ରାଜଧାନୀରେ ଗଡ଼ିବନି ରଥ: ପ୍ରଶାସନ ହଁ କରୁନି, କି ମନା କରୁନି

ମନ୍ଦିର ଭିତରେ ହେବ ନୀତିକାନ୍ତି

ଭୁବନେଶ୍ବର: ରାଜଧାନୀରେ ରଥଯାତ୍ରା ହେବ ନା ନାହିଁ, ଏହାକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି। ଖୋଦ ପ୍ରଶାସନ ଏଯାଏ ଏ ବାବଦରେ ନା ନିଜ ଆଡ଼ୁ ମୁହଁ ଖୋଲିଲା, ନା ଜବାବର ଉତ୍ତର ରଖିଲା। ରଥଯାତ୍ରାକୁ ଆଉ ମାତ୍ର ୮ଦିନ ରହିଲା, କିନ୍ତୁ ପ୍ରଶାସନକୁ ପଚାରିବାରେ ଉତ୍ତର ଦେଉଛନ୍ତି, ଏଯାଏ ନିଷ୍ପତ୍ତି ହୋଇନାହିଁ। ଏମିତି ସ୍ଥିତିରେ ଆଣି ଛିଡ଼ା କରିଦେଲେ ଯେ ଏବେ ଅନୁମତି ଦେଲେ ମଧ୍ୟ ଆଉ ରଥଯାତ୍ରା ହୋଇପାରିବ ନାହିଁ। କରୋନା ରାଜଧାନୀରେ କାୟା ମେଲାଉଛି। ସମ୍ଭବତଃ ‌ଏହା ଅନୁମତି ନଦେବାର ଏକ କାରଣ ହୋଇପାରେ। ତେବେ ପ୍ରଶାସନ କାହିଁକି ଚୁପ୍‌ ବସିଛି, ସେନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

ପୁରୀରେ ରଥଯାତ୍ରା ହେବ ନା ନାହିଁ, ଏପର୍ଯ୍ୟନ୍ତ ସରକାର କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। ତଥାପି ରଥ ନିର୍ମାଣ ଚାଲିଛି। ଡେରିରେ କାମ ଆରମ୍ଭ ହୋଇଥିଲେ ବି ମହାରଣା କୁଳ ରଥଯାତ୍ରା ପୂର୍ବରୁ କାମ ସାରିଦେବାକୁ ଲାଗି ପଡ଼ିଛନ୍ତି। ରାଜଧାନୀରେ ମଧ୍ୟ ରଥଯାତ୍ରାକୁ ୧୦ ଦିନ ଥାଇ ଅନୁମତି ମିଳିଲେ ରଥ ନିର୍ମାଣ କାମ ସାରିଦେଇ ରଥଯାତ୍ରା କରିଦେବେ ବୋଲି ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟମାନେ ଚାହିଁ ବସିଥିଲେ। ମାତ୍ର ପ୍ରଶାସନ କିଛି ସ୍ପଷ୍ଟ କଲା ନାହିଁ। ଫଳରେ ପ୍ରଶାସନର ଏହି ମ‌ନୋଭାବ ଯୋଗୁଁ ମନ୍ଦିର କମିଟିର ସଦସ୍ୟମାନେ ରଥଯାତ୍ରା କରିବା କଥା ମନରୁ ପୋଛି ଦେବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀରେ ୬୦ରୁ ଊର୍ଧ୍ବ ସ୍ଥାନରେ ରଥଯାତ୍ରା ଆୟୋଜିତ ହୁଏ। ଏ ବର୍ଷ ମଧ୍ୟ ସମସ୍ତ ମନ୍ଦିରରେ ରୀତିନୀତି ଚାଲିଛି। ରଥଯାତ୍ରାର ସମସ୍ତ ନୀତିକାନ୍ତି ମଧ୍ୟ ମନ୍ଦିରରେ ହେବ ବୋଲି ଏକରକମ ସ୍ଥିର ହୋଇଛି। ରାଜଧାନୀରେ ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା ହୋଇଥିବା ଓୟୁଏଟି ଜଗନ୍ନାଥ ମନ୍ଦିରର ଟ୍ରଷ୍ଟ ପ୍ରଫେସର ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ରଥଯାତ୍ରା ଏଥର ୪୮ ବର୍ଷରେ ପଦାର୍ପଣ କରିଥାଆନ୍ତା। ମାତ୍ର ଏହା ସମ୍ପନ୍ନ ହୋଇପାରିବ ନାହିଁ। ନୀତି ବଜାୟ ରଖିବା ପାଇଁ ଆମେ ମନ୍ଦିର ମଧ୍ୟରେ ଠାକୁରଙ୍କୁ ପହଣ୍ଡି କରି ଭିତରେ ଥିବା ଏକ ମଣ୍ଡପକୁ ଆଣିବୁ। ସକାଳେ ଆଣି ସନ୍ଧ୍ୟାରେ ପୁଣି ରତ୍ନ ସିଂହାସନକୁ ବିଜେ କରାଇବୁ। ମାତ୍ର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇପାରିବ ନାହିଁ।

କରୋନା ପାଇଁ ରାଜଧାନୀ ଇତିହାସରେ ପ୍ରଥମଥର ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ମଧ୍ୟରେ ସମସ୍ତ ରୀତିନୀତି ହେଲେ ମଧ୍ୟ ତାହା ସବୁଠି ସମାନ ଧରଣର ହେବ ନାହିଁ। କେଉଁଠି ପହଣ୍ଡି କରି ସେଇ ମନ୍ଦିର ମଧ୍ୟରେ ପ୍ରଭୁଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଆଣିବାକୁ ନିଷ୍ପତ୍ତି ହୋଇଛି। ପୁଣି କେଉଁଠି ଠାକୁରଙ୍କ ସମସ୍ତ ରୀତିନୀତି ସେଇ ସିଂହାସନ ଉପରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏତେ ସବୁ ନୀତିକାନ୍ତି ହେଲେ ମଧ୍ୟ ଲୋକେ ପ୍ରଭୁଙ୍କ ଏହି ନିଆରା ଲୀଳା ଦେଖିବାରୁ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର