‘ଲକ୍‌ଡାଉନ୍‌’ କାଳରେ ନୂଆ ଅଘଟଣ

ଝରକା

ଦୀର୍ଘ ପ୍ରାୟ ଚାଳିଶ ଦିନର ‘ଲକ୍‌ଡାଉନ୍‌’ ସମୟରେ ବିଭିନ୍ନ ସ୍ଥାନରେ ଛୋଟ ପିଲାମାନେ ଚକ୍ଷୁରେ ଆଘାତ ନେଇ ଡାକ୍ତରଖାନା ଆସୁଥିବାର ଦେଖିବାକୁ ମିଳୁଛି। ଅନେକ ସମୟରେ ଆଘାତ ଗୁରୁତର ଥିବାର ମଧ୍ୟ ଦେଖାଯାଉଛି। ଜଣାପଡ଼ିଛି ଯେ କେବଳ ହ୍ରାଇଦ୍ରାବାଦରେ ଏହିଭଳି ୧୨ ଜଣ ବାଳକ ବାଳିକା ବିଭିନ୍ନ ଚକ୍ଷୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାର କାରଣ ଟେଲିଭିଜନରେ ପ୍ରସାରିତ ହେଉଥିବା ‘ରାମାୟଣ’ ଓ ‘ମହାଭାରତ’ ଭଳି ଧାରାବାହିକର ପ୍ରଭାବ ବୋଲି ଆଖି ଡାକ୍ତରମାନେ କହିଛନ୍ତି।

ଏହି ଦୁଇ ପୌରାଣିକ ଧାରାବାହିକରେ ଧନୁ ଓ ତୀର ଚାଳନା ପ୍ରାଧାନ୍ୟ ପାଇଥିବାରୁ ତାହା ଦ୍ବାରା ପ୍ରଭାବିତ ପିଲାମାନେ ଘରେ ଧନୁ ଓ ତୀର ତିଆରି କରି ମିଛିମିଛିକା ଯୁଦ୍ଧ ଖେଳ ଖେଳୁଛନ୍ତି, ଯହିଁରୁ ଆଘାତ ଲାଗୁଛି। ପିଲାମାନେ ତୀର ଲାଗି ସହଜରେ ଉପଲବ୍‌ଧ ଖଡ଼ିକା ଝାଡୁର ମୁନିଆ କାଠି ବ୍ୟବହାର କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏଲ୍.ଭି. ପ୍ରସାଦ ଚକ୍ଷୁ ଡାକ୍ତରଖାନାର ଜନୈକ ଡାକ୍ତର କହନ୍ତି ଯେ ଆଜିକୁ କୋଡ଼ିଏ ବର୍ଷ ପୂର୍ବରୁ ଏହି ଦୁଇ ଧାରାବାହିକର ପ୍ରସାରଣ ଚାଲିଥିବା ବେଳେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ତାର ହାରରେ ବୃଦ୍ଧି ଘଟିଛି। ‘ଲକ୍‌ଡାଉନ୍‌’ କାରଣରୁ ପିଲାମାନେ ବାହାରକୁ ଖେଳିବାକୁ ଯାଇ ପାରୁ ନ ଥିବାରୁ ବନ୍ଦ ଘରର ସୀମିତ ପରିସରରେ ଧନୁ ଓ ତୀର ଖେଳରେ ମାତୁ ଥିବାରୁ ଏଭଳି ଆଘାତର ଆଶଙ୍କା ବୃଦ୍ଧି ପାଇଛି। ଏବଂ ଉଦ୍‌ବେଗଜନକ କଥା ହେଲା ଏଭଳି ମିଛିମିଛିକା ଖେଳରୁ ଅନେକ ପିଲାଙ୍କ ଚକ୍ଷୁ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଉଛି। ‘ଲକ୍‌ଡାଉନ୍’ ସମୟରେ ଏହା ଏକ ନୂଆ ଅଘଟଣ ରୂପେ ମୁଣ୍ଡ ଟେକିଛି।

ସମ୍ବନ୍ଧିତ ଖବର