ଯୁଦ୍ଧ ଧମକ ଦେଲେ ଇମ୍ରାନ

ପିଓକେ ବାସିନ୍ଦାଙ୍କୁ ଉସୁକାଇଲେ, ମୋଦୀ ସରକାର ଆକ୍ରମଣ ଯୋଜନା କରୁଥିବା କହିଲେ, ପରିଣାମ ପାଇଁ ଜାତିସଂଘ ଦାୟୀ ରହିବ

ଇସ୍‌ଲାମାବାଦ : ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ପାକ୍‌ ଅଧିକୃତ କଶ୍ମୀରରେ ଉଦ୍‌ବୋଧନ ଦେଇ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଭାରତ ବିରୋଧୀ ଲଢ଼େଇରେ ପ୍ରତ୍ୟେକ ପିଓକେ ବାସିନ୍ଦା ସାମିଲ ହେବା ଉଚିତ ବୋଲି ‌କହି ସେ ଲୋକଙ୍କୁ ଉସୁକାଇଛନ୍ତି। ପିଓକେରେ ଇମ୍ରାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବେ କଶ୍ମୀରରେ ଅଟକିବ ନାହିଁ ଏବଂ ପିଓକେରେ ମଧ୍ୟ ଆକ୍ରମଣ କରିବ। ପିଓକେରେ ମୋଦୀ ସରକାର ଆକ୍ରମଣ କଲେ ଆମେ ଏହାର କଡ଼ା ଜବାବ ଦେବୁ ଏବଂ ଆମେ ମଧ୍ୟ ଯୁଦ୍ଧ ପାଇଁ ସଂପୂର୍ଣ୍ଣ ତୟାର ରହିଛୁ ବୋଲି ଇମ୍ରାନ କହିଛନ୍ତି। ପିଓକେକୁ ସୁରକ୍ଷା ଦିଗରେ କୌଣସି ଅବହେଳା ହେବନାହିଁ ବୋଲି ଦର୍ଶାଇ ଇମ୍ରାନ କହିଛନ୍ତି, ପୁଲୱାମା ପରେ ଭାରତ ବାଲାକୋଟରେ ଆକ୍ରମଣ କରିଥିଲା ଏବଂ ଏବେ ପିଓକେ ଉପରେ ନଜର ପକାଇଛି। ଭାରତ ଆକ୍ରମଣ କଲେ ଯେଉଁ ପରିସ୍ଥିତି ଉପୁଯିବ ସେଥିପାଇଁ ଜାତିସଂଘ ଏବଂ ବିଶ୍ବ ସମୁଦାୟ ଦାୟୀ ରହିବେ ବୋଲି ଇମ୍ରାନ କହିଛନ୍ତି।

ପାକିସ୍ତାନ କଶ୍ମୀର ସମସ୍ୟାକୁ ବିଶ୍ବର ବିଭିନ୍ନ ମଂଚରେ ଉପସ୍ଥାପନ କରୁଛି ଏବଂ ଏହି ମାମଲାକୁ ଆମେ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ନେବୁ ବୋଲି ଇମ୍ରାନ କହିଛନ୍ତି। ବିଜେପି ଏବଂ ସଂଘ ପରିବାର ଏବେ କଶ୍ମୀରରୁ ଧାରା ୩୭୦ ହଟାଇ ସେଠାରେ ଭାରତୀୟ ସେନା ଦ୍ବାରା ଶାସନ ଚଳାଇଛନ୍ତି ଏବଂ ଏହା ମୁସ୍‌ଲିମ ବିରୋଧୀ ବୋଲି ସେ କହିଛନ୍ତି। କଶ୍ମୀରକୁ ନେଇ ଏବେ ପାକିସ୍ତାନ ନୂଆ ସଂଘର୍ଷରେ ଉପନୀତ ହୋଇଛି ଏବଂ ଆମେ ଭାରତ ବିରୋଧରେ ସବୁ ମଂଚରେ ଲଢ଼ିବୁ ବୋଲି ଇମ୍ରାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କଶ୍ମୀର ସଂପର୍କରେ ଏକପାଖିଆ ନିଷ୍ପତ୍ତି ନେଇଥିବାରୁ ଏହା ତାଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ ବୋଲି ମତଦେଇ ଇମ୍ରାନ କହିଛନ୍ତି ଯେ ମୁସ୍‌ଲମାନଙ୍କ ସ୍ବର ଦବାଇବା ପାଇଁ ହେଉଥିବା ପ୍ରୟାସକୁ ଆମେ ବିଫଳ କରିବୁ।

ସମ୍ବନ୍ଧିତ ଖବର