‘ତାରା’ରେ ଅଭିନୟ ପାଇଁ ଆସିଥିଲେ ଇରଫାନ୍‌, ରିଷିଙ୍କ ସହ ୩ ବର୍ଷ ଧରି ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଇର୍‌ଫାନ ଖାନ୍‌ଙ୍କ ଅଭିନୟ ଚାତୁରୀକୁ ନେଇ ସମଗ୍ର ଦେଶ ତାଙ୍କୁ ନମନ କରୁଛି। ମାତ୍ର ଅନେକ ହୁଏତ ଜାଣି ନଥିବେ, ସେ ବି ଏକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଓଡ଼ିଆ ଝିଅ ଡଲି (ବିଜୟା) ଜେନାଙ୍କ ସହ ୧୯୯୧ ମସିହାରେ ନିର୍ମିତ ‘ତାରା’ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ମାତ୍ର ଅଳ୍ପ କିଛି ଦୃଶ୍ୟର ସୁଟିଂ ପରେ ଇର୍‌ଫାନଙ୍କ ଭଉଣୀଙ୍କ ଦେହ ଖରାପ ହେବାରୁ ସେ ଘରକୁ ଚାଲି ଯାଇଥିଲେ। ଯଦିଓ ସେ କିଛି ଦୃଶ୍ୟରେ ଅଭିନୟ କରିଥିଲେ, କିନ୍ତୁ ପରବର୍ତୀ ସମୟରେ ତାଙ୍କ ସ୍ଥାନରେ ଆଉ ଜଣେ କଳାକାରଙ୍କୁ ନିଆଯାଇଥିଲା। ତେଣୁ ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲେ ବି ସେଥିରେ ଇର୍‌ଫାନଙ୍କୁ ଦେଖିବାକୁ ମିଳି ନଥିଲା।

ଡଲି ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମୁଁ ଇର୍‌ଫାନଙ୍କ କାମ ଆଗରୁ ଦେଖି ନଥିଲି। ମାତ୍ର‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋବିନ୍ଦ ନିହଲାନି ହିଁ ମତେ ଇର୍‌ଫାନଙ୍କ କଥା କହିଥିଲେ। ତେଣୁ ଆମେ ଭୁବନେଶ୍ବର ଆସି ତତ୍କାଳୀନ ବନ ନିଗମ ଅଧ୍ୟକ୍ଷ ଅଇଁଠୁ ସାହୁଙ୍କ ବିଜେବି ନଗରସ୍ଥିତ ବାସଭବନରେ ରହିଥିଲୁ। ମୁଁ, ଇରଫାନ୍‌ ଓ ନିଳାଭ କୌଲ୍ ଆସି ସେଠାରେ ରହିଥିଲୁ। କଳିଙ୍ଗ ଷ୍ଟୁଡିଓରେ ସୁଟିଂ ମଧ୍ୟ କରିଥିଲୁ। ମାତ୍ର କିଛି ଦୃଶ୍ୟ ସୁଟିଂ ବେଳେ ଏକ ଦୃଶ୍ୟକୁ ନେଇ ମତ ନମିଶିବାରୁ ମନୋମାଳିନ୍ୟ ହୋଇଥିଲା। ତେବେ ଏହା ସମାଧାନ ହୋଇଯାଇଥିଲା। ମାତ୍ର ତାଙ୍କ ଭଉଣୀଙ୍କ ଦେହ ଖରାପ ‌ଖବର ଆସିବା ପରେ ଇର୍‌ଫାନ ଫେରି ଯାଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ବେଳେ ଯେବେ ମୁଁ ସୁଟିଂ ଆରମ୍ଭ କରିବା ପାଇଁ ଯୋଜନା କରୁଥିଲି, ଇର୍‌ଫାନ ମତେ ଫୋନ କରି ସୁଟିଂରେ ସାମିଲ୍ ହେବା ପାଇଁ କହିଥିଲେ। ମାତ୍ର ମୁଁ ମନା କରିଦେଇଥିଲି ବୋଲି କହିଛନ୍ତି ବିଜୟା।

ରିଷିଙ୍କ ସହ ୩ ବର୍ଷ ଧରି ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି
ଭୁବନେଶ୍ବର,: ଜଣେ ଅଭିନେତା ଭାବେ ନୁହେଁ, ବରଂ ଜଣେ ପ୍ରଶଂସକ ଭାବେ ଋଷି କପୁରଙ୍କ ସହ ବ୍ୟକ୍ତିଗତ ଭାବେ ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି। ତେ‌ବେ ଏହା କେବଳ ଏକପାଖିଆ ନଥିଲା, ରିଷି ମଧ୍ୟ ପ୍ରତ୍ୟୁତ୍ତର ଦେବାକୁ ଭୁଲୁ ନଥିଲେ। କରୋନା ଲଢ଼େଇ ଉଦ୍ଦେଶ୍ୟରେ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପ ଜଳାଇବା ପାଇଁ କହିଲେ, ସେଇ ଏପ୍ରିଲ୍‌ ୭ ତାରିଖରେ ମଧ୍ୟ ବୁଦ୍ଧାଦିତ୍ୟ ଏ ବିଷୟରେ ରିଷିଙ୍କ ସହ ଚାଟିଂ କରିଥିଲେ। ୨୦୧୭ମଧ୍ୟଭାଗରୁ ଏ ପର୍ଯ୍ୟନ୍ତ ବୁଦ୍ଧାଦିତ୍ୟ ୧୫ ଦିନ ଲେଖାଏଁ ଅନ୍ତରରେ ତାଙ୍କୁ କିଛି କିଛି ବାର୍ତ୍ତା ପଠାଉଥିଲେ।

ବୁଦ୍ଧାଦିତ୍ୟ କହିଛନ୍ତି, ସେ ବହୁତ ମୁଡ଼ି ଓ ହସଖୁସିର ମଣିଷ ଥିଲେ। ଯେବେ ୧୦୧ ନଟ୍‌ଆଉଟ୍‌ ଚଳଚ୍ଚିତ୍ର ଆସିଥିଲା, ମୁଁ ତାଙ୍କ ଅଭିନୟ ଓ ମୁଖଭଙ୍ଗୀକୁ ନେଇ ଲେଖିଥିଲି। ସେ ଜବାବରେ କହିଥିଲେ, ତୁମେ ଏତେ ଅବଜ‌ରଭେସନ୍‌ କରୁଛ। ସେହିଭଳି ତାଙ୍କର ‘ସାଗର’ ଚଳଚ୍ଚିତ୍ରରେ ଏକ ଦୃଶ୍ୟକୁ ବାଦ୍‌ ଦିଆଯାଇଥିବା ବେଳେ ଯେବେ ସେଇ ବାଦ୍‌ ଦିଆଯାଇଥିବା ଦୃଶ୍ୟକୁ ମୁଁ ତାଙ୍କ ନିକଟକୁ ପଠାଇଥିଲି ସେ କହିଥିଲେ, ମୁଁ ବି କାହିଁକି କେବେ ଏ ବିଷୟରେ ଚିନ୍ତା କରିନାହିଁ ତ? ଏମିତି ଥିଲେ ରିଷି ସାର୍‌। ଚଳିତବର୍ଷ ହୋଲି ଓ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଆସୁଥିଲି। ରିଷି ସାର୍‌ଙ୍କ ସହ ମୋ’ର ଏକ ବ୍ୟକ୍ତିଗତ ସମ୍ପର୍କ ହୋଇ ଆସୁଥିବା ବେଳେ ସେ ଦୁନିଆ ଛାଡ଼ି ଚାଲିଯିବା, ମତେ ମୋ ପରିବାରର ଜଣକୁ କାହାକୁ ହରାଇବା ଭଳି ‌ମନେ ହେଉଛି। ମୁଁ ତାଙ୍କ ଭିତରେ ଚାର୍ଲି ଚାପ୍‌ଲିନ୍‌, ଶମି କପୁର, ଶଶି କପୁର, ରାଜ କପୁର ଏବଂ ଏବେର ଗୋବିନ୍ଦା ଓ ଶାହରୁଖଙ୍କୁ ଅନୁଭବ କରିଛି। ତାଙ୍କର ଖୋଲା ଓ ହସମୁଖ ମନ ପାଇଁ ସେ ମୋର ସବୁବେଳେ ମନେ ରହିବେ।

‘ତାରା’ର ସମ୍ପାଦନା କରିଥିବା ଗଦାଧର ପୁଟ୍ଟି କହିଛନ୍ତି, ୧୯୯୧ ମସିହା ଜାନୁଆରି ମାସ ଶେଷ ସପ୍ତାହ ଆଡ଼କୁ ମୋ ବନ୍ଧୁ ବିଜୟା ଜେନାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ତାରା’ର ସୁଟିଂ କଳିଙ୍ଗ ଷ୍ଟୁଡିଓରେ ଚାଲିଥିବା ବେଳେ ମୁଁ ସୁଟିଂ ସେଟ୍‌କୁ ଆସିଥିଲି। ବିଜୟା ନିଜେ ଇର୍‌ଫାନଙ୍କ ପରିଚୟ ମୋ’ ସାଙ୍ଗେ କରେଇ ଦେଇଥି‌ଲେ। ଇର୍‌ଫାନଙ୍କୁ ବି ମୋର ପରିଚୟ କରେଇ ଦେଇଥିଲେ। ସେଇ ସମୟ‌ରେ ହିଁ ତାଙ୍କ ଆଖିରେ ଶ୍ରଦ୍ଧା ଓ ସମ୍ମାନ ଦେଖିଥିଲି। ଅଣଓଡ଼ିଆ ହୋଇଥିବାରୁ ବେଳେବେଳେ ଇର୍‌ଫାନ ମୋ ପାଖକୁ ଆସି କିଛି ଓଡ଼ିଆ ଶବ୍ଦର ଅର୍ଥ ବୁଝି ଯାଉଥିଲେ। କହୁଥିଲେ ଭାବର ପରିପ୍ରକାଶ ପାଇଁ ଏହା ମତେ ସହଯୋଗ କରୁଛି। ଇର୍‌ଫାନ ବହୁତ ଶାନ୍ତ ଓ ନମ୍ର। ସୁଟିଂ ପୂର୍ବରୁ ନିର୍ଦେଶିକାଙ୍କ କଥାକୁ ଏକାଗ୍ର ହୋଇ ଶୁଣିବା ପରେ ସେ ଅଭିନୟ କରୁଥିଲେ। ସେଦିନ ସେଟ୍‌ରେ ୫ଘଣ୍ଟା ରହିବା ଭିତରେ ମୋର ତାଙ୍କ ସହ ପ୍ରଥମ ଓ ଶେଷ ଭେଟ ଥିଲା। ତାଙ୍କ ଅତୁଳନୀୟ ପ୍ରତିଭା ପାଇଁ ସେ ସମସ୍ତଙ୍କ ହୃଦୟରେ ରହିଥିବେ ବୋଲି ଶ୍ରୀ ପୁଟ୍ଟି କହିଛନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ମଧ୍ୟ ସେ ଓଡ଼ିଆ ଚଳଚ୍ଚିତ୍ରର ଅଂଶୀଦାର ନଥିଲେ। ମାତ୍ର ଦିନେ ଏଇ କଳିଙ୍ଗ ଷ୍ଟୁଡିଓରେ ଏହି ମହାନ ଅଭିନେତା ଓଡ଼ିଆରେ କିଛି ସଂଳାପ ଉଚ୍ଚାରଣ କରିଥିଲେ।

ସମ୍ବନ୍ଧିତ ଖବର