ରାମଗଡକୁ ଚେୟାର ଆମ୍ବୁଲାନ୍ସ ଭରଷା : ପାହାଡିଆ ରାସ୍ତାରେ ବୁହା ହୋଇ ଆସିଲେ ରୋଗୀ

ଜୟପୁର : ପୁଣି ଭାରରେ ୬ କିଲୋମିଟର ବୁହା ହେଲେ ରୋଗୀ। ଗାଁର ଜଣେ ସ୍ତ୍ରୀ ଲୋକଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ଗ୍ରାମବାସୀ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରୋଗୀ ଜଣକୁ ଗ୍ରାମବାସୀମାନେ ପାହାଡିଆ ରାସ୍ତାରେ ଚେୟାର ଆମ୍ବୁଲାନ୍ସରେ ତଳକୁ ଓହ୍ଲାଇଥିଲେ। ପରେ ଅଟୋରେ କୁମୁଲିପୁଟ ଗୋଷ୍ଟୀ କନ୍ଦ୍ରେକୁ ନେଇ ଚିକିତ୍ସା କରିବା ପରେ ପୁଣି ଘରକୁ ବୋହି କରି ନେଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ରାମଗଡ ଗାଁରେ।

ଆଜି ସକାଳୁ ଗାଁର ତିରୁପିତି ମୁଦୁଲିଙ୍କ ସ୍ତ୍ରୀ ଲଛମା ମୁଦୁଲି(୩୦) ଗାଧୋଇବାକୁ ଝରଣାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପଥରରେ ପଡି ଯାଇଥିଲେ। ତାଙ୍କୁ ସେଠାରେ ଗାଧାଉଥିବା କିଛି ଲୋକ ଉଦ୍ଧାର କରିଥିବାବେଳେ ତାଙ୍କ ଛାତିରେ ମାଡ ବାଜିଥିଲା। କଷ୍ଟ ପାଉଥିବାରୁ ତାଙ୍କୁ ଭାରରେ ତଳକୁ ଅଣାଯିବାକୁ ତିରୁପତି ଗାଁ ଲୋକଙ୍କୁ କହିଥିଲେ। ପରେ ଗାଁର ୧୦ରୁ ୧୫ଜଣ ଯୁବକ ତାଙ୍କୁ ବୋହି ବୋହି ଛତିଡିପୁଟ ରେଳ ଷ୍ଟେସନ ଡେଇଁ ତଳକୁ ଆଣିଥିଲେ। ସେଠାରେ ତାଙ୍କୁ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ କୁମୁଲିପୁଟକୁ ନିଆଯାଇଥିଲା।

ତେବେ ଏହି ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏକ ରାସ୍ତା ପାଇଁ ଦୁଇବର୍ଷ ହେଲା ପ୍ରସ୍ତାବ ରହିଛି। ଜାତୀୟ ରାଜପଥରୁ ତଡପାଣି ଯାଏ ଏହି ରାସ୍ଥା ତିଆରି ହେବାକୁ ଯୋଜନା ରହିଥିବାବେଳେ ଏବେଯାଏ ତାହା ହୋଇପାରି ନଥିବା ଜଣାପଡିଛି। ଛତିଡିପୁଟ ରେଳ ଷ୍ଟସେନରୁ ତଡପାଡି ଯାଏ ପାହାଡିଆ ରାସ୍ଥା ହୋଇଥିବାରୁ ପରିବେଶ ମଞ୍ଜୁରୀ ମିଳିପାରି ନାହିଁ। ଫଳରେ ଗଛ କଟା ହୋଇପାରୁଥିବାରୁ କାମ ହୋଇ ପାରୁ ନ ଥିବା ଜଣାପଡିଛି। ଖାଲି ଏହି ଗାଁ ନୁହେଁ ଏହି ପାହାଡ ଉପରେ ରହିଥିବା ୫ରୁ ଅଧିକ ଗାଁର ଲୋକେ ଚେୟାର ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଆସିଥାନ୍ତି।

ସମ୍ବନ୍ଧିତ ଖବର