କେନ୍ଦ୍ରାପଡ଼ାରେ ବିଭ୍ରାଟ : ରାତି ୧୧ଟା ଯାଏ ହୋଇପାରିଲାନି ଶ୍ରୀ ବଳଦେବଜୀଉଙ୍କ ପହଣ୍ଡି
ଖମ୍ବାକୁଳରେ ବି ପୋଡ଼ାଜଳା, ୫ ପୁଲିସ ରକ୍ତାକ୍ତ
କେନ୍ଦ୍ରାପଡ଼ା/ବାଲିକୁଦା : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜିଉଙ୍କୁ ବାହୁଡ଼ା ଯାତ୍ରାରେ ଚରମ ବିଭ୍ରାଟ ସୃଷ୍ଟି ହୋଇଛି। ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି ହୋଇପାରି ନାହିଁ। ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଖମ୍ବାକୁଳସ୍ଥିତ ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ମଠ ମହନ୍ତଙ୍କ ବିରୋଧୀ ଗୋଷ୍ଠୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଏସ୍ଡିପିଓ ପ୍ରକାଶ କୁମାର ପାଲ୍ଙ୍କ ନାକ ଫାଟିଥିବା ବେଳେ ବାଲିକୁଦା ଆଇଆଇସିଙ୍କ ସମେତ ତିନିଜଣ ଆହତ ହୋଇଛନ୍ତି। ଅଘଟଣ ପ୍ରତିବାଦରେ ଲୋକ ପୁଲିସ ଗାଡ଼ି ପିଟି ଭାଙ୍ଗିଦେବା ସହ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି। ମହନ୍ତଙ୍କ ଘରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ୩ ବଖରା ଜଳି ଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ତିନି ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୨ଟାରୁ ୩ଟା ଭିତରେ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜିଉଙ୍କ ପହଣ୍ଡି ହେବାର ଥିଲା। କିନ୍ତୁ ଯେଉଁ ସ୍ଥାନରେ ରଥ ଥିଲା ସେଠାରୁ ଟାଣି ଡାହାଣ ମୋଡ଼ ନେବାକୁ ପୁଲିସ୍, ମନ୍ଦିର ପ୍ରଶାସନ ଓ ମାଜିଷ୍ଟ୍ରେଟ୍ ପହଞ୍ଚି ନ ଥିଲେ। ପୁଲିସ୍ ସାଢ଼େ ୨ଟାରେ ପହଞ୍ଚି ଥିଲା। ରଥକୁ ଦକ୍ଷିଣମୋଡ଼ ନେବା ପ୍ରକ୍ରିୟା ରାତି ସାଢ଼େ ୭ଟାରେ ଆରମ୍ଭ ହୋଇଥିଲା। ଏହି କ୍ରମରେ ଶ୍ରୀଜିଉମାନଙ୍କର ନୀତି ବିଳମ୍ବ ହେବା ସହ ରାତି ୧୧ଟା ଯାଏ ପହଣ୍ଡି ଆରମ୍ଭ ହୋଇ ପାରି ନଥିଲା।
ଅନ୍ୟପଟେ ଗଲା ୪ ବର୍ଷ ହେଲା ଖମ୍ବାକୁଳ ମଠରେ ବିବାଦ ଲାଗି ରହିଥିବା ବେଳେ ଆଜି ବାହୁଡାଯାତ୍ରା ଥିବାରୁ ଅଦାଲତଙ୍କ ନିର୍ଦ୍ଦେଶରେ ମହନ୍ତ ଶ୍ରୀ ଦାସଙ୍କୁ ପୁଲିସ ସୁରକ୍ଷା ବଳୟରେ ମଠ ନିକଟକୁ ନିଆଯାଇଥିଲା। କିନ୍ତୁ ମହନ୍ତଙ୍କ ବିରୋଧୀମାନେ ସେଠାରେ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ବିଗୁଡ଼ୁଥିବାରୁ ପୁଲିସ ମହନ୍ତଙ୍କୁ ସୁରକ୍ଷା ବଳୟ ଭିତରେ ସେଠାରୁ ବାହାରକୁ ନେଇ ପ୍ରଥମେ ବାଲିକୁଦା ଥାନା ଓ ପରେ ଜଗତସିଂହପୁରକୁ ନେଇ ଛାଡି ଥିଲା। ଏହାପରେ ମହନ୍ତଙ୍କ ସପକ୍ଷବାଦୀଙ୍କୁ ନେଇ ବାହୁଡା ଯାତ୍ରା ଆରମ୍ଭ କରାଯାଇଥିଲା। କିନ୍ତୁ ମହନ୍ତଙ୍କ ବିପକ୍ଷବାଦୀ ଗଣ୍ଡଗୋଳ କରିବାରୁ ସେମାନଙ୍କ ସହ ପୁଲିସର ଠେଲାପେଲା ଓ ମୁଥ ମରାମରି ହୋଇଥିଲା। ଏଥିରେ ଏସ୍ଡିପିଓ ଶ୍ରୀ ପାଲଙ୍କ ନାକ ଫାଟିଥିବା ବେଳେ ଜଣେ ମହିଳା ପୁଲିସଙ୍କ ମୁଣ୍ଡ ଫାଟିଥିଲା ଓ ବାଲିକୁଦା ଥାନା ଅଧିକାରୀ ସବେର୍ଶ୍ବର ବେହେରା ଆହତ ହୋଇଲେ। ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଗାଡିକୁ ଭାଙ୍ଗିବା ସହ ମହନ୍ତଙ୍କ ବିରୋଧୀମାନେ ମଠ ବଡଦାଣ୍ତରେ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। ଗଣ୍ଡଗୋଳ ପରେ ଶ୍ରୀଜିଉମାନେ ଅଧା ବାଟରେ ଅଟକି ରହିଛନ୍ତି। ରଥ ଓ ଠାକୁରଙ୍କୁ ପୁଲିସ ଜଗି ରହିଛି। କିନ୍ତୁ ରାତିରେ ମହନ୍ତଙ୍କ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ୩ ବଖରା ଜଳି ଯାଇଥିବା ସୂଚନା ମିଳିଛି।