ଅର୍ଚ୍ଚିତା, ସବ୍ୟସାଚୀଙ୍କୁ ବି ନିର୍ଦେଶନା ଦେଇଥିଲେ

ଭୁବନେଶ୍ବର: ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବି ନୃତ୍ୟ ଶିଖାଇଥିଲେ ସରୋଜ ଖାନ୍‌। ମୁମ୍ବାଇର ଫିଲ୍ମ ସିଟିରେ ଏକ ବିଜ୍ଞାପନର ସୁଟିଂରେ ଅର୍ଚ୍ଚିତା ତାଙ୍କଠାରୁ ନୃତ୍ୟ ଶିଖିଥିବା କହିଛନ୍ତି। ସରୋଜ ଖାନ ଆଜି ମୃତ୍ୟୁବରଣ କରିବା ପରେ ତାଙ୍କ ସ୍ମୃତିଚାରଣ କରି ଅର୍ଚ୍ଚିତା କହିଛନ୍ତି, ସେ ଯେ ମୋତେ ନୃତ୍ୟ ନିର୍ଦେଶନା ଦେବେ, ଏକଥା ଭାବି ନଥିଲି। ସୁଟିଂ ସେଟ୍‌ରେ ତାଙ୍କୁ ଦେଖିବା ପରେ ମୋର ବିଶ୍ବାସ ହୋଇଥିଲା। ମୁଁ ଯେବେ ମେକଅପ୍‌ ଭ୍ୟାନ୍‌ରେ ମେକଅପ୍‌ ନେଉଥିଲି, ତାଙ୍କ ସହ ଭେଟ ପାଇଁ ମତେ ଡକାଗଲା। ମୁଁ ମେକଅପ୍‌ ଭ୍ୟାନ୍‌ରୁ ବାହାରିବା ମାତ୍ରେ ସେ ପ୍ରବେଶ କରୁଥିବା ଦେଖି ଖୁସି ହୋଇଯାଇଥିଲି। କିଛି ସମୟ କଥାବାର୍ତା ପରେ ଅର୍ଚ୍ଚିତା ସରୋଜ ଖାନ୍‌ଙ୍କୁ କହିଥିଲେ, ମତେ ଟିକେ ନର୍ଭସ ଲାଗୁଛି। ସରୋଜ କିନ୍ତୁ ସାହସ ଦେଇ କହିଥିଲେ, ବ୍ୟସ୍ତ ହୁଅନି, ପ୍ରସ୍ତୁତ ହୋଇ ସେଟ୍‌କୁ ପଳେଇ ଆସ। ତାଙ୍କର ଉତ୍ସାହପ୍ରଦ କଥା ଅର୍ଚ୍ଚିତାଙ୍କୁ ସାହସ ଦେଲା। ସୁଟିଂ ସେଟ୍‌ରେ ବସିଥିବା ବେଳେ ଅର୍ଚ୍ଚିତା ନୃତ୍ୟ ଅଭ୍ୟାସ କରୁଥିଲେ। ଏହାକୁ ସରୋଜ ଲକ୍ଷ୍ୟ କରୁଥିଲେ। ହଠାତ୍‌ ସେ ବସିବା ସ୍ଥାନରୁ ଉଠି ଆସି ଅର୍ଚ୍ଚିତାଙ୍କୁ କହିଲେ, ଏହାକୁ ଆଉ ଟିକେ ଜୀବନ୍ତ କର। ଏହା କହି ନୃତ୍ୟ ସହ ମୁଖଭଙ୍ଗୀ କରି ସେ ପ୍ରତିଟି ଶୈଳୀ ଦେଖାଇଦେଲେ। ତାଙ୍କର ନିର୍ଦେଶରେ କାମ କରିବା ପରେ ଏହା ସଫଳ ହୋଇଥିଲା।

ଅଭିନେତା ସବ୍ୟସାଚୀ ମଧ୍ୟ ସରୋଜ ଖାନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ମୁମ୍ବାଇର ୩ଦିନର ସୁଟିଂ ବେଳେ ସେ ସରୋଜ ଖାନଙ୍କଠାରୁ ନୃତ୍ୟ ଶିଖିଥିଲେ। ବିଶେଷକରି ସରୋଜ ଜୀ’ ମାତୃତ୍ବର ସ୍ନେହ ସହ ନୃତ୍ୟ ଶିଖାଉଥିବାର ଅନୁଭବକୁ ଆଜି ବି ସବ୍ୟସାଚୀ ମନେ ରଖିଛନ୍ତି। ସେ କହିଛନ୍ତି, ନୃତ୍ୟ ବେଳେ ମୁହଁରେ ଭାବ ଆଣିବାର କଳା ସେ ଶିଖାଉଥିଲେ। ଦ୍ବିତୀୟ ଥର ମଧ୍ୟ ସବ୍ୟସାଚୀ ଜି-ସାର୍ଥକର ଏକ ନୃତ୍ୟ ସୋ’ର ଗ୍ରାଣ୍ଡ ଫିନାଲେରେ ସରୋଜଙ୍କୁ ଭେଟି‌ଥିଲେ।

ସମ୍ବନ୍ଧିତ ଖବର