ବ୍ଲୁ ଫ୍ଲାଗ୍‌ ବିଚ୍‌ ପାଇଁ ଖୋଲିଲା ନୂଆ ରାସ୍ତା

ପୁରୀ : ପୁରୀ ବେଳାଭୂମିରେ ବିଶ୍ବସ୍ତରୀୟ ବ୍ଲୁ ଫ୍ଲାଗ୍‌ ବିଚ୍‌ ପାର୍କର ନିର୍ମାଣ ଚାଲିଛି। ଏହି ପାର୍କକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ପାର୍କ ନିର୍ମାଣ କରାଯାଉଛି। ତେବେ ଏହି ପାର୍କକୁ ଯା’ଆସ ପାଇଁ ଏକ ଭଲ ପ୍ରବେଶ ପଥ ନଥିଲା। ତେଣୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)ର ଜମିରେ ଥିବା ଦୀର୍ଘଦିନ ଧରି ବନ୍ଦ ଥିବା ନୀଳାଚଳ ଅଶୋକ ହୋଟେଲ ଜମିରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କିଛି ଅଂଶ ନେଇ ସେଠାରେ ବ୍ଲୁ ଫ୍ଲାଗ ବିଚ୍‌ ପାଇଁ ଏକ ରାସ୍ତା ନିର୍ମାଣ କରିଛି। ଏହି ରାସ୍ତାଟି ଭିଆଇପି ରୋଡ୍‌ରୁ ବ୍ଲୁ ଫ୍ଲାଗ ବିଚ୍‌ର ପାର୍କିଂ ଅଞ୍ଚଳକୁ ଲମ୍ବିଯାଇଛି। ପାର୍କକୁ ଯିବାକୁ ଆଗ୍ରହୀ ପର୍ଯ୍ୟଟକମାନେ ଏହି ରାସ୍ତାରେ ପାର୍କିଂକୁ ଯାଇ ସେଠାରେ ଗାଡ଼ି ରଖି ଟିକେଟ୍‌ କାଟି ପାର୍କ ଭିତରକୁ ଯାଇପାରିବେ। ସେଥିପାଇଁ ସୁବନ୍ଦୋବସ୍ତ କରାଯାଇଛି। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ରହିବାରୁ ଏହି ପାର୍କର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ପଛେଇ ଯାଇଛି।

ସୂଚନାଯୋଗ୍ୟ ଯେ ପ୍ରାୟ ୮ଶହ ମିଟର ଲମ୍ବ ବେଳାଭୂମିରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ସୃଷ୍ଟି କରାଯିବା ପାଇଁ ସ୍ଥିର ହୋଇଥିଲା। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ପ୍ରାୟ ୧୩ଟି ବ୍ଲୁ ଫ୍ଲାଗ ବିଚ୍‌ ନିର୍ମାଣ କରାଯାଉଛି। ସେଥିମଧ୍ୟରୁ ଓଡ଼ିଶାର ପୁରୀ ବେଳାଭୂମିରେ ଏକ ବ୍ଲୁ ଫ୍ଲାଗ ବିଚ୍‌ ପାର୍କ କରାଇବା ପାଇଁ ଆନ୍ତର୍ଜାତିକ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ଜାତୀୟ ସାମୁଦ୍ରିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅନୁଧ୍ୟାନ କରି ସ୍ବୀକୃତି ଦେଇଥିଲେ। ଏହାପରେ ଏଠାରେ ଏହି ୮ଶହ ମିଟର ଲମ୍ବର ବ୍ଲୁ ଫ୍ଲାଗ୍‌ ବିଚ୍‌ ପାର୍କ ନିର୍ମାଣ ଆରମ୍ଭ କରାଯାଇଥିଲା।

ଏଥିପାଇଁ ୩୩ଟି ସର୍ତ୍ତ ପୂରଣ କରିବ‌ାକୁ ହେବ। ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାର ଦଶ କୋଟି ଟଙ୍କା ଏବଂ ଆନ୍ତର୍ଜାତୀୟ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ପକ୍ଷରୁ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ପ୍ରକଳ୍ପ ଗତ ନଭେମ୍ବର ମାସରେ ଶେଷ ହେବାର ଯୋଜନା ରହିଥିବା ବେଳେ କେତେକ କାରଣବଶତଃ ଏହା ଶେଷ‌ ହେବାରେ ବିଳମ୍ବ ହୋଇଥିଲା। ଏବେ ଏହାକୁ ଉଦ୍‌ଘାଟନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ ଶିଘ୍ର ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର