‘ମିଶନ୍‌ ରୂପକୁଣ୍ଡ’ ପାଇଁ ୮ ଜଣିଆ ଓଡ଼ିଶା ଅଭିଯାତ୍ରୀ ଦଳ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଘରଓ୍ଵାଲ ହିମାଳୟରେ ସମୁଦ୍ର ପତନଠାରୁ ପ୍ରାୟ ୧୫୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ରହସ୍ୟମୟୀ ରୂପକୁଣ୍ଡ ହ୍ରଦ (ମିଶନ୍‌ ରୁପକୁଣ୍ଡ) ଅଭିଯାନ ଆସନ୍ତା ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୮ ଜଣିଆ ଅଭିଯାତ୍ରୀ ଦଳ ସାମିଲ ହେବେ। ଦଳରେ ୩ ମହିଳା ସାମିଲ ଅଛନ୍ତି। ଦୁଃସାହସିକ କ୍ରୀଡ଼ା ସଂଗଠକ ତଥା ବନ୍ୟପ୍ରାଣୀପ୍ରେମୀ ସୁଶାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ଅଭିଯାତ୍ରୀ ଦଳ ଆସନ୍ତାକାଲି (ସୋମବାର) ଭୁବନେଶ୍ୱରରୁ ହଲହ୍ଵାନୀ ଅଭିମୁଖେ ଯାତ୍ରା କରିବ। ଏହି ରହସ୍ୟମୟୀ ହ୍ରଦ ରୁପକୁଣ୍ଡରେ ସହଶ୍ରାଧିକ ନରକଙ୍କାଳର ଅବସ୍ଥିତି ଏବେବି ରହସ୍ୟାବୃତ୍ତ ହୋଇ ରହିଥିଲା ବେଳେ ଏହା ସମସ୍ତଙ୍କୁ ଚକିତ କରିଥାଏ। ଏହା ନବମ ଶତାବ୍ଦିର ବୋଲି ବୈଜ୍ଞାନିକ ମତ ରହିଛି। ହେଲେ ଏହି ରହସ୍ୟାବୃତ୍ତ ନରକଙ୍କାଳ କେଉଁ ଜାଗାର ମୂଳଅଧିବାସୀଙ୍କର ବୋଲି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ଏପରିସ୍ଥଳେ ଦୁଃସାହସିକ ଅଭିଯାନ ବ୍ୟତୀତ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଅଭିଯାତ୍ରୀମାନେ ହିମାଳୟକୁ ଚିରସବୁଜ ଓ ପରିଷ୍କାର ରଖିବା, ବନ୍ୟପ୍ରାଣୀ ସୁରକ୍ଷା ତଥା ରୁପକୁଣ୍ଡରେ ଉପଲବ୍‌ଧ ନରକଙ୍କାଳଗୁଡ଼ିକୁ ନଷ୍ଟ ନକରି ଭବିଷ୍ୟତ ପାଇଁ ସାଇତି ରଖିବା ନେଇ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଓଡ଼ିଶା ପ୍ରକୃତି ଓ ବନ୍ୟପ୍ରାଣୀ ସଂରକ୍ଷଣ ସମିତି ଓ ଓଡ଼ିଶା ସ୍ପୋର୍ଟସ୍‌ କ୍ଲାଇମ୍ବିଂ ଆସୋସିଏସନ୍‌ର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି। ସୁଶାନ୍ତ ଦାସଙ୍କ ବ୍ୟତୀତ ସ୍ୱର୍ଣ୍ଣଲତା ଦଳେଇ, ରଞ୍ଜିତା ବେହେରା, ଅନନ୍ୟା ମହାନ୍ତି, ଦୁର୍ଗାମାଧବ ମହାପାତ୍ର, ସୋମନାଥ ଖଟୁଆ, ଅମୃତେନ୍ଦୁ ବରାଳ ଓ ଅଜିତ ପାଢ଼ୀ ଅଭିଯାତ୍ରୀ ଦଳରେ ସାମିଲ ହୋଇଛନ୍ତି। ଓଡ଼ିଶା ରାଜ୍ୟପାଳ ଡଃ ଏସ୍‌ସି ଜମିର, କିମ୍ବଦନ୍ତୀ ପର୍ବତାରୋହୀ ପଦ୍ମଶ୍ରୀ ବଚ୍ଛେନ୍ଦ୍ରି ପାଲ୍‌, ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ. ସନ୍ଦୀପ ତ୍ରିପାଠୀ, ଉତ୍ତରାଖଣ୍ଡ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡିଭିଏସ୍‌ ଖାତି, ପ୍ରକୃତି ଓ ବନ୍ୟପ୍ରାଣୀ ସମିତି ସଭାପତି ତଥା ବିଶିଷ୍ଟ ବନ୍ୟପ୍ରାଣୀବିତ୍‌ ସରୋଜ ପଟ୍ଟନାୟକ, ସମିତିର ସଂପାଦକ ତଥା ନନ୍ଦନକାନନ ଚିଡ଼ିଆଖାନାର ନିର୍ଦେଶକ ଶିଶିର କୁମାର ଆଚାର୍ଯ୍ୟଙ୍କ ସମେତ ସଂଖ୍ୟାଧିକ ପ୍ରଂଶସକ ଅଭିଯାତ୍ରୀଙ୍କ ନିରାପଦ ପ୍ରତ୍ୟାବର୍ତନ ପାଇଁ ଶୁଭମନାସିଛନ୍ତି।

ସମ୍ବନ୍ଧିତ ଖବର