‘ବେଟି-ବଚାଓ-ବେଟି ପଢ଼ାଓ‘ ଓ ‘ସ୍ୱଚ୍ଛ ଭାରତ ଅଭିଯାନ’ ଲେଖାଥିବା ପାଣି ଟାଙ୍କିରୁ ବାହାରିଲା ଦେଶୀ ଓ ବିଦେଶୀ ମଦ

ମାଝି: ବିହାର ସରକାର ରାଜ୍ୟକୁ ମଦମୁକ୍ତ ଘୋଷଣା କରିଥିବା ବେଳେ ଚୋରା ମଦ କାରବାର ଜୋରଦାର ଚାଲିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ  ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କୁନାଲ କୁମାର ସିଂହ ଓ ସୋନୁ କୁମାର ବୋଲି ଜଣାପଡ଼ିଛି।

ବିଶେଷସୂତ୍ରରୁ ଖବର ପାଇବା ପରେ ପୁଲିସ ସନ୍ଦେହରେ ଏକ ପାଣି ଟ୍ୟାଙ୍କର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଟ୍ୟାଙ୍କର ଭିତରେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଭର୍ତ୍ତି ଥିବା ଦେଖାଯାଇଥିଲା। ଏହି ଘଟଣାରେ ମାଝି ପୁଲିସ ୩୩୦ ପେଟି ବେଆଇନ ମଦ ସହ ଟ୍ୟାଙ୍କର ଓ ଏହାକୁ ଏସ୍କର୍ଟ କରି ନେଉଥିବା ଗାଡିକୁ ଜବତ କରିଛି।

ଏହି ସବୁ ମଦକୁ ସେମାନେ ବିହାରର ଶିୱାନ ଓ ଶାରଣ ଜିଲ୍ଲାରେ ଚୋରା ମଦ କାରବାର କରୁଥିବା ବେପାରୀଙ୍କ ନିକଟରେ ପହଞ୍ଚାଇବାର ଯୋଜନା ରଖିଥିଲେ। । ଏହି ସବୁ ମଦ ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରୁ ଆଣି ଏଠାରେ ଚୋରାରେ ବିକ୍ରି କରାଯାଉଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ପାଣି ଟ୍ୟାଙ୍କରରେ ଏହି ଚୋରା ମଦ ଚାଲାଣ ହେଉଥିଲା ସେଥିରେ ‘ବେଟି-ବଚାଓ-ବେଟି ପଢ଼ାଓ‘ ଓ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଦି ସ୍ଲୋଗାନ୍‌ ଲେଖାଥିବା ବି ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଲୋଗାନ୍‌ ଲେଖାଥିବା ଟ୍ୟାଙ୍କରରେ ଏଭଳି ମଦ ଚାଲାଣ କରି ଚୋରା ମଦ ବେପାରୀ ପୁଲିସ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର