ଏସ୍‌ପ୍ଲାନେଡ୍‌ ସମ୍ମୁଖରେ ଆଣ୍ଠୁଏ ପାଣି

୧୦ ବର୍ଷ ପରେ ମନେ ପଡ଼ିଲା ନାଳ କଥା, ସ୍ଲାବ୍‌ ଭାଙ୍ଗି ଖୋଳିଲେ,ଖୋଲା ଛାଡ଼ି ପଳେଇଲେ, ସତ୍ୟବିହାର ନା ଜଳ ବିହାର

ଲଗାଣ ବର୍ଷାରେ ଆଜି ବମିଖାଲ ଛକରୁ କୋଚିଲେଇ ହାଟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ପୂରା ବେହାଲ ହୋଇଯାଇଥିଲା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିଲା। ବିଶେଷକରି ଏସ୍‌ପ୍ଲା‌ନେଡ୍‌ ଛକ ସାମ୍ନା ରାସ୍ତାର ଅବସ୍ଥା ପୂରା ସାଂଘାତିକ ହୋଇଯାଇଥିଲା। କଳ୍ପନା ଛକରୁ ଆସୁଥିବା ବାଇକ୍‌, କାର୍‌ ଚାଳକମାନେ ଏତକ ରାସ୍ତା ପାର୍‌ ହେବା ପାଇଁ ନାକେଦମ୍‌ ହୋଇଯାଉଥିବା ଦେଖାଯାଇଥିଲା। ସାଇଲେନ୍ସର୍‌ରେ ପାଣି ପଶି କାହା ବାଇକ୍‌, କାର୍‌ ବନ୍ଦ ହୋଇଗଲାଣି ତ କିଏ ଭାରସାମ୍ୟ ହରାଇ ବାଇକ୍‌ରୁ ଖସି ପଡ଼ିଲାଣି। ଆଜି ସଂଧ୍ୟାରେ ଏହି କାରଣରୁ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

୧୦ ବର୍ଷ ପରେ ମନେ ପଡ଼ିଲା ନାଳ କଥା, ସ୍ଲାବ୍‌ ଭାଙ୍ଗି ଖୋଳିଲେ,ଖୋଲା ଛାଡ଼ି ପଳେଇଲେ

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷ ପରେ ନାଳ ଖୋଳିବାକୁ ମନେ ପଡ଼ିଲା। ତେବେ ନାଳ ଖୋଳିବା ପରେ ଏହା ଯେତିକି ଆତ୍ମସନ୍ତୋଷ ଦେଇଛି ତା’ଠୁ ବଳିଯାଇଛି ନାଳ ଖୋଳା ପରର ଯନ୍ତ୍ରଣା। ଦୀର୍ଘଦିନ ପରେ ନାଳ ଉପରେ ଥିବା ସ୍ଲାବ୍‌ ଭଙ୍ଗାଯାଇ ନାଳ ଖୋଳା ଯାଇଥିଲା। ମାତ୍ର ଏବେ ଏହାକୁ ଘୋଡ଼େଇବାକୁ ତତ୍ପରତା ପ୍ରକାଶ ପାଉନାହିଁ। ଜାଗମରା ବଜାରରେ ଏଭଳି ସ୍ଥିତି ଉପୁଜିଛି।

ଜାଗମରା ବଜାର ମୁଖ୍ୟରାସ୍ତାରେ ଘର କରିଥିବା ବାସିନ୍ଦାଙ୍କ କହିବା ମୁତାବକ, ଦୀର୍ଘ ବର୍ଷ ଧରି ଏହି ନାଳ ଜାମ୍‌ ହୋଇ ରହିଥିଲା। ଫଳରେ ଏହି ନାଳରେ ପାଣି ଚାଲିବା ସମ୍ଭବ ନଥିଲା। ପ୍ରାୟ ସାଢ଼େ ୩ ଫୁଟ ଉଚ୍ଚର ମାଟି ଜମି ଯାଇଥିଲା। ତେଣୁ ମୁଖ୍ୟ ନାଳକୁ ସଂଯୋଗକୁ ସଂଯୋଗ ଥାଇ ମଧ୍ୟ ଏହି ନାଳବାଟେ ପାଣି ନିଷ୍କାସନ ସମ୍ଭବ ହେଉନଥିଲା। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କାମ ହେଉନଥିଲେ ହେଁ ଶେଷରେ ପ୍ରଶାସନ ସଦୟ ହୋଇ ଏଇ ମା‌ସେ ତଳେ ଜାମ୍‌ ନାଳକୁ ସଫା କରିଥିଲା। ତେବେ ନାଳ ଉପରେ ପଡ଼ିଥିବା ସ୍ଲାବ୍‌ ଉଠାଇବା ସମ୍ଭବ ନହେବାରୁ ଅନେକ ସ୍ଥାନରେ ସ୍ଲାବ୍‌ ଭଙ୍ଗାଯାଇ ନାଳ ଖୋଳା ଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ସେଇ ଖୋଳାସ୍ଥାନ ଖୋଲା ହୋଇ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୁଖ୍ୟ ରାସ୍ତାରେ ଏହି ନାଳ ଖୋଳାଯାଇଥିବାରୁ କିଛି ଦୋକାନ ଘର ସାମ୍ନାରେ ଏହି ନାଳ ଭଙ୍ଗା ଅବସ୍ଥାରେ ରହିଛି। ଟିକେ ଅନ୍ୟମନସ୍କ ହେଲେ ଲୋକମାନେ ଏହା ଭିତରକୁ ପଡ଼ିଯିବାର ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ଏହି ଖୋଲା ସ୍ଥାନରେ ସ୍ଲାବ୍‌ ପକାଇବାକୁ ‌ବାସିନ୍ଦାମାନେ ଦାବି କରିଛନ୍ତି।

ସତ୍ୟବିହାର ନା ଜଳ ବିହାର

ଭୁବନେଶ୍ୱର : ମଞ୍ଚେଶ୍ବର ଥାନା ଅଧୀନ ସପ୍ତସତୀ ମନ୍ଦିର ନିକଟ ଆବାସିକ କଲୋନି ସତ୍ୟବିହାରକୁ ବର୍ଷା ଡର। ବର୍ଷା ଦିନ ଆସିଲେ ଏଠାକାର ବାସିନ୍ଦାଙ୍କ ମନରେ ଛନକା ପଶିଯାଏ। ବଡ଼ ବର୍ଷା ଦୂରେ ଥାଉ, ଝିପିଝିପି ବର୍ଷା ହେଲେ ବି ଏହି ଅଞ୍ଚଳରେ ଆଣ୍ଠୁଏ ପାଣି ଜମିଯାଏ। ଆଜିର ଲଗାଣ ବର୍ଷାରେ ଏହି ଅଞ୍ଚଳର ସ୍ଥିତି ବେହାଲ ହୋଇଯାଇଛି। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କିମ୍ବା ପକ୍କା ରାସ୍ତା ନଥିବାରୁ ମାଟି ରାସ୍ତା କାଦୁଅ ସରସର। ଫଳରେ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡ଼ିଛି। ସେହିପରି ରାସ୍ତା‌ରେ ବଡ଼ ବଡ଼ ଖାଲଖମା ଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ପ୍ରାୟ ୪୦୦ ଘର ଓ ୧୫ହଜାର ଲୋକଙ୍କୁ ନେଇ ଗଢ଼ି ଉଠିଥିବା ଏହି ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଏଠାରେ ଥିବା ଜାଭିୟର୍ସ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, କିଡ୍‌ଜି ପ୍ଲେ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର, ଇମେଜ କଲେଜ, ଗୌରବ କଲେଜ ଓ ମାୟାଧର ଇଞ୍ଜିନିୟରିଂ କଲେଜକୁ ଦୈନିକ ହଜାର ହଜାର ଛାତ୍ରଛାତ୍ରୀ ଯା’ ଆସ କରୁଥିବା ବେଳେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର