ଲକ୍‌ଡାଉନ୍‌ ପ୍ରଭାବ : ‌‌ଦ୍ବୈତନଗରୀ‌ରେ କମିଛି ଦୁର୍ଘଟଣା

ମାସକୁ ହାରାହାରି ରାଜଧାନୀରେ ୧୩, କଟକରେ ୭ ଜଣଙ୍କ ମୃତ୍ୟୁ

ଏପ୍ରିଲରେ ଭୁବନେଶ୍ବରରେ ୬, କଟକରେ ୬ ମୃତ
କମିଛି ବେପରୁଆ, ମଦ୍ୟପାନ ଜନିତ ଦୁର୍ଘଟଣା

ଭୁବନେଶ୍ବର, (ଶୁଭକାନ୍ତ ପଢ଼ିହାରୀ): କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲେ ହେଁ କିଛି କ୍ଷେତ୍ରରେ ଏହା ମାନବ ସମାଜ ପାଇଁ ବରଦାନ ପାଲଟିଛି। କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ପରିବେଶ ସ୍ବଚ୍ଛ ହେବା ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଦେଶରେ ଦୁର୍ଘଟଣା କମାଇବା ପାଇଁ ନୂଆ ନିୟମକାନୁନ ଯାହା କରିପାରିନଥିଲା, କରୋନା ଯୋଗୁଁ ତାହା ସମ୍ଭବ ହୋଇପାରିଛି। ଲକ୍‌ଡାଉନ୍‌ ସମୟରେ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମି ଥିବାରୁ ବହୁ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

jang.com.pk

ଏହି ପରିପ୍ରେକ୍ଷୀରେ ଦ୍ବୈତନଗରୀରେ ଘଟିଥିବା ଦୁର୍ଘଟଣା ସଂଖ୍ୟା ଉପରେ ନଜର ପକାଇଲେ, ପୂର୍ବ ତୁଳନାରେ ଯଥେଷ୍ଟ ଫରକ ଦେଖିବାକୁ ମିଳିଛି। କମିସନରେଟ୍‌ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଜିଲ୍ଲାରେ ୬୫୦ଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୧୨ଜଣଙ୍କ ଜୀବନ ଯାଇଥିଲା। ଜାତୀୟ ରାଜପଥରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସହର ଭିତରେ ୧୧୧ ଜଣଙ୍କର ଜୀବନ ଯାଇଥିଲା। ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା। ଯଦି ମୃତ୍ୟୁ ସଂଖ୍ୟାର ମାସିକ ହାରାହାରି ଦେଖାଯାଏ, ତାହା ୧୭ରୁ ଅଧିକ ରହିଥିଲା। ସେହିପରି ୨୦୨୦ ଜାନୁଆରିରୁ ଏପ୍ରିଲ ଭିତରେ ୧୯୯ଟି ଦୁର୍ଘଟଣା ଘଟିଛି। ଏଥିରେ ୫୫ଜଣଙ୍କ ଜୀବନ ଯାଇଛି। ମାସିକ ହାରାହାରି ମୃତ୍ୟୁ ସଂଖ୍ୟା ହିସାବକୁ ନେଲେ ୧୩ରୁ ସାମାନ୍ୟ ଅଧିକ ରହିଥିବା ଜଣାପଡ଼ିଛି। ଦୁର୍ଘଟଣା ସଂଖ୍ୟା ମାସକୁ ପ୍ରାୟ ୫୦ଟି ରହିଛି। କିନ୍ତୁ ଏପ୍ରିଲ ମାସରେ ରାଜଧାନୀରେ ମାତ୍ର ୧୦ଟି ଦୁର୍ଘଟଣା ଘଟିଥିବା ପୁଲିସ ରେକର୍ଡ କହୁଛି। ଯେଉଁଥିରେ ମାତ୍ର ୬ଜଣଙ୍କ ଜୀବନ ଯାଇଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ’ ମାସରେ (୨୫ ତାରିଖ ସୁଦ୍ଧା) ରାଜଧାନୀରେ ମାତ୍ର ୧୫ଟି ଦୁର୍ଘଟଣା ଘଟିଛି। ତିନୋଟି ବଡ଼ ଦୁର୍ଘଟଣାକୁ ଛାଡ଼ି ଦେଲେ ବାକି ସବୁ ଛୋଟ ବୋଲି ଜଣାପଡ଼ିଛି। ପୂର୍ବ ମାସଗୁଡ଼ିକ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଥିବା ଜଣାପଡ଼ିଛି।

ସେହିପରି କଟକ କମିସନରେଟ୍‌ ପୁଲିସ ଜିଲ୍ଲା‌ରେ ୨୦୧୯ରେ ୪୦୧ଟି ଦୁର୍ଘଟଣା ଘଟିଥିଲା। ୧୨୫ ଜଣଙ୍କର ଜୀବନ ଯାଇଥିଲା। ଦୁର୍ଘଟଣାରେ ୧ କୋଟି ୧୭ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିଲା। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ହାରକୁ ଦେଖିଲେ ମାସକୁ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଚଳିତବର୍ଷ ଜାନୁଆରିରୁ ଏପ୍ରିଲ ପର୍ଯ୍ୟନ୍ତ କଟକରେ ୨୯ଟି ଦୁର୍ଘଟଣା ଘଟିଛି। ମାସକୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏପ୍ରିଲରେ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏପ୍ରିଲରେ ୧୩ଟି ଦୁର୍ଘଟଣା ଘଟିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ମଦ୍ୟପାନଜନିତ ଦୁର୍ଘଟଣା କମିଛି
ଲକଡାଉନ୍ ସମୟରେ ଗାଡ଼ି ଚଳାଚଳ କମିଛି। ଯେତିକି ଚାଲୁଛି, ଚାଳକ ଯଥେଷ୍ଟ ସତର୍କ ହୋଇଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବା ଅନ୍ୟ ଏକ କାରଣ। ଚାଳକ ମଦ୍ୟପାନ ନ କରି ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ସଂଖ୍ୟା ଅହେତୁକ ଭାବରେ କମି ପାରିଛି। ଲକଡାଉନ୍ କୋହଳ ପରେ ଏବେ ଗାଡ଼ିମୋଟର ଚଳାଚଳ ବଢ଼ି ଯାଇଛି, ମଦ ଦୋକାନ ମଧ୍ୟ ଖୋଲିଛି। କିନ୍ତୁ ଚାଳକ ଯଦି ସଚେତନ ରହିବେ ଓ ସତର୍କ ହୋଇ ଗାଡ଼ି ଚଳାଇବେ, ତାହାଲେ ଦୁର୍ଘଟଣା ସଂଖ୍ୟା କମି ପାରିବ।
ଶେଖ୍ ମକବୁଲ୍ ଅଲ୍ଲୀ, ପୂର୍ବତନ ସଦସ୍ୟ, ଜାତୀୟ ସଡ଼କ ସୁରକ୍ଷା ପରିଷଦ

ଚାଳକ ସତର୍କ ହୋଇଛନ୍ତି
ଲକ୍‌ଡାଉନ୍‌ ସମୟରେ ଦୁର୍ଘଟଣା ଯଥେଷ୍ଟ ପରିମାଣରେ କମିଛି। ଗାଡ଼ି ଚଳାଚଳ ସଂଖ୍ୟା କମିଥିବାରୁ ଦୁର୍ଘଟଣା ହ୍ରାସ ପାଇଥିବା ଗୋଟିଏ କାରଣ। ଚାଳକ ପୂର୍ବାପେକ୍ଷା ସତର୍କ ହୋଇଛନ୍ତି। ଏହିପରି ସତର୍କ ରହିବା ସହ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍‌ଠାରୁ ଦୂରରେ ରହିଲେ ଦୁର୍ଘଟଣା ଆଗକୁ କମି ପାରିବ।
ସଞ୍ଜୟ ବେହେରା,
ଆରଟିଓ, ଭୁବନେଶ୍ବର-୨

ସମ୍ବନ୍ଧିତ ଖବର