ସ୍ବତନ୍ତ୍ର ପରିସର ହୋଇପାରିଲାନି, ଏବେ ବି ରହିଛି ସିଂହାସନ ଉପରେ ପାଚେରି
ରାଜ୍ୟପାଳଙ୍କୁ ଅଭିଯୋଗ
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବା ବେଳେ ଠାକୁର ରାସ୍ତା କଡ଼ରେ ପୂଜା ପାଇବାକୁ ଯାଉଛନ୍ତି। ଠାକୁରଙ୍କ ସିଂହାସନ ଉପରେ ପାଚେରି ନିର୍ମାଣ ହୋଇଛି। ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲ ଯୋଗୁଁ ଏପରି ଅବସ୍ଥା ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ପାଇଁ ଯେଉଁ ସ୍ଥାନକୁ ଯାଇଥାନ୍ତି ତାହା ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ତେବେ ଏନେଇ ମନ୍ଦିର ପ୍ରଶାସନ ପାଖରେ ଭକ୍ତଗଣ ଅଭିଯୋଗ କରିବା ପରେ ଗତବର୍ଷ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯିବା ସହ ସିଂହାସନ ଓ ଏହାର ଜମି ଉଦ୍ଧାର କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏହାର ବର୍ଷେ ପରେବି ଠାକୁରଙ୍କ ଉକ୍ତ ଜମିରେ ସ୍ବତନ୍ତ୍ର ପରିସର ହୋଇପାରିନାହିଁ। ଏହାକୁ ନେଇ ସ୍ବର ଉତ୍ତୋଳନ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚର ସଦସ୍ୟ ଏହି ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଶ୍ରୀପଞ୍ଚମୀ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାଇଥାନ୍ତି। ସେଠାରେ ରୁକୁଣା ରଥ ପାଇଁ ବିଧି ମୁତାବକ କାଠ ଅନୁକୂଳ କରାଯାଏ। ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥାନ୍ତି। ସେଠାରେ ସେବାୟତ ମାନଙ୍କ ଗହଣରେ କାଠ ଚିରଟ ଅନୁକୂଳ କରାଯାଏ। ତେବେ ଠାକୁର ଯେଉଁ ସିଂହାସନ ଉପରେ ବିରାଜମାନ କରନ୍ତି ଉକ୍ତ ସିଂହାସନ ଉପରେ ପାଚେରି ତିଆରି ହୋଇଛି। ଏପରିକି ଯେଉଁ ଗଛକୁ ଛେଦନ କରାଯାଏ ତାହା ଜଣେ ବ୍ୟକ୍ତିଙ୍କ ଘରର ପରିସୀମା ଭିତରେ ରହିଛି। ଠାକୁର ରାସ୍ତା ଉପରେ ପୂଜା ପାଉଥିବା ବେଳେ ଆମ୍ଭ ଗଛକୁ ଲୋକେ ଛୁଇଁବାକୁ ଚାହିଁଲେ ମଧ୍ୟ ଏହା ସମ୍ଭବ ହେଉନାହିଁ। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭ୍ୟ ମୃତ୍ୟୁଞ୍ଜୟ ମହାନ୍ତି ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଅମିନ ଓ ଆରଆଇ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାର ତଦନ୍ତ ନିର୍ଦେଶ ଦିଆଯିବା ସହ ଶ୍ରୀପଞ୍ଚମୀ ପୂର୍ବରୁ ପୁନରୁଦ୍ଧାର କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ଏକାମ୍ର ଜନ ଜାଗରଣ ମଞ୍ଚର ସଭ୍ୟ ଶ୍ରୀ ମହାନ୍ତି ଓ ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଠାକୁରଙ୍କ ସିଂହାସନ ଓ ଜମି ଜବର ଦଖଲ ଯୋଗୁଁ ମହାପ୍ରଭୁ ରାସ୍ତା କଡ଼ରେ ପୂଜା ପାଇବେ। ଏଥିପାଇଁ ପ୍ରଶାସନ ପଦକ୍ଷେପ ନ ନେବା ପରିତାପର ବିଷୟ। ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କୁହନ୍ତି, ସିଂହାସନ ଠାରୁ ପାଚେରିକୁ ଘୁଞ୍ଚାଯାଇଛି। ମାତ୍ର ସେହି ଜାଗାକୁ ସମ୍ପୃକ୍ତ ବ୍ୟକ୍ତି ରେକର୍ଡ କରିନେଇଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।