ବିଟ୍‌ କରେନ୍ସି ଜରିଆରେ ଠକେଇ ମାମଲାର ଗୁମର ଫିଟୁଛି : ୧ କୋଟି ୨୭ ଲକ୍ଷ ଟଙ୍କାର ଠକେଇ

ଗିରଫ ମନୋରଞ୍ଜନଙ୍କୁ ରିମାଣ୍ଡରେ ଆଣିବ ପୁଲିସ, ୫୦ ଲକ୍ଷ ଟଙ୍କାର ଡିପୋଜିଟ୍, ବ୍ୟାଙ୍କ ଆକାଉଣ୍ଟରେ ଥିବା ୭ ଲକ୍ଷ ଟଙ୍କା ଜବତ

ଜଟଣୀ : ବିଟ୍‌ କରେନ୍ସି ଆପ୍‌ ଜରିଆରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ମନୋରଞ୍ଜନ ବିଶ୍ବାଳଙ୍କୁ ଜଟଣୀ ପୁଲିସ ଗିରଫ କରିବା ପରେ ଏହି ଠକାମିର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଘଟଣା ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପ୍ରାଥମିକ ଭାବେ ଏହି ଠକେଇର ପରିମାଣ ୧ କୋଟି ୨୭ ଲକ୍ଷ ଟଙ୍କା ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ଗିରଫ ଶ୍ରୀ ବିଶ୍ବାଳ ଏହି ଠକେଇ ରୢାକେଟ୍‌ର ଜଣେ ସଦସ୍ୟ ହୋଇଥିବା ବେଳେ ଏଥିରେ ବହୁ ଲୋକ ସମ୍ପୃକ୍ତ ଅଛନ୍ତି। ମୋଟ୍‌ ଠକେଇ ପରିମାଣ ପ୍ରାୟ ୧୦୦ କୋଟି ଟଙ୍କା ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି।

ଅପରପକ୍ଷେ ମନୋରଞ୍ଜନଙ୍କୁ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିବା ବେଳେ ତାଙ୍କ ସାନଭାଇ ଜ୍ୟୋତିରଞ୍ଜନ ବିଶ୍ବାଳ ଲୋକଙ୍କଠାରୁ ତାଙ୍କୁ ଖସାଇ ନେବାକୁ ଉଦ୍ୟମ କରି ଗଣ୍ଡଗୋଳ କରିଥିଲେ।ଏହି ଘଟଣାରେ ପୁଲିସ ଜ୍ୟୋତିରଞ୍ଜନଙ୍କୁ ମଧ୍ୟ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଜଟଣୀ ବେଲପଡ଼ା ଗ୍ରାମର ମନୋରଞ୍ଜନ ବିଶ୍ବାଳ(୩୦ ବର୍ଷ) ବିଟ୍ କରେନ୍ସି ଆପ୍‌ ଜରିଆରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ମିଳିବ ବୋଲି ‌ସ୍ଥାନୀୟ ଅଞ୍ଚଳର କେତେକ ଲୋକଙ୍କୁ କହିଥିଲେ। ଏହିପରି ଭାବେ ସେ ସ୍ଥାନୀୟ ଅଞ୍ଚଳର ୧୨ ଜଣ ଲୋକଙ୍କ ଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେବା ପରେ ଆପ୍‌ଟିକୁ ବନ୍ଦ କରି ଦେଇଥିଲେ। ଲୋକେ ଠକାମିରେ ପଡ଼ିଥିବା ଜାଣିବା ପରେ ଏ ନେଇ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ମନୋରଞ୍ଜନଙ୍କୁ ଠାବ କରି ପାରି ନ ଥିଲେ। ଅପରପକ୍ଷେ ମନୋରଞ୍ଜନଙ୍କୁ ଦେଖି ଠକାମିର ଶିକାର ହୋଇଥିବା ବଡ଼ତୋଟା ଗ୍ରାମର ବିଜୟ ପ୍ରଧାନ ତାଙ୍କୁ ଅଟକାଇଥିଲେ ଏବଂ ଅନ୍ୟ କ୍ଷତିଗ୍ରସ୍ତଙ୍କ ଜରିଆରେ ଗତକାଲି ଜଟଣୀ ପୁଲିସର ଜିମା ଦେଇଥିଲେ। ଏ ନେଇ ଜଟଣୀ ଥାନାରେ ୩୧୯/୧୯ ନମ୍ବର ମାମଲା ରୁଜୁ କରିବା ସହିତ ମନୋରଞ୍ଜନଙ୍କୁ କରିଫ କରି ଜଟଣୀ ଆଇଆଇସି ବିଶ୍ବରଞ୍ଜନ ସାହୁ ଘଟଣାର ତଦନ୍ତ ଚଳାଇଛନ୍ତି। ଅପରପକ୍ଷେ ଶ୍ରୀ ବିଶ୍ବାଳଙ୍କୁ ଜଟଣୀ ପୁଲିସ ଗିରଫ କରିଥିବା ସୂଚନା ପାଇ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଜଟଣୀରେ ପହଞ୍ଚି ବିଜୟଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ମଲ୍ଲିକ୍‌ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମେ ଶ୍ରୀ ବିଶ୍ବାଳ ୧୨ ଜଣଙ୍କ ଠାରୁ ପ୍ରାୟ ୧୫ ଳକ୍ଷ ଟଙ୍କା ଠକି ନେଇଥିବା ସନ୍ଦେହ କରାଯାଉଥିଲା। ମାତ୍ର ଏବେ ଏହି ବିଟ୍‌ କରେନ୍ସି ଠକେଇ ମାମଲାରେ ବହୁ ଲୋକ ଜଡ଼ିତ ଥିବା ଜଣାପଡ଼ିଛି। ସେମାନେଙ୍କ ମଧ୍ୟରୁ କେତେକଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି। ଆଜି ତଦନ୍ତ ବେଳେ ଶ୍ରୀ ବିଶ୍ବାଳଙ୍କ ଠାରୁ ୧୫ଟି ବ୍ୟାଙ୍କ ପାସବୁକ୍‌, ୧୮ଟି ଚେକ୍‌ ବୁକ୍‌, ୫୦ ଲକ୍ଷ ଟଙ୍କାର ଏକ ଡିପୋଜିଟ୍, ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ପ୍ରଭୃତି ଜବତ କରାଯାଇଛି। ଏପରିକି ଏହି କାରବାର କରି ମନୋରଞ୍ଜନ ବିଦେଶ ଯାତ୍ରା କରିବା ସହିତ ଖୋର୍ଦ୍ଧାରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲିଥିବା ଜଣାଯାଇଛି। ଏହି ସମସ୍ତ ବିଷୟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ମନୋରଞ୍ଜନଙ୍କୁ ରିମାଣ୍ଡରେ ଆଣିବା ପରେ ବହୁ ଗୁମର ଖୋଲିବ ବୋଲି ବୋଲି ଡିଏସପି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର