ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପୁରସ୍କୃତ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ଶ୍ରୀଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ପ୍ରଜ୍ଞାପନ ମେଢ଼କୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ବିତୀୟ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଆଜି ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଦ୍ବିତୀୟ ସ୍ଥାନରେ ଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପୁରସ୍କୃତ କରିଥିଲେ। ରାଜ୍ୟ ସୂଚନା ଓ ପ୍ରସାରଣ କମିସନର ସଂଜୟ ସିଂହ ଓ ମେଢ଼ ଡିଜାଇନ କରିଥିବା ଜଣାଶୁଣା ଶିଳ୍ପୀ ଗଜେନ୍ଦ୍ର ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତଥା ଏଥିରେ ସାମିଲ ଥିବା କ‌ଳାକାରମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ କଳାକାରମାନେ ପୁଣିଥରେ ସାଂସ୍କୃତିକ କ‌ାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ ଆସାମର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ଓ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ଓଡ଼ିଶା ସହ ଦ୍ବିତୀୟ ସ୍ଥାନ ହାସଲ କରିଛି। ଓଡ଼ିଶା ପ୍ରଜ୍ଞାପନ ମେଢ଼ରେ ସାମିଲ ଥିବା ୩୦ କଳାକାରମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରଶଂସା ସାଉଁଟିଛନ୍ତି।

ସମ୍ବନ୍ଧିତ ଖବର