ଗାଙ୍ଗୁଲି ବିସିସିଆଇ ସଭାପତି ପଦ ବଜାୟ ରଖିଲେ ଆପତ୍ତି ନାହିଁ: ବର୍ମା

ନୂଆଦିଲ୍ଲୀ : ବିସିସିଆଇ ସଭାପତି ଭାବେ ପଦ ବଜାୟ ରଖିବା ପାଇଁ ଯଦି ସୌରଭ ଗାଙ୍ଗୁଲି ଅନୁମତି ପାଆନ୍ତି ତାହାଲେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ସ୍ପଟ୍‌ ଫିକ୍ସିଂ ମାମଲାର ପିଟିସନ୍‌ ଦାଖଲକାରୀ ଆଦିତ୍ୟ ବର୍ମା। ଗାଙ୍ଗୁଲି ଓ ଜୟ ଶାହଙ୍କୁ ଯଥାକ୍ରମେ ଭାରତୀୟ କ୍ରିକେଟ ବୋର୍ଡର ସଭାପତି ଓ ସଂପାଦକ ପଦ ବଜାୟ ରଖିବା ପାଇଁ ନିଜ ସମ୍ବିଧାନରେ ସଂଶୋଧନ ଆଣିବାକୁ ବିସିସିଆ ଅଦାଲତକୁ ଯାଇଥିଲା ବେଳେ ବୁଧବାର ଏହି ମାମଲାର ଶୁଣାଣି କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ଦିନ ଧାର୍ଯ୍ୟ କରିଥିଲେ। ଏପରିକି ଉଭୟଙ୍କ କୁଲିଂ ଅଫ୍‌ ପିରିୟଡକୁ ବିଚାରକୁ ନନେବା ପାଇଁ ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ ଆବେଦନ କରିଛି। ହେଲେ ଏହାର ଶୁଣାଣି ବେଳେ ଯଦି ଗାଙ୍ଗୁଲିଙ୍କୁ ପଦ ବଜାୟ ରଖିବାକୁ ଅନୁମତି ମିଳେ ତାହାଲେ ମୋ ଓକିଲ କୌଣସି ବିରୋଧ କରିବେନି ଏବଂ ଆମର କୌଣସି ଆପତ୍ତି ରହିବନି ବୋଲି ବର୍ମା ମଙ୍ଗଳବାର କହିଥିଲେ।

ଏଠାରେ ସୂଚନାଯୋଗ୍ୟ, ବର୍ମା ହେଉଛନ୍ତି ବିହାର କ୍ରିକେଟ୍‌ ସଂଘର ସଂପାଦକ। ଯିଏକି ୨୦୧୩ ଆଇପିଏଲ ସ୍ପଷ୍ଟ୍‌ ଫିକ୍ସିଂ ଦୁର୍ନୀତିର ବାସ୍ତବ ପିଟିସନ୍‌କାରୀ। ଏବେ ଲୋଧା ସମିତି ସୁପାରିସକୁ ସମ୍ବିଧାନ ସଂଶୋଧନ ଆଳରେ ପୂରା ରଦ୍ଦ କରିବା ପ୍ରୟାସରେ ବିସିସିଆଇ ଥିବାରୁ ତା’ ବିରୋଧରେ ସେ ଉଚ୍ଚତମ ନ୍ୟାୟାଳକୁ ଯାଇଛନ୍ତି। ଉଭୟ ଗାଙ୍ଗୁଲି ଓ ଶାହା ଗତବର୍ଷ ଅକ୍ଟୋବରରେ ବିସିସିଆଇରେ ପଦ ଅଳଂକୃତ କରିଥିଲେ। ସେତେବେଳକୁ ସେମାନଙ୍କର ଉଭୟ ରାଜ୍ୟ ଓ ଜାତୀୟ ବୋର୍ଡରେ ମୋଟ ୬ ବର୍ଷର ଦାୟିତ୍ବ ତୁଲାଇବାଠୁ ମାତ୍ର ୯ ମାସ ବାକି ଥିଲା। ଗତ ମେ ମାସରେ ଶାହଙ୍କ କାର୍ଯ୍ୟକାଳ ପୂରି ଯାଇଥିଲା ବେଳେ ଚଳିତ ମାସ ୨୭ ତାରିଖରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ପୂରିବ। ପୁଣି ବିସିସିଆଇର ନୂଆ ସମ୍ବିଧାନ ଅନୁଯାୟୀ ଜଣେ ଅଧିକାରୀ ରାଜ୍ୟ ସଂଘ ହେଉ ବା ବିସିସିଆଇରେ ୬ ବର୍ଷ ଦାୟିତ୍ବ ତୁଲାଇଥିଲେ ଏହାପରେ ତାଙ୍କ ପାଇଁ ୩ ବର୍ଷର କୁଲିଂ ଅଫ୍‌ ପିରିୟଡ ବାଧ୍ୟତାମୂଳକ। ସେହିଦୃଷ୍ଟିରୁ ଗାଙ୍ଗୁଲି ଓ ଶାହଙ୍କୁ କୁଲିଂ ଅଫ୍‌ ପିରିୟଡରେ ରହିବା ବାଧ୍ୟ। ତଥାପି ବିସିସିଆଇ‌ରେ ସ୍ଥିରତା ଆଣିବା ପାଇଁ ଏତେ କମ୍‌ ସମୟ ଯଥେଷ୍ଟ ନୁହେଁ। ପୁଣି ସେମାନଙ୍କ ୯ ମାସ ମଧ୍ୟରୁ ପ୍ରାୟ ୫ ମାସ କରୋନା ମହାମାରୀ ବାଧା ସୃଷ୍ଟି କରିସାରିଲାଣି। ତେଣୁ ଗାଙ୍ଗୁଲି ଓ ଶାହାଙ୍କର ଆହୁରି ଆବଶ୍ୟକତା ରହିଛି। ପୁଣି ଗାଙ୍ଗୁଲି ଯେ ବିସିସିଆଇକୁ ନେତୃତ୍ବ ଦେବାରେ ଶ୍ରେଷ୍ଠ ବ୍ୟକ୍ତି ବୋଲି ମୁଁ ସବୁବେଳେ କହିଆସୁଛି। ଉଭୟ ଦାଦା ଓ ଶାହ ବିସିସିଆଇକୁ ପୂରା ସଜାଡ଼ିବା ପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟକାଳ ପାଇବା ଉଚିତ ବୋଲି ମୋ ମତ। ସେଥିପାଇଁ ଯଦି ସେମାନଙ୍କୁ ପଦ ବଜାୟ ରଖିବାକୁ ଅନୁମତି ମିଳେ ତାହାଲେ ଆମେ କୌଣସି ଆପତ୍ତି ଉଠାଇବୁ ନାହିଁ ବୋଲି ବର୍ମା କହିଛନ୍ତି। ବିହାର କ୍ରିକେଟ୍‌ ସଂଘ ପକ୍ଷରୁ ମୁଁ ଆଦୗ ଆପତ୍ତି କରିବିନି ବୋଲି ସେ କହିଛନ୍ତି। ବିସିସିଆଇ ପଦ ଅଳଂକୃତ କରିବା ପୂର୍ବରୁ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ୍‌ ସଂଘର ସଭାପତି ଏବଂ ଶାହ ଗୁଜରାଟ କ୍ରିକେଟ୍‌ ସଂଘର ଯୁଗ୍ମ ସଂପାଦକ ଥିଲେ।

ସମ୍ବନ୍ଧିତ ଖବର