ଅନୁଗୁଳ : ଅସୁସ୍ଥ ବାଘୁଣୀକୁ ଧରିବା ପାଇଁ ‌ନୂଆ କୌଶଳ

ଅନୁଗୁଳ : ବନ ବିଭାଗକୁ ଘାରିଛି ସାତକୋଶିଆର ଅସୁସ୍ଥ ବୁଢ଼ୀ ବାଘୁଣୀର ଚିନ୍ତା। ବାଘୁଣୀ ଅସୁସ୍ଥ ହେବା କଥା ବନ ବିଭାଗ ଜାଣିବା ପାଖାପାଖି ଦେଢ଼ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଚିକିତ୍ସା ଆରମ୍ଭ ହୋଇପାରିନାହିଁ। ଏଭଳି ସ୍ଥିତିରେ ବାଘୁଣୀକୁ ଧରିବା ପାଇଁ ନୂଆ କୌଶଳ ଉପରେ ଚିନ୍ତା କରୁଥିବା ଜଣାପଡ଼ିଛି।

ଗତ ଜୁନ୍ ମାସରେ ରାଇଗୁଡ଼ା ଅଂଚଳ‌େର ବାଘୁଣୀ ବୁଲୁଥିବା ବେଳେ ଟ୍ରାପ୍ କ୍ୟାମେରା ଜିରଆରେ କଏଦ୍ ଚିତ୍ରରୁ ଏହାର ଲାଞ୍ଜ ‘ଫଙ୍ଗାଲ ଇନ୍‌ଫେକ୍ସନ’ ହୋଇଥିବା ଜଣାପଡ଼ିଥିଲା। ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯିବ ନା ଯନ୍ତା ପକାଇ ଧରାଯିବ, ସେ ସଂକ୍ରାନ୍ତରେ ବନ ବିଭାଗୀୟ ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇ ପାରିନଥିଲା। ବୟସାଧିକ୍ୟ କାରଣରୁ ଟ୍ରାଙ୍କୁଲାଇଜ୍ ବେଳେ ସାମାନ୍ୟ ତ୍ରୁଟିବେଳେ ବାଘୁଣୀର ଜୀବନ ପ୍ରତି ବି ବିପଦ ସୃଷ୍ଟି ହେବା ଆଶଙ୍କା ଥିବାରୁ ପିସିସିଏଫ୍‌ ଓ ଏନ୍‌ଟିସିଏର ପରାମର୍ଶ ନେଇଥିଲେ। ବିଳମ୍ବ ହେଲେ ମଧ୍ୟ ଆବଶ୍ୟକ ପରାମର୍ଶ ମିଳିବା ପରେ ଚିକିତ୍ସା ପାଇଁ ଅଭିଯାନ ଆରମ୍ଭ ହୋଇଛି। ମଝିରେ ଅନେକ ଦିନ ପର୍ଯ୍ୟନ୍ତ ବାଘୁଣୀର ସନ୍ଧାନ ମିଳିନଥିଲା। ହେଲେ ଏବେ ରାଇଗୁଡ଼ା‌ ଜଂଗଲ‌େର ଏନ୍‌କ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ‘ସୁନ୍ଦରୀ ପାଖକୁ ବୁଢ଼ୀ ବାଘୁଣୀ’ ବେଳେ ବେଳେ ଆସୁଛି। ପୂର୍ବରୁ ମହାବଳ ବାଘ ‘ମହାବୀର’ ରହୁଥିବା ଏନ୍‌କ୍ଲୋଜର ଏବେ ଖାଲି ପଡ଼ିଛି। ‘ସୁନ୍ଦରୀ ରହୁଥିବା ଏନ୍‌କ୍ଲୋଜର ଏବଂ ଖାଲି ପଡ଼ିଥିବା ଏନ୍‌କ୍ଲୋଜର ମଧ୍ୟରେ ପ୍ରାୟ ୨୦ ଫୁଟର ବ୍ୟବଧାନ ରହିଛି। ଦୁଇ ଏନ୍‌କ୍ଲୋଜର ମଧ୍ୟରେ ଥିବା ଫାଙ୍କା ଜାଗାକୁ ବଡ଼ ଯନ୍ତାର ରୂପ ଦିଆଯାଇଛି। ୨୫୦ ମିଟର ଦୂରରୁ ‌ବନ କର୍ମଚାରୀମାନେ ଗେଟ୍ ବନ୍ଦ କରିବା ଭଳି ବ୍ୟବସ୍ଥା କରାଯାଇଛି। ହେଲେ ବୁଢ଼ୀ ବାଘୁଣୀକୁ ଏପର୍ଯ୍ୟନ୍ତ ଧରିବାରେ ସଫଳତା ମିଳିପାରି ନାହିଁ। ବୁଢ଼ୀ ବାଘୁଣୀ ମଝିରେ ମଝିରେ ଆସି ଚାଲିଯାଉଛି। ଜଂଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଔଷଧ ମିଶ୍ରିତ ଛେଳି ମାଂସ ରଖାଯାଇଥିଲେ ବି ବାଘୁଣୀ ଖାଉନଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏଭଳି ସ୍ଥିତିରେ ବନ ବିଭାଗ ପକ୍ଷରୁ ବୁଢ଼ୀ ବାଘୁଣୀ ଦୁଇ ଏନ୍‌େକ୍ଲାଜର ମଧ୍ୟକୁ ଆସିଲେ ଯେମିତି ଖସି ଯାଇପାରିବ ନାହିଁ, ଯେଭଳି ଯୋଜନା କରାଯାଉଛି। ଦକ୍ଷିଣ ଆଫ୍ରିକାରେ ଅସୁସ୍ଥ ବନ୍ୟପ୍ରାଣୀଙ୍କୁ ଯନ୍ତା ଜରିଆରେ ଧରି ଚିକିତ୍ସା କରିବା ଭଳି କୌଶଳ ଆପଣେଇବାକୁ ଯୋଜନା କରାଯାଉଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ଅଧୀନରେ ସାତକୋଶିଆ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡର ହାତିଧରା ଜଂଗଲ, ଅନୁଗୁଳ ବନଖଣ୍ଡର ବନ୍ତଳା ଅଂଚଳ, ମହାନଦୀ ବନଖଣ୍ଡ, ବୌଦ୍ଧ, ଆଠଗଡ଼ ଓ ଢେଙ୍କାନାଳ ବନଖଣ୍ଡର କିଛି କିଛି ଅଂଚଳ ରହିଛି। ସାତକୋଶିଆକୁ ମୋଟ ୬ଟି ବାଘ ଆସିବାର ‌େଯାଜନା ହୋଇଥିଲା। ସେଥି ମଧୢରୁ ଦୁଇଟି ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ପ୍ରଥମ ପର୍ଯ୍ୟାୟରେ ସାତକୋଶିଆକୁ ଅଣାଯାଇଥିଲା। ‘ମହାବୀର’ର ବେକରେ ଏକ ଘା’ ସୃଷ୍ଟି ହୋଇ ସ˚କ୍ରମଣ ହେବା ଫଳରେ ତାର ମୃତ୍ୟୁ ଘଟିଥିଲା। ଏପଟେ ମଣିଷ ମାରିବା ପରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରି ଧରି ରାଇଗୁଡ଼ାର ଏନ୍‌କ୍ଲୋଜରରେ ବର୍ଷେରୁ ଅଧିକ ସମୟ ହେଲା ବନ୍ଦୀ କରି ରଖାଯାଇଛି। ‘ସୁନ୍ଦରୀ’ କେତେବେଳେ ବି ମଧ୍ୟପ୍ରଦେଶକୁ ଫେରିଯିବ। ଯଦି, ଠିକ୍ ସମୟରେ ଚିକିତ୍ସା ନପାଇ ବୁଢ଼ୀ ବାଘୁଣୀର ମୃତ୍ୟୁ ଘଟେ, ତାହେଲେ ସାତକୋଶିଆରୁ ବାଘବଂଶ ଲୋପ ପାଇଯିବ।

ସମ୍ବନ୍ଧିତ ଖବର