କାଜାକସ୍ତାନରେ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ୫ ପଦକ

ନୂଆଦିଲ୍ଲୀ: କାଜାକସ୍ତାନରେ ଭାରତୀୟ ମୁଷ୍ଟିଯୋଦ୍ଧା ରିଙ୍ଗ୍‌ରେ ଆଧିପତ୍ୟ ବିସ୍ତାର କରିଛନ୍ତି। କାରଗାଣ୍ଡାରେ ଆୟୋଜିତ ଗାଲିମ୍‌ ଝାରିଲ୍‌ଗାପୋଭ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ରବିବାର ଶେଷ ହୋଇଥିଲା ବେଳେ ଭାରତ ୩ ସ୍ୱର୍ଣ୍ଣ, ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୫ ପଦକ କରାୟତ କରିଛି। ତିନି ଥର କିଙ୍ଗ୍‌ସ କପ୍‌ ସ୍ୱର୍ଣ୍ଣ ବିଜେତା ତଥା ଜାତୀୟ ବିଜେତା କେ ଶ୍ୟାମକୁମାର (୪୯ କେଜି), ବିଶ୍ୱ ଯୁବ ପ୍ରତିଯୋଗିତାର କାଂସ୍ୟ ବିଜେତା ନମନ ତନ୍‌ଓ୍ଵର (୯୧ କେଜି) ଏବଂ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ସତୀଶ କୁମାର (୯୧ କେଜିରୁ ଅଧିକ) କାଜାକସ୍ତାନରେ ସ୍ୱର୍ଣ୍ଣ ଜିତିଥିଲା ବେଳେ ଜାତୀୟ ବିଜେତା ମନୀଷ କୌଶିକ୍‌ (୬୦ କେଜି) ରୌପ୍ୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ମନ୍‌ଦୀପ୍‌ ଜାଙ୍ଗ୍ରା (୭୫ କେଜି) କାଂସ୍ୟ ଜିତିଛନ୍ତି। ଏହି ବର୍ଷ ଶେଷ ପ୍ରତିଯୋଗିତାରେ ୫ ଆନ୍ତର୍ଜାତୀୟ ଓ ୧୫ ସ୍ଥାନୀୟ ଦଳର ମୋଟ ୧୫୪ ମୁଷ୍ଟିଯୋଦ୍ଧା ଭାଗ ନେଇଥିଲେ। ହେଲେ ଭାରତୀୟ ଯୁବ ତାରକା ତନ୍‌ଓ୍ଵର ପ୍ରତିଯୋଗିତାର ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର