ବାଲେଶ୍ୱରରେ ଶହେ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ଦ୍ବିତୀୟ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଲା ଜିଲ୍ଲା

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାରୁ ପୁଣି ଯେଉଁ ନୂଆ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୨ ଜଣ ଆକ୍ରାନ୍ତଙ୍କ ଭିତରୁ ବାଲେଶ୍ୱର ଟାଉନରୁ ୨ଜଣ, ବାଲିଆପାଳରୁ ୪, ବାହାନାଗାରୁ ୩ ଓ ସିମୁଳିଆରୁ ୩ ଚିହ୍ନଟ ହୋଇଛନ୍ତି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ଗଞ୍ଜାମ ପରେ ବାଲେଶ୍ୱର ଜିଲ୍ଲା ଦ୍ବିତୀୟ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ଭାବେ ପରିଗଣିତ ହୋଇଛି।
ଜିଲ୍ଲାରେ କରୋନା ଆକ୍ରାନ୍ତ ବ୍ଲକ ତାଲିକାରେ ଆଜି ବାଲିଆପାଳ ସାମିଲ ହୋଇଛି। ସେପଟେ ବାଲେଶ୍ୱର ସହରର ଦୁଇଟି ମାମଲା ମଧ୍ୟରୁ ଜଣେ ଜିଲ୍ଲାରୁ ପ୍ରଥମେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ। ସେ ମଧ୍ୟ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଆଜି ପୁଣିଥରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ଜଣେ ରୋଗୀ ହେଲେ ମାଣିଖମ୍ବ ଅଞ୍ଚଳର ଯୁବକ। ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି।

ବାଲେଶ୍ୱରରୁ ଠାବ ହୋଇଥିବା ୧୨ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ତେବେ ସମସ୍ତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ମହାରାଷ୍ଟ୍ର ଫେରନ୍ତା ହୋମ୍ କ୍ୱାରେଣ୍ଟିନରେ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର