ଆନ୍ଧ୍ରରୁ ଲୁଚି ଟ୍ରକରେ ଆସିଥିଲେ ୬୦ ଜଣ ଶ୍ରମିକ, ବୀରମିତ୍ରପୁରରେ ଧରିଲା ପୁଲିସ, ଡ୍ରାଇଭର ଗିରଫ

ରାଉରକେଲା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ଲୁଚିକରି ଆସିଥିବା ଝାଡ଼ଖଣ୍ଡର ଗଡ଼ବା ଜିଲ୍ଲାର ୬୦ ଜଣ ଶ୍ରମିକ ବୁଧବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୁଲିସ ନିକଟରେ ଧରାପଡ଼ିଛନ୍ତି । ଶ୍ରମିକମାନେ ଝାଡ଼ଖଣ୍ଡ ଯାଇଥାନ୍ତେ । କିନ୍ତୁ ଟ୍ରକର ଚାଳକ ପୁଲିସକୁ ଦେଖି ପୁରୁଣାପାଣି ଠାରେ ସମସ୍ତ ଶ୍ରମିକଙ୍କୁ ଛାଡ଼ି ଦେଇ ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୁଲିସର ନଜର ଟ୍ରକ ଉପରେ ପଡ଼ିଥିଲା ।

ସୂଚନା ଅନୁସାରେ ସମଗ୍ର ଭାରତରେ ଲକଡାଉନ ହେବା ପରେ ଯାତାୟତ ଠପ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କାର୍ଯ୍ୟରତ ୬୦ ଜଣ ଶ୍ରମିକ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଯାଉଥିବା ବେଳେ, ସେମାନେ ଝାଡ଼ଖଣ୍ଡ ଆସୁଥିବା ଏକ ଟ୍ରକ ସହିତ ଯୋଗାଯୋଗ କରିଥିଲେ । ଶ୍ରମିକମାନେ ଜଣ ପିଛା ୨ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହା ପରେ ଟ୍ରକ ଡ୍ରାଇଭର ସମସ୍ତଙ୍କୁ ନେଇ ଝାଡ଼ଖଣ୍ଡ ଅଭିମୁଖେ ବାହାରିଥିଲା ।

ତେବେ ଆଜି ଟ୍ରକଟି ପୁରୁଣାପାଣି ଠାରେ ପହଞ୍ଚିବା ପରେ ଡ୍ରାଇଭର ପ୍ରଥମେ ଜଣେ ପୁଲିସକୁ ଦେଖି ଡରି ଯାଇଥିଲେ । ସେ ଆଉ ଆଗକୁ ଟ୍ରକଟିକୁ ବଢ଼ାଇ ନଥିଲେ । ପୁଲିସ ଟ୍ରକକୁ ଜବତ କରିଛି । ଏଥି ସହ ୩୦ ହଜାର ଟଙ୍କା ଜବତ କରି ଡ୍ରାଇଭରକୁ ଗିରଫ କରିଛି । ପୁଲିସ ସମସ୍ତ ଶ୍ରମିକଙ୍କୁ ପୁରୁଣାପାଣି ହାଇସ୍କୁଲରେ ରଖିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର