ମାତୃତ୍ବର ପ୍ରମାଣ ଦେବ ଡିଏନଏ ଟେଷ୍ଟ୍: ଶିଶୁପୁତ୍ରଙ୍କ ମୃତ୍ୟୁ ଖୋଲିଲା ପିଆରଏମ୍ ଶିଶୁ ବିଭାଗ ଅବ୍ୟବସ୍ଥାର ଗୁମର

ଡାଟା ଏଣ୍ଟ୍ରି ଅପରେଟର୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି, ବଡ଼ମୁଣ୍ଡଙ୍କୁ ଖସାଇବାକୁ ମସୁଧା

ବାରିପଦା: ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ସାଂଘାତିକ ତ୍ରୁଟିର ଗୁମର ଖୋଲିଛି ଜନୈକ ୧୭ଦିନର ଶିଶୁପୁତ୍ରର ମୃତ୍ୟୁ। ଭୁଲରେ ଜଣଙ୍କର ସନ୍ତାନଙ୍କୁ ଆଉ ଜଣେ ଅଭିଭାବକ ନେଇଯାଇଥିବା ପିଆରଏମ୍ ଶିଶୁ ବିଭାଗ ମୁଖ୍ୟ ଡ. ପ୍ରଭାକର ମିଶ୍ର ସୂଚନା ଦେଇଛନ୍ତି। ସମାନ କଥାକୁ ଦୋହରାଇଛନ୍ତି ପିଆରଏମ ଅଧୀକ୍ଷକ ଡ. ବି ଏନ୍ ମହାପାତ୍ର। ତେବେ କିପରି ଏପରି ହେଲା ସେନେଇ କେହି କିନ୍ତୁ ମୁହଁ ଖୋଲିବାକୁ ନାରାଜ। ଅନ୍ୟପକ୍ଷରେ ଜଣେ ଶିଶୁପୁତ୍ରଙ୍କ ଅଭିଭାବକ ଏପରି କରିଥିବା ଓଲଟା ଦୋଷ ଲଦିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣାରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ମାତ୍ର ଏହି ଘଟଣାରେ ସଂପୃକ୍ତ କିଛି ବଡ଼ ମୁଣ୍ଡଙ୍କୁ ଖସାଇବାକୁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି। ଘଟଣା ଅନୁସାରେ ଗତମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରି ପିଆରଏମରେଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ଉକ୍ତ ଶିଶୁର ଓଜନ ପ୍ରାୟ ୩କେଜିରୁ ଊର୍ଧ୍ବ ଥିଲା। ଶିଶୁ ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା।

ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁଇ ମା’ଙ୍କର ନାମ ସମାନ ଥିବାରୁ ସମସ୍ୟା ଉପୁଜିଛି। ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା। ମାତ୍ର ଡିସ୍ଚାର୍ଯ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବିକାର କରିଛନ୍ତି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ।

ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ଗତକାଲି(୧୧ ତାରିଖରେ) ମୃତ୍ୟୁବରଣ କରିଥିଲେ। ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା। ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା। ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ। ଯାହାକୁ ନେଇ ଶିଶୁ ବିଭାଗରେ ଭାଳେଣି ପଡ଼ିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅସଲ ଘଟଣା। ଟୀକା ଦିଆଯିବା କଥା କହି କାର୍ତ୍ତିକଙ୍କୁ ଶିଶୁପୁତ୍ରକୁ ହସ୍ପିଟାଲ ଆଣିବାକୁ କହି ଗତକାଲି ପ୍ରାୟ ଅପରାହ୍ନ ସାଢ଼େ୪ଟାରେ ଡକାଯାଇଥିଲା। କାର୍ତ୍ତିକ ମଧ୍ୟ ଉକ୍ତ ଶିଶୁପୁତ୍ର ସହିତ ହସ୍ପିଟାଲ ଆଣିବା ପରେ ଏସ୍ଏନସିୟୁ ଭିତରକୁ ନେଇଯାଇଥିଲେ ଶିଶୁ ବିଭାଗ କର୍ମଚାରୀ।

କିଛି ସମୟ ପରେ ତାଙ୍କ ଶିଶୁପୁତ୍ର ମରିଯାଇଥିବା କୁହାଯାଇଥିବା କାର୍ତ୍ତିକ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗତକାଲି ସନ୍ଧ୍ୟାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗିରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା। କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିଆରଏମ୍ ଅଧୀକ୍ଷକ ଏବଂ ଶିଶୁ ବିଭାଗ ମୁଖ୍ୟ। ସେମାନଙ୍କ କହିବା ଅନୁଯାୟୀ ମରିଯାଇଥିବା ଶିଶୁପୁତ୍ରଟି ହେଉଛି ଅସଲରେ କାର୍ତ୍ତିକଙ୍କର। ଏବଂ କାର୍ତ୍ତିକ ନେଇଯାଇଥିବା ଶିଶୁପୁତ୍ର ବାସ୍ତବରେ ବ୍ରଜମୋହନଙ୍କର। ଡିସଚାର୍ଜ ବେଳେ ହୋଇଥିବା ତ୍ରୁଟି କାରଣରୁ ଏପରି ହୋଇଛି।

ମାତ୍ର ଏହାକୁ ଖଣ୍ଡନ କରିଛନ୍ତି କାର୍ତ୍ତିକ ସିଂ। ତାଙ୍କ ଶିଶୁପୁତ୍ରକୁ ଅଦଳବଦଳ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶିଶୁ ବିଭାଗର କର୍ମଚାରୀ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୃତ ଶିଶୁପୁତ୍ରଟିକୁ ସଂରକ୍ଷିତ କରି ରଖାଯାଇଛି। ଡିଏନ୍ଏ ପରୀକ୍ଷା ପାଇଁ ସାମ୍ପଲ୍ ସଂଗ୍ରହ ପରେ ଶବ ବ୍ୟବଚ୍ଛେଦ କରାଯିବବୋଲି ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି। ସେହିପରି ଜୀବିତ ଥିବା ଶିଶୁପୁତ୍ରକୁ ଏସ୍ଏନସିୟୁରେ ରଖାଯାଇଛି। ଡିଏନ୍ଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଉକ୍ତ ଜୀବିତ ଶିଶୁକୁ କାହାକୁ ହସ୍ତାନ୍ତର କରାଯିବ ନାହିଁବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ଶିଶୁ ବିଭାଗ ମୁଖ୍ୟ ଡ. ପି ମିଶ୍ରଙ୍କ ନେତୃତ୍ବରେ ଗୋଟିଏ ଏବଂ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଆଉ ଏକ ଟିମ୍ ଗଢ଼ାଯାଇଥିବା ଅଧୀକ୍ଷକ ଡ. ବି ଏନ୍ ମହାପାତ୍ର ସୂଚନା ଦେଇଛନ୍ତି। ଡିଏନ୍ଏ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ କେଉଁ ଶିଶୁର ମା’ କିଏ। ଏହି ଘଟଣାକୁ ଆଜି ଦିନତମାମ ବାରିପଦାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିପରି ଏବଂ କେଉଁ ପରିସ୍ଥିତିରେ ଶିଶୁ ଅଦଳବଦଳ ହେଲା ଏବଂ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଜଣାପଡ଼ିଲାନାହିଁ ତାହା ତଦନ୍ତସାପେକ୍ଷ। ଯଦି ଏକ ଶିଶୁ ମୃତ୍ୟୁବରଣ କରିନଥାଆନ୍ତା ତେବେ ଏହି ଘଟଣା ବ‌ୋଧହୁଏ ପଦାକୁ ଆସିପାରନଥାଆନ୍ତା। ବ୍ୟବସ୍ଥାରେ ଏହା ଏକ ସାଂଘାତିକ ତ୍ରୁଟି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର