କଳ୍ପନା ଜଳ୍ପନାର ଅବସାନ : ରୀତା ସାହୁ ହେଲେ ବିଜେପୁରରୁ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ଅନେକ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପୁର ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି ।

ଗତବର୍ଷ ଉପନିର୍ବାଚନରେ ରୀତା ସାହୁ ବିଜେଡିର ପ୍ରାର୍ଥୀ ଥିଲେ ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସାଂଗକୁ ବିଜେପୁରରୁ ଲଢି ବିଜୟ ଲାଭ କରିଥିଲେ । କିନ୍ତୁ ପରେ ପରେ ସେ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ସେଥିପାଇଁ ବିଜେପୁର ଆସନ ଖାଲି ପଡ଼ିଥିଲା ଏବଂ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା ।

ବିଜେପୁରରୁ ଲଗାତର ୩ ଥର ଜିତିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଅକାଳ ବିୟୋଗ ପରେ ଗତବର୍ଷ ଏହି ଆସନ ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ ହୋଇଥିଲା । ବିଜେଡି ସୁବଳ ସ‌ାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟ ଲାଭ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଚଳିତ ଉପନିର୍ବାଚନ ପାଇଁ ବିଜେଡ଼ିର ପ୍ରାର୍ଥୀ ଦୌଡ଼ରେ ରୀତାଙ୍କର ନାମ ଆଗରେ ଥିଲା । ତେବେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ ଏଥର ଉପନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାଛଡ଼ା ଅନେକ ସ୍ଥାନୀୟ ରାଜନେତା ଆଶାୟୀ ପ୍ରାର୍ଥୀ ଥିଲେ । ଏଥିପାଇଁ କିଏ ଦଳୀୟ ପ୍ରାର୍ଥୀ ହେବେ ସେଥିନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

ଶେଷରେ ରୀତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରି ନବୀନ ମହିଳା କାର୍ଡ ଖେଳିଛନ୍ତି । ବିଜେପୁରର ବିକାଶ ପାଇଁ ନିଜେ ଦୃଷ୍ଟି ଦେବେ ବୋଲି ନବୀନ କହିଛନ୍ତି । ଉପନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ଏକ ସମନ୍ୱୟ କମିଟି ଗଠନ କରିଛନ୍ତି । ଦଳୀୟ ପ୍ରାର୍ଥୀ ରୀତା ସାହୁ ସୋମବାର ଦିନ (୩୦ ତାରିଖ) ପ୍ରାର୍ଥୀପତ୍ର ଦାଖଲ କରିବେ । ସୋମବାର ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ।

କଂଗ୍ରେସର ପ୍ରାର୍ଥୀ ଭାବେ ଦିଲ୍ଲୀପ ପଣ୍ଡାଙ୍କର ନାମ ଘୋଷଣା କରାଯାଇଛି । ତେବେ ବିଜେପିର ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରାଯାଇନାହିଁ । ଗତ ସାଧାରଣ ନିର୍ବାଚନରେ ସନତ ଗଡ଼ତିଆ ବିଜେପିର ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢିଥିଲେ । ତେବେ ସେ ଏଥର ପ୍ରାର୍ଥୀ ହେବେ ନା ଆଉ କେହି ତାହା ସସ୍ପେନ୍ସରେ ରହିଛି ।

ସମ୍ବନ୍ଧିତ ଖବର