ଗେହ୍ଲି ଝିଅର ମୃତ୍ୟୁ ପରେ ବି ସ୍ୱପ୍ନ ପୂରଣ କରିବାରେ ଲାଗିପଡିଛନ୍ତି ଏହି ବାପା

ଡାଏରୀରେ ଝିଅ ଲେଖିଥିଲା ନିଜ ଇଚ୍ଛା

ଝିଅ ସିନା ନାହିଁ, ତା’ର ସ୍ୱପ୍ନ ତ ଅଛି | ସୁନା ଝିଅର ମୃତ୍ୟୁ ସିନା ହୋଇଯାଇଛି, ସ୍ମୃତିରୁ କଣ ଝିଅ ଲିଭିଯାଇଛି | ୨୦ ବର୍ଷୀୟ ଝିଅ ନେହା ଆମ କାହାଣୀର ଏମିତି ଏକ ଚରିତ୍ର ଯିଏ ହୁଏତ ଏ ଦୁନିଆରେ ନାହିଁ, କିନ୍ତୁ ଅନେକଙ୍କ ହୃଦୟରେ ଏବେ ବି ନେହା ବଞ୍ଚିଛି | ହିମାଚଳ ପ୍ରଦେଶର ଘୁମାରବିରେ ଷ୍ଟେସନାରୀ ଦୋକାନ କରି ବ୍ୟବସାୟ କରୁଥିବା ୪୮ ବର୍ଷୀୟ ପବନ ବରୁରଙ୍କ ଜୀବନ ମାର୍ଚ୍ଚ ୧୪, ୨୦୧୫ ମସିହାରେ ବଦଳିଯାଇଥିଲା | ଏହିଦିନ ଏକ କାର ଦୁର୍ଘଟଣାରେ ପବନଙ୍କ ଗେହ୍ଲି ଝିଅ ନେହାର ମୃତ୍ୟୁ ହୋଇଯାଇଥିଲା | ନିଜ ଝିଅର ସଂସ୍କାର ପରେ ହରିଦ୍ୱାରରେ ଝିଅର ପିଣ୍ଡଦାନ କରିଥିଲେ |

ପରିବାରର ସମସ୍ତ ସଦସ୍ୟ ହତବାକ ହୋଇଯାଇଥିଲେ | ଝିଅକୁ ନେଇ ଦେଖିଥିବା ଅନେକ ସ୍ୱପ୍ନ ସତରେ ଯେମିତି ଭାଙ୍ଗିଯାଇଥିଲା | ଘରକୁ ଫେରି ଯେତେବେଳେ ଝିଅର ଡାଏରୀ ପଢିଥିଲେ ନିଜର ଇଚ୍ଛା ବାବଦରେ ନେହା ଲେଖିଥିଲା | ବଡ ହେଲେ ଵୃଦ୍ଧାଶ୍ରମଟିଏ ଖୋଲିବା ସହ ଗରିବ ପିଲାଙ୍କୁ ସାହାଯ୍ୟ କରିବାର ଅଭିଳାଷ ରଖିଥିଲେ ନେହା | ଏହାକୁ ଦେଖି ନେହାଙ୍କ ବାପା ଭାବୁକ ହେବା ସହ ଝିଅର ଇଛାକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିଲେ | ଏହା ପରେ ଝିଅ ନାମରେ ‘ନେହା ମାନବ ସେବା ସୋସାଇଟି’ ନାମକ ଅନୁଷ୍ଠାନଟିଏ ଗଠନ କରିଥିଲେ |

ନିଜର ସାମର୍ଥ୍ୟରୁ କିଛି କିଛି ଟଙ୍କା ସଂଚୟ କରିଥିଲେ | ଅନ୍ୟମାନଙ୍କୁ ବୁଲିବୁଲି ସଂଗଠନ ପାଇଁ ସାହାଯ୍ୟ ମାଗିଥିଲେ | ଧୀରେ ଧୀରେ ଏହି ଅନୁଷ୍ଠାନରେ ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା | ଏବେ ୭୦୦ ଜଣ ସଦସ୍ୟ ଥିବାବେଳେ ସମସ୍ତେ ମାସିକ କିଛି କିଛି ଟଙ୍କା ସାହାଯ୍ୟ କରିଥିଲେ | ଏବେ ଏହି ଅନୁଷ୍ଠାନ ପକ୍ଷରୁ ୮୦ ଜଣ ଗରିବ ପିଲାଙ୍କୁ ସାହାଯ୍ୟ ଦିଆଯାଉଛି | ଏହି ଅନୁଷ୍ଠାନ ପକ୍ଷରୁ ଏବେ ୫ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି | ଖୁବ ଶୀଘ୍ର ଵୃଦ୍ଧାଶ୍ରମଟିଏ ଖୋଳାଯିବାର ଯୋଜନା ଥିବାର ପବନ କହିଛନ୍ତି |

ସମ୍ବନ୍ଧିତ ଖବର