ଅନ୍ତର୍ଜାତୀୟ ଶିଶୁ ଯୌନ ଶୋଷଣ ରୢାକେଟ୍‌ରେ ୭ ଭାରତୀୟ, ଏଫ୍‌ଆଇଆର ରୁଜୁ କଲା ସିବିଆଇ

ନୂ୍ଆଦିଲ୍ଲୀ : ଜର୍ମାନ୍‌ ପୁଲିସ ଦ୍ବାରା ଶିଶୁ ଯୌନ ଶୋଷଣ କ୍ଷେତ୍ରରେ ହୋଇଥିବା ତଦନ୍ତରୁ ଏକ ବଡ଼ ଧରଣର ଅନ୍ତର୍ଜାତୀୟ ଶିଶୁ ଯୌନ ଶୋଷଣ ରୢାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଭାରତ ସମେତ ବିଭିନ୍ନ ଦେଶର ନାଗରିକମାନେ ଏହି ରୢାକେଟ୍‌ରେ ସମ୍ପୃକ୍ତ। ଅନ୍ତର୍ଜାତୀୟ ଶିଶୁ ଯୌନ ଶୋଷଣ ରୢାକ‌େଟ୍‌ରେ ୭ ଭାରତୀୟ ନାଗରିକ ସଂପୃକ୍ତ ଥିବା ଜଣାପଡ଼ିଛି। ସିବିଆଇ ଉକ୍ତ ୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ଦିଲ୍ଲୀର ନିରଙ୍କରୀ କଲୋନି, ଚେନ୍ନାଇର ସେଲାଇପୁର ଏବଂ ଇବ୍ରାହିମ୍‌ ସାହେବ, ଫରିଦାବାଦ୍‌ର ଅମର ନଗର, ସାହିବାବାଦ୍‌ର ପସୋନ୍ଦା, ହାୱଡ଼ାର ଭଟ୍ଟାଚାର୍ଯ୍ୟ ପାରା ଲେନ୍‌ ଏବଂ ରାଜସ୍ଥାନର ଚୋମୁ ଜିଲ୍ଲାରେ ୭ ଜଣଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର ରୁଜୁ କରିଛି। ବୈଦ୍ୟୁତିକ ମାଧ୍ୟମ ଦ୍ବାରା ଶିଶୁ ‌‌ଯୌନ ଶୋଷଣ ଅନ୍ତର୍ଗତ ବିଭିନ୍ନ ବିଷୟବସ୍ତୁ ପଠାଇବାରେ ଉକ୍ତ ଅଭିଯୁକ୍ତମାନଙ୍କର ସମ୍ପୃକ୍ତି ଥିଲା। ଆଇଟି ଆଇନର ଧାରା ୬୭ ଅଧୀନରେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ଧରାଯାଇଛି। ଏନେଇ ୭ ଭାରତୀୟଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି ଏବଂ ତଦନ୍ତ ତ୍ବରାନ୍ବିତ ହୋଇଛି ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି। ଲ୍ୟୁବେକ୍‌ ପୁଲିସ ଜଣେ ଜର୍ମାନୀ ନାଗରିକଙ୍କୁ ପ୍ରଥମେ ଏହି ଶିଶୁ ଯୌନ ଶୋଷଣ ମାମଲାରେ ଗିରଫ କରିବାପରେ ଏହି ରୢାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ଜାନୁଆରି ୩୧ ତାରିଖରେ ଜର୍ମାନୀ ଦୂତାବାସର ଏକ ସୂଚନା ଆଧାରରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ଏବଂ ଗତ ବିଳମ୍ବିତ ସେପ୍ଟେମ୍ବରରେ ଏନେଇ ଏଫ୍ଆଇଆର ରୁଜୁ କରିଥିଲା। ତଦନ୍ତ ପର୍ଯ୍ୟାୟ‌ରେ ଲ୍ୟୁବେକ୍‌ ପୁଲିସ ଅଭିଯୁକ୍ତର ବାସଭବନରୁ ଶିଶୁ ଯୌନ ଶୋଷଣ ସଂକ୍ରାନ୍ତ ବିଭିନ୍ନ ଛବି ଏବଂ ଭିଡିଓ ଜବତ କରିଛି। ଏଥିରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତମାନେ ଏଥିପାଇଁ ହ୍ବା‌ଟ୍ସଆପ୍‌ ଆକାଉଣ୍ଟ୍‌ ବ୍ୟବହାର କରୁଥିଲେ। ଶିଶୁ ଯୌନ ଶୋଷଣ ସଂକ୍ରାନ୍ତ ବିଭିନ୍ନ ବିଷୟବସ୍ତୁ ୨୯ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସେୟାର କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ଦେଶରୁ ପ୍ରାୟ ୪୮୩ ଜଣ ସଦସ୍ୟ ଏହି ହ୍ବାଟ୍ସଆପ୍‌ ଗ୍ରୁପ୍‌‌ରେ ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରେ ୭ ନାଗରିକ ହେଉଛନ୍ତି ଭାରତୀୟ।

ସମ୍ବନ୍ଧିତ ଖବର