ସିଲ୍‌ ହେଲା ବ୍ଲୁ ହୁଇଲ୍‌ ହସ୍ପିଟାଲ

୨୪ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ, ୪ଦିନରେ ହସ୍ପିଟାଲରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ମଞ୍ଚେଶ୍ବରରେ ଥିବା ଘରୋଇ ହସ୍ପିଟାଲରେ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ୍‌-୧୯ କଟକଣା ମାନିନଥିବାରୁ ବିଏମ୍‌ସି ପକ୍ଷରୁ ଆଜି ଏହି ହସ୍ପିଟାଲକୁ ସିଲ୍‌ କରିଦିଆଯାଇଛି। ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ କଟକଣା ମାନିଲେନି ‌ସେନେଇ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି।

ଆଜି ଏହି ହସ୍ପିଟାଲ (ବ୍ଲୁ ହୁଇଲ୍‌ ହସ୍ପିଟାଲ) ସିଲ୍‌ ହେବା ନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଚାରି ଦିନ ତଳେ ଗୋଟିଏ ପଜିଟିଭ୍ କେସ୍ ବାହାରିଥିଲା। କିନ୍ତୁ ଆଜି ସୁଦ୍ଧା ୨୭ଜଣ କରୋନା ଆକ୍ରାନ୍ତ ଏଠ‌ାରେ ଚିହ୍ନଟ ହୋଇଛନ୍ତି। ଏହାପରେ ଆମେ ଦେଖିବାକୁ ପାଇଥିଲୁ ଯେ ହସ୍ପିଟାଲରେ ‌ସରକାରଙ୍କ କୋଭିଡ୍‌-୧୯ କଟକଣା ଏଠାରେ ପାଳନ କରାଯାଇନି। ତେଣୁ ଏହି ହସ୍ପିଟାଲକୁ ସିଲ୍‌ କରାଯାଇଛି। ଏହାସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୪ଘଣ୍ଟା ମଧ୍ୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ଜବାବ୍ ରଖିବାକୁ କୁହାଯାଇଛି। ‌ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଗୋଟିଏ ହସ୍ପିଟାଲରେ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଆମକୁ ଚକିତ କରିଛି। କାରଣ କୋଭିଡ୍‌ ହସ୍ପିଟାଲରେ ଶତାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସେଠାରୁ ବି ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିନଥିବା ବେଳେ ଏଠାରେ କେମିତି ଏତେ ଆକ୍ରାନ୍ତ ହେଲେ। ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ୍‌-୧୯ କଟକଣା ସଂପୂର୍ଣ୍ଣ ଉଲ୍ଲଂଘନ କରିଥିବା ନଜରକୁ ଆସିଛି। ‌ଯେଉଁଥିପାଇଁ ହସ୍ପିଟାଲର ପ୍ରାୟ ୨୫ଜଣ କର୍ମଚାରୀ ୨ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ଏଠାରେ କରୋନା କିପରି ବ୍ୟାପିଲା ସେନେଇ ବୈଷୟିକ ଟିମ୍‌ ତଦନ୍ତ କରିବ। ତେଣୁ ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି। ଖୁବ୍ ଶୀଘ୍ର ହସ୍ପିଟାଲକୁ ବିଶୋଧନ କରାଯିବ।

ସମ୍ବନ୍ଧିତ ଖବର