ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ଇମ୍ରାନ ଖାଁ
ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ (ଏସସିଓ)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯୋଗ ଦେବାର ସମ୍ଭାବନା କମ ବୋଲି ଜଣାପଡ଼ିଛି । ନିଜେ ଆସିବା ବଦଳରେ ସେ ନିଜର ଜଣେ ମନ୍ତ୍ରୀଙ୍କୁ ସେଠାକୁ ପଠାଇବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କାଲି ଖବର ଆସିଥିଲା ଯେ ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ଶିଖର ସମ୍ମିଳନୀ ପାଇଁ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ନିମନ୍ତ୍ରଣ ପତ୍ର ପଠାଇବ । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଏସସିଓର ସବୁ ୮ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ପଠାହେବ । କିନ୍ତୁ ଭାରତ ସହ ସଂପର୍କ ତିକ୍ତ ଥିବାରୁ ଇମ୍ରାନ ତାହାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ବୋଲି ଜଣାପଡ଼ିଛି ।
୨୦୦୧ରେ ସ୍ଥାପିତ ଏସସିଓରେ ୮ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି । ସେଗୁଡ଼ିକ ହେଲେ ଚୀନ,ଭାରତ,ପାକିସ୍ତାନ,ଋଷିଆ,କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ । ସେହିପରି ବେଲାଋଷ, ଇରାନ, ଆଫଗାନିସ୍ତାନ ଓ ମଙ୍ଗୋଲିଆ ଏହାର ପର୍ଯ୍ୟବେକ୍ଷକ ଅଛନ୍ତି ।
ଗତବର୍ଷ ଫେବ୍ରୁଆରୀ ମାସରେ ଭାରତ ଦ୍ୱାରା ବାଲାକୋଟ ଏୟାରଷ୍ଟ୍ରାଇକ ଓ ଅଗଷ୍ଟ ୫ରେ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ଖରାପ ହୋଇଯାଇଛି । ପାକିସ୍ତାନ ଭାରତ ସହ କୂଟନୈତିକ ସଂପର୍କକୁ ହ୍ରାସ କରିଛି ।