ଷ୍ଟେଟ୍‌ବ୍ୟାଙ୍କ୍‌ର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀଙ୍କୁ ତଳେ କାର୍ପେଟ୍‌ ଉପରେ ଶୁଆଇଦେଲା ବ୍ରିଟିସ୍‌ ଏୟାରେଓ୍ଵଜ୍‌!

ମୁମ୍ବାଇ: ବ୍ରିଟିସ୍‌ ଏୟାରେଓ୍ଵଜ୍‌ର ଏକ ବୋଇଂ ବିମାନରେ ମୁମ୍ବାଇରୁ ଇଂଲଣ୍ଡ ଯାତ୍ରା କରୁଥିବା ବେଳେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି, ତାଙ୍କୁ ସାରାରାତି ଭୋକିଲା ପେଟରେ ତଳେ ଚଟାଣ କର୍ପେଟ୍‌ ଉପରେ ଶୋଇବାକୁ ସୁଦ୍ଧା ପଡ଼ିଥିବା ଜାଣିବାକୁ ମିଳିଛି। ତେବେ, କେବଳ ମାତ୍ର ଅରୁନ୍ଧତୀ ନୁହନ୍ତି ତାଙ୍କ ସହ ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ ସମସ୍ତ ସହଯାତ୍ରୀମାନେ ମଧ୍ୟ ଏହି ପ୍ରକାର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବ୍ରିଟିସ୍‌ ଏୟାରେଓ୍ଵଜ୍‌ର ବିଏ୧୯୮ ନମ୍ବର ବିଶିଷ୍ଟ ବୋଇଂ ବିମାନଟି ଆଜରବଇଜାନ୍‌ର ରାଜଧାନୀ ବାକୁର ବିମାନଘାଟିରେ ଜରୁରିକାଳୀନ ଅବତରଣ କରିଥିଲା। ଏହି ବିମାନଟିର ପ୍ରଥମ ଶ୍ରେଣୀ କ୍ୟାବିନ୍‌ ମଧ୍ୟରୁ ଧୂଆଁ ବାହାରୁଥିବା ଜାଣିବାକୁ ପାଇଲା ପରେ ସଂପୃକ୍ତ ବିମାନଟିର ପାଇଲଟ୍‌ ଜରୁରିକାଳୀନ ଅବତରଣ ପାଇଁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସେଣ୍ଟରକୁ ଅନୁମତି ମାଗିଥିଲେ। ସେତେବେଳେ ବିମାନଟି ପାକିସ୍ତାନର ଆକାଶ ସୀମା ମଧ୍ୟରେ ଥାଇ ବେଲୁଚିସ୍ତାନ ଉପରେ ଉଡ଼ୁଥିଲା। ବିମାନଟିର ଜରୁରିକାଳୀନ ଅବତରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସେଣ୍ଟର ଆଖପାଖରେ କୌଣସି ବିମାନଘାଟି ନପାଇ ଶେଷରେ ବିମାନର ପାଇଲଟ୍‌ଙ୍କୁ ବାକୁ ବିମାନଘାଟିରେ ଜରୁରିକାଳୀନ ଅବତରଣ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସେଣ୍ଟରରୁ ନିର୍ଦ୍ଦେଶ ପାଇବା ପରେ ପାଇଲଟ୍‌ ବିମାନଟିର ରୁଟ୍‌ ପରିବର୍ତ୍ତନ କରି ବାକୁ ବିମାନଘାଟିରେ ବିମାନଟିର ଜରୁରିକାଳୀନ ଅବତରଣ କରାଇଥିଲେ।

Sigmalive

ତେବେ, ବାକୁ ବିମାନଘାଟିରେ ବିମାନଟି ଜରୁରିକାଳୀନ ଅବତରଣ କରିବା ପରେ ଯାତ୍ରୀମାନଙ୍କର ଦୁର୍ଦ୍ଦଶା ଆରମ୍ଭ ହୋଇ ଯାଇଥିଲା। ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ନିରୁପାୟ ହୋଇ ଦୀର୍ଘ ୧୯ ଘଣ୍ଟାକାଳ ବାକୁ ବିମାନଘାଟିର ଅପେକ୍ଷା ଗୃହରେ ବିତାଇବାକୁ ପଡ଼ିଥିଲା। ଏହି ସମୟ ମଧ୍ୟରେ ଯାତ୍ରୀମାନେ ନା ଖାଇବାକୁ ଖାଦ୍ୟ ପାଇଥିଲେ ନା ପିଇବାକୁ ପାଣି। ଶେଷରେ ଅନୋନ୍ୟପାୟ ହୋଇ ବିମାନରେ ଯାତ୍ରା କରିଥିବା ଭାରତୀୟ ଷ୍ଟେଟବ୍ୟାଙ୍କ୍‌ର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭାଟ୍ଟାଚାର୍ଯ୍ୟ ଅପେକ୍ଷା ଗୃହରେ ତଳେ ଚଟାଣରେ ପଡ଼ିଥିବା କାର୍ପେଟ ଉପରେ ଭୋକିଲା ପେଟରେ ଶୋଇବା ପାଇଁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର