ଶବଦାହ ପାଇଁ କାଠ ବିକୁଛନ୍ତି କୁସ୍ତି ଚାମ୍ପିଅନ୍, ସ୍ୱର୍ଗଦ୍ୱାରରେ କଟୁଛି ଜୀବନ

ପୁରୀ, (ଗଦାଧର ପଣ୍ଡା): ୧୯୬୬ ମସିହାର କଥା। ପଞ୍ଜାବର ପଟିଆଲାରେ ଚାଲିଥାଏ ‌ଷୋଡ଼ଶ ଜାତୀୟ ରେସ୍‌ଲିଂ ଚାମ୍ପିଅନସିପ୍‌। ପୁରୀ ମାଟିମଣ୍ଡପସାହିର ୨୭ ବର୍ଷୀୟ ସୌମ୍ୟ ଯୁବକ ବୈଦ୍ୟନାଥ ମହାସୁଆରଙ୍କ ସୁନ୍ଦର ସ୍ବାସ୍ଥ୍ୟକୁ ଦେଖି କରତାଳିରେ ଫାଟି ପଡ଼ିଥିଲା ପ୍ରତିଯୋଗିତା ସ୍ଥଳ। ରୋମାନ୍‌ ଷ୍ଟାଇଲ୍‌ ୬୮ କିଲୋ ଓଜନ ବର୍ଗରେ ବୈଦ୍ୟନାଥ ସିଧାସଳଖ ଟକ୍କର ଦେଇଥିଲେ ସେ ସମୟରେ ଭାରତର ଖ୍ୟାତନାମା ତଥା ଜଣାଶୁଣା ମଲ୍ଲଯୋଦ୍ଧା ଉଦୟ ଚାନ୍ଦଙ୍କୁ। ଏସିଆନ୍‌ ଗେମ୍‌ସ ଓ କମନ୍‌ୱେଲଥ ଗେମ୍‌ସରେ ସ୍ବର୍ଣ୍ଣପଦକ ବିଜେତା ତଥା ସ୍ବାଧୀନ ଭାରତର ପ୍ରଥମ ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରୀଡ଼ାବିତ୍‌ ଥିଲେ ଉଦୟ ଚାନ୍ଦ। ଅନ୍ତର୍ଜାତୀୟସ୍ତରରେ ଉଦୟ ବଡ଼ ବଡ଼ କୁସ୍ତି ଯୋଦ୍ଧାଙ୍କୁ ପାଣି ପିଆଇଥିଲେ ବି ବୈଦ୍ୟନାଥ ପ୍ରଥମ ରାଉଣ୍ଡରେ ତାଙ୍କୁ ମାତ୍‌ ଦେଇଥିଲେ। ଯଦିଓ ବୈଦ୍ୟନାଥ ଜିତି ପାରିନଥିଲେ, କିନ୍ତୁ ପ୍ରଥମ ଜାତୀୟ ପଦାର୍ପଣରେ ପୁରୀର ଏହି ଯୁବ ମଲ୍ଲଯୋଦ୍ଧା କୋଚ୍‌ ଓ ଅନ୍ୟମାନଙ୍କଠାରୁ ସାଉଁଟିଥିଲେ ଢେର ପ୍ରଶଂସା। ଏହାପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ବୈଦ୍ୟନାଥ। ୧୯୬୨ରୁ ୬୮ ମଧ୍ୟରେ ସେ ରାଜ୍ୟ ଓ ଜାତୀୟସ୍ତରରେ ଲଗାତର କୁସ୍ତି ଚାମ୍ପିଅନ୍‌ ହୋଇ ରେକର୍ଡ ସୃଷ୍ଟି କରିଥିଲେ। ଓଡ଼ିଶାର ଏହି ପ୍ରଖ୍ୟାତ ମଲ୍ଲଯୋଦ୍ଧା ଏବେ ୮୧ ବର୍ଷରେ ଉପନୀତ। ବଞ୍ଚିବା ପାଇଁ କରୁଛନ୍ତି ଅହରହ ସଂଘର୍ଷ। ଦୀର୍ଘ ୪୦ ବର୍ଷ ହେଲା ପୁରୀ ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଆବଶ୍ୟକ ଝାଉଁ ବରଡା (ଝାଟି) ବିକ୍ରି କରି ପେଟ ପୋଷୁଛନ୍ତି। ଏକଦା ସୁନ୍ଦର ସ୍ବ‌ାସ୍ଥ୍ୟ ପାଇଁ ପରିଚିତ ଏହି ମଲ୍ଲ ଯୋଦ୍ଧା ଏବେ କୁଷ୍ଠ‌ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସ୍ବର୍ଗଦ୍ବାରରେ ଏକ ପରିତ୍ୟକ୍ତ ଘରେ ବିତୁଛି ତାଙ୍କ ଦୁର୍ବିସହ ଜୀବନ।

ମଲ୍ଲଯୋଦ୍ଧା ଓ କୁସ୍ତିର ସହର ପୁରୀରେ ପ୍ରତିଭାଙ୍କ ଅଭାବ ନାହିଁ। କାହିଁ କେଉଁ କାଳରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବାକୁ ‘ଜାଗା’ ଘରର ଉତ୍ପତ୍ତି। ସୁନ୍ଦର ସ୍ବାସ୍ଥ୍ୟ ଓ କୁସ୍ତି ପାଇଁ ସାହିର ଯୁବକମାନେ ‘ଜାଗାଘରୁ’ ହିଁ ଆରମ୍ଭ କରିଥାନ୍ତି ସେମାନଙ୍କର ପ୍ରସ୍ତୁତି। ପୁରୀରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ କୁସ୍ତି ପ୍ରତିଭା ରହିଛନ୍ତି। ସେମାନଙ୍କ ମଧ୍ୟରୁ ବୈଦ୍ୟନାଥ ଅନ୍ୟତମ। ୧୯୩୯ ମସିହାରେ ଜନ୍ମିତ ବୈଦ୍ୟନାଥଙ୍କ ଘର ପୁରୀ ମାଟିମଣ୍ଡପସାହି ଅଙ୍ଗାରୁଆ ଲେନ୍‌ରେ। ମାଧବ ମହାସୁଆରଙ୍କ ପୁଅ ବୈଦ୍ୟନାଥଙ୍କ କୁସ୍ତି ପ୍ରତିଭା ଦେଖି ଗୁରୁ ଶ୍ୟାମସୁନ୍ଦର ନାୟକ ତାଙ୍କୁ କୁସ୍ତି ଶିକ୍ଷା ଦେଇଥିଲେ। ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ସହିତ ପଞ୍ଜାବ, ଦିଲ୍ଲୀ, ହରିଆନାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲେ ବୈଦ୍ୟନାଥ। ତେବେ ୧୯୬୮ରେ କୁଷ୍ଠ ‌ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ସବୁ ସ୍ବପ୍ନ ଚୂରମାର୍‌ ହୋଇ ଯାଇଥିଲା।

କୁଷ୍ଠରେ ଆକ୍ରାନ୍ତ ହେବା ପରେ ସାମାଜିକ ଘୃଣାର ଶିକାର ହୋଇଥି‌ଲେ ସେ। ଏହି କାରଣରୁ କୁସ୍ତିକୁ ସବୁଦିନ ପାଇଁ ଛାଡ଼ିଥିଲେ। ପ୍ରାୟ ୮/୧୦ ବର୍ଷ ଘରେ ରହିଥିଲେ। ବାପା, ମାଙ୍କ ମୃତ୍ୟୁ ପରେ ନିଜେ ସ୍ବାବଲମ୍ବୀ ହେବାକୁ ଅଣ୍ଟା ଭିଡ଼ି ୧୯୮୦ ମସିହାରେ ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଆବଶ୍ୟକ ଝାଉଁ କାଠ ବିକ୍ରି କରିବା ଆରମ୍ଭ କରିଥି‌ଲେ। ପୁରୀ ପୌର ସଂସ୍ଥା ତାଙ୍କୁ ରହିବା ପାଇଁ ଏକ ଘର ଯୋଗାଇ ଦେଇଛି। ଏବେ ସେହି ଘରେ ସେ ମୁଣ୍ଡ ଗୁଞ୍ଜିଛନ୍ତି। ଦିନ ବେଳେ ରିକ୍ସାରେ ଘରକୁ ଆସି ଦୁଇ ମୁଠା ଖାଇ ଦେଇ ପୁଣି ସ୍ବର୍ଗଦ୍ବାରକୁ ଫେରିଯାନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି ନିଜେ ଓ ତାଙ୍କ ପତ୍ନୀ ଚଳନ୍ତି। ଅବଶ୍ୟ ସରକାର ତାଙ୍କୁ ଏବେ ୩ ହଜାର ଟଙ୍କା ଭତ୍ତା ଦେଉଛନ୍ତି। ତାଙ୍କର ଏହି ପ୍ରତିଭା ସଂପର୍କରେ ପୁରୀରେ ସମସ୍ତେ ଜାଣନ୍ତି। ହେଲେ ଜୀବନର ସାୟାହ୍ନରେ ଶବଦାହ ପାଇଁ ସେ କାଠ ବିକ୍ରି କରି ଚଳିବା କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର