଷୟରେ ଜାଣିନାହାନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଚାଷ, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପାନ ବରଜ, ପରିବା ଚାଷ, ଛତୁ ଚାଷ, ଗୋ ଓ କୁକୁଡ଼ା ପାଳନ, ହସ୍ତତନ୍ତ, ହସ୍ତଶିଳ୍ପ କ୍ଷେତ୍ରରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ଭିତ୍ତିରେ ନିରନ୍ତର ଓ ବିପର୍ଯ୍ୟୟ ପ୍ରତିରୋଧୀ ଚାଷ, ଖାଦ୍ୟ ସୁରକ୍ଷା ପ୍ରଣାଳୀ କରାଯିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଚାଷ ପ୍ରଣାଳୀ, ଅମଳ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଖାଦ୍ୟଶସ୍ୟର ସୁରକ୍ଷା ପାଇଁ ବୀମା ବ୍ୟବସ୍ଥା ଓ ଗ୍ରାମାଞ୍ଚଳର ହସ୍ତକଳା, ହସ୍ତଶିଳ୍ପ, କ୍ଷୁଦ୍ର ବ୍ୟବସାୟ ଆଦିର ପୁନରୁଦ୍ଧାର, ସରକାରଙ୍କ ଘୋଷିତ ପ୍ୟାକେଜ୍‌ ଲୋକଙ୍କ ନିକଟରେ ପହଞ୍ଚାଇବା, ଅର୍ଥକାରୀ ଫସଲ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ ଉନ୍ନତମାନର ଚାରା ଯୋଗାଇବା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଘେରିବନ୍ଧ ନିର୍ମାଣ କାର୍ଯ୍ୟ କରି ରୋଜଗାର ସୃଷ୍ଟି କରିବାକୁ ବୁଦ୍ଧିଜୀବୀମାନେ ସୁପାରିସ କରିଛନ୍ତି।
ନଡ଼ିଆ, କାଜୁ, ଆକାଶିଆ ଆଦି ଅର୍ଥକାରୀ ଫସଲ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ ଉନ୍ନତମାନର ଚାରା ଯୋଗାଇଦେବା ସହ ବିଧବା ଓ ଏକାକିନୀ ମହିଳା, ଦିବ୍ୟାଙ୍ଗଙ୍କ ଭଳି ସ୍ବତନ୍ତ୍ର ଗୋଷ୍ଠୀମାନଙ୍କ ଜୀବିକାର ପୁନରୁଦ୍ଧାର ଦିଗରେ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ପ୍ରଫେସର୍‌ ରାଧାମୋହନ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମେରିକାସ୍ଥିତ ପ୍ରବାସୀ ଓଡ଼ିଆ ସମାଜର ସଭାପତି ଲଲାଟେନ୍ଦୁ ମହାନ୍ତି, କୃଷି ବିଭାଗର ନନ୍ଦିନୀ ଦଳେଇ, ଇମେଜ୍‌ର ନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ର, ‘ସିଫା’ର ଜେ କେ ସୁନ୍ଦରାୟ, ସିୱାଇଏସ୍‌ଡିର ମାର୍ଗଦର୍ଶକ ଓ ସହ-ପ୍ରତିଷ୍ଠାତା ଜଗଦାନନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର