କଟକ ସହରରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ସିଏମ୍‌ସି କମିସନର

ଭୁବନେଶ୍ୱର: କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସେହିଭଳି ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି । କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଏବେ ତାଲାବନ୍ଦ ଜାରି ଥିବା ବେଳେ, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ହେଉଛି ।

ସିଏମସି କମିସନର ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଆଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ କେୟାର ସେଣ୍ଟର କରାଯାଉଛି । ଏହା ଗୋପାଳପୁର, ବିଦ୍ୟାଧରପୁର ଓ ଓଏଟି ଠାରେ ଖୋଲାଯିବ । ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

 

ସୂଚନାଯୋଗ୍ୟ, ଆଜି କଟକ ମହାନଗର ନିଗମ ଅଂଚଳରୁ ଆଜି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟର ଓ ୨ ଜଣ ଲୋକାଲ କଣ୍ଟ୍ରାକ୍ଟ ବୋଲି ସିଏମସି ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି । ଏଥି ସହିତ ସିଏମସି ଅଂଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଂଚିଛି । ଏଥିରୁ ୨୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର