ଗର୍ଭରେ ୮ ମାସର ଶିଶୁ, ବନ୍ଧୁକ ଧରି ଜଙ୍ଗଲରେ ଶତ୍ରୁଙ୍କୁ ନିପାତ କରୁଛନ୍ତି ମହିଳା ଯବାନ

ଦାନ୍ତେୱାଡା(ବୋୖଦ୍ଧାୟନ ଆଚାର୍ଯ୍ୟ) : କାନ୍ଧରେ ବନ୍ଧୁକ, ମନରେ ଶତ୍ରୁଙ୍କୁ ନିପାତ କରିବାର ଜୋସ | ଦେଶ ପାଇଁ ନିଜକୁ ସମର୍ପିତ କରିଥିବାବେଳେ ଗର୍ଭରେ ବଢୁଛି ୮ ମାସର ଶିଶୁ | ଯେଉଁ ସମୟରେ ଜଣେ ଗର୍ଭବତୀ ମହିଳା ଭାବରେ ବିଶ୍ରାମ ନେବା କଥା ସେହି ମୁହୂର୍ତ୍ତରେ ଛତିଶଗଡ଼ର ଘନ ଜଙ୍ଗଲରେ ଅପରେସନ କରୁଛନ୍ତି କମାଣ୍ଡୋ ସୁନୟନା | ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ବିରୋଧରେ ଲଢ଼ୁଛନ୍ତି ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ମହିଳା ଯବାନ ସୁନୟନା ପଟେଲ |

କାଳୁ କ୍ୟାମ୍ପରୁ ଓଜନିଆ ବ୍ୟାଗ ସହ ଇନସାସ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲ ଅଭିମୁଖେ ବାହାରି ପଡନ୍ତି ସୁନୟନା ଓ ତାଙ୍କ ଦଳ | ଦିନ ଯାକ ଜଙ୍ଗଲ ମଧ୍ୟରେ ବୁଲି ମାଓ କ୍ୟାମ୍ପକୁ ଖୋଜନ୍ତି, ଯେଉଁଦିନ ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ମିଳେ ସୁନୟନାଙ୍କ ବନ୍ଧୁକର ଗୁଳି ଏହାର ଜବାବ ଦିଏ | ଲଗାତାର ଗୁଳିବର୍ଷଣ କରି ଶତ୍ରୁପକ୍ଷଙ୍କୁ ମାତ ଦିଅନ୍ତି ଏହି ଭାବି ମା | ସୁନୟନାଙ୍କ କ୍ଷେତ୍ରରେ ଥରେ ଏମିତି ବି ଘଟଣା ଘଟିଥିଲା | ଯେଉଁଦିନ ସେ ମାଓ ଅପରେସନ ସମୟରେ ଜଙ୍ଗଲରେ ଥିବାବେଳେ ପଡିଯାଇଥିଲେ | ଏଥିରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥିଲା | ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ ବି ସେ ଛୁଟି ନେବାକୁ ମନା କରିଦେଇଥିଲେ |

ଯେତେବେଳେ ମୁଁ ଦୁଇ ମାସର ଗର୍ଭବତୀ ହୋଇଥିଲି ସେବେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡରେ ଯୋଗ ଦେଇଥିଲି | ସେଦିନ ଠାରୁ କୌଣସି ଦିନ ଛୁଟି ନେବା କଥା ଭାବିନାହିଁ | ଯେଉଁଦିନ ଯାହା ବି କାମ ଦିଆଯାଏ, ତାହାକୁ ଖୁସିର ସହ ମୁଁ କରିଥାଏ |

ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଵ କହିଛନ୍ତି ଯେ ସୁନୟନାଙ୍କ ପ୍ୟାଟ୍ରୋଲିଙ୍ଗ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଦେଇଥାଏ | ଗର୍ଭରେ ନିଜର ଶିଶୁକୁ ଧରି ଯେତେବେଳେ ସେ କମାଣ୍ଡର ଭାବେ ଦାୟିତ୍ୱ ନେଇଥିଲେ ତାଙ୍କୁ ଦେଖି ଅଧିକ ସଂଖ୍ୟାରେ ମହିଳା ମାଓବାଦୀଙ୍କ ଅପରେସନରେ ନିଜକୁ ସାମିଲ କରିଥିଲେ |

ସମ୍ବନ୍ଧିତ ଖବର