ଉପାନ୍ତରେ ଜନନୀ ଯନ୍ତ୍ରଣା, ଗାଁକୁ ଯାଇ ପାରିଲାନି ଆମ୍ବୁଲାନସ୍‌, ୪ କିମି ଭାରରେ ବୁହା ହୋଇ ଆସିଲେ ପ୍ରସୂତୀ

୧୨ ଘଣ୍ଟାର ଯନ୍ତ୍ରଣା ପରେ ଘରେ ଜନ୍ମ ଦେଲେ ଶିଶୁ ପୁତ୍ର

ରାୟଗଡ଼ା: ପାହାଡ଼ିଆ ରାସ୍ତା ଯୋଗୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍‌ସ। ୧୨ ଘଣ୍ଟା ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ପୁତ୍ର ସନ୍ତାନଙ୍କୁ ଘରେ ଜନ୍ମ ଦେଲେ ଗର୍ଭବତୀ। ଗାଁ ଲୋକ ୪ କିମି ଭାରରେ ମାଆ ଓ ନବଜାତ ଛୁଆକୁ ବୋହି ଆଣିବା ପରେ ଅଧା ରାସ୍ତାରୁ ୧୦୨ ଆମ୍ବୁଲାନସରେ ମେଡ଼ିକାଲକୁ ଅଣାଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଉପାନ୍ତ ଅଞ୍ଚଳ ଦୁମୁକୁପାଡୁ ଗାଁର ପ୍ରସୂତୀ ସାବିତ୍ରୀ ତାଡିଙ୍ଗଙ୍କ କ୍ଷେତ୍ରରେ। ପ୍ରାଥମିକ ଚିକିତ୍ସା ପରେ ସାବିତ୍ରୀ ଓ ଛୁଆ ଉଭୟେ ସୁସ୍ଥ ଥିବା ବେଳେ ଘଟଣାକୁ ନେଇ ତନାଘନା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ।

କୋଲନରା ବ୍ଲକ୍‌ ସଦର ମହକୁମାରୁ ୧୭ କିମି ଦୂରରେ ରହିଛି ଦୁମୁକୁପାଡୁ ଗାଁ। କୋଲନରାରୁ ଲାଲବି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସଂପୂର୍ଣ ହୋଇଥିବା ବେଳେ ଲାଲବିରୁ ଦୁମୁକୁପାଡୁ ୪ କିମି ପାହାଡିଆ ଅଞ୍ଚଳ ଯୋଗୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଗତକାଲି ସଂଧ୍ୟାରେ ଗ୍ରାମର ସାବିତ୍ରୀ ତାଡିଙ୍ଗ୍‌ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ରାତି ୭ଟାରେ ୧୦୨ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ଜଙ୍ଗଲିଆ ରାସ୍ତା ଯୋଗୁ ରାତିରେ ଆମ୍ବୁଲାନ୍‌ସ ଯାଇ ପାରିବନି ବୋଲି ଆମ୍ବୁଲାନ୍‌ସ କର୍ମଚାରୀ ମନା କରିବା ପରେ ନିରୁପାୟ ହୋଇ ସାବିତ୍ରୀଙ୍କ ପରିବାର ଲୋକ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ରାତି ତମାମ ଗର୍ଭ ଯନ୍ତ୍ରଣାରେ ସାବିତ୍ରୀ ଛଟପଟ ହେବା ପରେ ସକାଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ସକାଳ ୭ଟାରେ ଗାଁଠୁ ୪ କିମି ଦୂର ଲାଲବିରେ ୧୦୨ ଆମ୍ବୁଲାନ୍‌ସ ପହଞ୍ଚିଥିଲା। ଆମ୍ବୁଲାନ୍‌ସ ଆସିବା ଖବର ପାଇ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକ ଭାରରେ ସାବିତ୍ରୀଙ୍କୁ ପାହାଡ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରାମର ସମସ୍ତ ଲୋକ କାମଧନ୍ଧାକୁ ଚାଲି ଯାଇଥିବାରୁ ବହୁ କଷ୍ଟରେ ପରିବାର ଲୋକ ସାବିତ୍ରୀକୁ ଭାରରେ ପାହାଡ ତଳକୁ ଓହ୍ଲାଇ ସକାଳ ସାେ ୧୦ଟାରେ ଲାଲବି ଗାଁରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ସାବିତ୍ରୀ ଓ ନବଜାତ ଶିଶୁ ପୁତ୍ରକୁ ସେଠାରୁ ଆମ୍ବୁଲାନ୍‌ସ ଯୋଗେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ମେଡ଼ିକାଲ୍‌ ଅଫିସର୍‌ ଜି. ଶୈଳଜା ପ୍ରସୂତୀ ସାବିତ୍ରୀ ଓ ନବଜାତ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରାଥମିକ ଚିକିତ୍ସା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ମେଡ଼ିକାଲ୍‌ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜନନୀ ଯନ୍ତ୍ରଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି। ଗତକାଲି ରାତିରେ କାହିଁକି ଆମ୍ବୁଲାନସ୍‌ ଯିବା ପାଇଁ ମନା କଲା ତାକୁ ନେଇ ତଦନ୍ତ କରୁଛି ସ୍ୱାସ୍ଥ୍ୟ ବିଭାଗ। ଦୁମୁକୁପାଡୁ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ନେବା ଆଣିବା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଷ୍ଟ୍ରେଚର ପ୍ରଦାନ କରାଯାଇଛି। କିନ୍ତୁ ଓଜନ ଯୋଗୁ ଉକ୍ତ ଷ୍ଟ୍ରେଚରକୁ ଗ୍ରାମବାସୀ ଗାଁକୁ ନ ନେଇ ଲାଲବି ଉପକେନ୍ଦ୍ରରେ ରଖିଛନ୍ତି। ଯେଉଁଥି ପାଇଁ ପ୍ରସୂତୀକୁ ଭାରରେ ବୋହି ଆଣିବାକୁ ପଡ଼ିଲା।

ଗତ ୨ ଦିନ ତଳେ କାଶୀପୁର ବ୍ଲକ୍‌ କୋଡିପାର୍‌ ପଞ୍ଚାୟତର ଅଡାଜାଲ୍‌ ଗ୍ରାମରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଗାଁକୁ ରାସ୍ତା ନଥିବାରୁ ପ୍ରସୂତୀକୁ ୩ କିମି ବୋହି ଆଣିବା ପରେ କାଶୀପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର