ପାକିସ୍ତାନର ନୂଆ ମାନଚିତ୍ରରେ ଗୁଜରାଟର ଜୁନାଗଡ଼ କାହିଁକି?

ନୂଆଦିଲ୍ଲୀ : ଗତ ୪ ତାରିଖରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କ ଦେଶର ଏକ ନୂଆ ମାନଚିତ୍ର ଲୋକାର୍ପିତ କରିଛନ୍ତି। ତେବେ ସେଥିରେ ଗୁଜରାଟର ଜୁନାଗଡ଼ ଅଞ୍ଚଳ ସ୍ଥାନ ପାଇବା ଘଟଣା ଦିଲ୍ଲୀ ପ୍ରଶାସନକୁ ତ୍ବରିତ କଡ଼ା ଜବାବ ଦେବାକୁ ବାଧ୍ୟ କରିଛି। ଏହି ନୂତନ ମାନଚିତ୍ରରେ ପାକିସ୍ତାନ ଆଗରୁ ନିଜର ବୋଲି ଦାବି କରି ଆସୁଥିବା ଜାମ୍ମୁକାଶ୍ମୀର ଓ ଲଦାଖ ଅଞ୍ଚଳ ରହିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଗୁଜରାଟର ଜୁନାଗଡ଼ ଓ ସାର୍‌ କ୍ରିକ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତେବେ ନିଜ ସୀମା ସହ ସଂଲଗ୍ନ ନଥାଇ ସୁଦ୍ଧା ପାକିସ୍ତାନ ଏପରି ଜୁନାଗଡ଼କୁ କାହିଁକି ନିଜର ବୋଲି ଦାବି କରିବା ଆରମ୍ଭ କରିଛି, ତାହା ଜାଣିବା ପାଇଁ ପ୍ରତ୍ୟେକ ଦେଶବାସୀଙ୍କର ଉତ୍ସୁକତା ବଢ଼ିବା ସ୍ବାଭାବିକ।

ସୂଚନାଯୋଗ୍ୟ, ଭାରତର ଗୁଜରାଟ ଓ ପାକିସ୍ତାନର ସିନ୍ଧୁପ୍ରଦେଶ ମଧ୍ୟରେ ସୀମା ଭାବେ ରହିଥିବା ଏହି ସାର୍‌ କ୍ରିକ୍‌ ଅଞ୍ଚଳ ଦୁଇ ଦେଶ ମଧ୍ୟରେ ବିବାଦର କାରଣ ହେବା ସହ ବେଳେ ବେଳେ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ମଧ୍ୟ ଘଟାଇଛି। ତେବେ ଗୁଜରାଟ ଉପକୂଳର ଜୁନାଗଡ଼କୁ ପାକିସ୍ତାନ ନିଜର ବୋଲି ଦାବି କରିବା ହାସ୍ୟାସ୍ପଦ ଘଟଣା ହୋଇଛି। ଇଂରେଜମାନେ ଭାରତ ଛାଡ଼ି ଗଲା ବେଳେ ଜୁନାଗଡ଼ ଭଳି ୫୦୦ରୁ ଅଧିକ ସ୍ବାଧୀନ ଦେଶୀୟ ରାଜ୍ୟ ରହିଥିଲା। ସେମାନେ ଭାରତ କି ପାକିସ୍ତାନରେ ମିଶିବେ ତାହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ଥିଲା। ତେବେ ଭାଇସରୟ ଲୁଇ ମାଉଣ୍ଟବାଟେନ୍‌ଙ୍କ କହିବା ଅନୁଯାୟୀ, ସେମାନଙ୍କ ମିଶ୍ରଣ ଭୌଗୋଳିକ ସ୍ଥିତି ଅନୁସାରେ ଗ୍ରହଣୀୟ। ଦେଶ ସ୍ବାଧୀନ ବେଳେ ଜୁନାଗଡ଼ର ନବାବ ଥିଲେ ମହମ୍ମଦ ମହବତ୍‌ ଖାଁ ବବି-୩ ଏବଂ ତାଙ୍କ ଦେଵାନ ତଥା ପ୍ରଧାନମନ୍ତ୍ରୀ ଥିଲେ ଶାହ ନଵାଜ ଭୁଟ୍ଟୋ। ଭୌଗୋଳିକ ଦୃଷ୍ଟିକୋଣରୁ ଜୁନାଗଡ଼ ଭାରତ ସହ ମିଶିବା ପ୍ରଯୁଜ୍ୟ ଥିବା ବେଳେ ଦେଵାନ ନଵାଜ୍‌ ଭୁଟ୍ଟୋ(ଜୁଲଫିକର ଅଲି ଭୁଟ୍ଟୋଙ୍କ ବାପା)ଙ୍କ ସୁପାରିସ କ୍ରମେ ନବାବ ୧୯୪୭ ସେପ୍ଟେମ୍ବରରେ ନିଜ ରାଜ୍ୟକୁ ପାକିସ୍ତାନରେ ମିଶାଇବା ପାଇଁ ଇଚ୍ଛା କରିଥିଲେ। ଗମନାଗମନର ଅସୁବିଧା ସତ୍ତ୍ବେ ଜଳପଥରେ ପାକିସ୍ତାନ ସହ ଯୋଗାଯୋଗ ରଖିହେବ ବୋଲି ତାଙ୍କର ଯୁକ୍ତି ଥିଲା। ଦେଵାନ ଭୁଟ୍ଟୋ ଏବଂ ନବାବ ବବି-୩ ନୂଆ ଦେଶ ପାକିସ୍ତାନ ପାଇଁ ଭାରତ ଛାଡ଼ିଲେ। ତେବେ ନଵାଜଙ୍କ ଏହି ନିଷ୍ପତ୍ତିକୁ ଜୁନାଗଡ଼ର ସଂଖ୍ୟାଗରିଷ୍ଠ ହିନ୍ଦୁ ସମ୍ପ୍ରଦାୟ ତୀବ୍ର ବିରୋଧ କରିଥିଲେ। ଫଳରେ ଭାରତୀୟ ସୈନିକ ଓ ଜୁନାଗଡ଼ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଲା। ପରିଣାମ ସ୍ବରୂପ ଜୁନାଗଡ଼ର ଦୁଇଟି ସଂରକ୍ଷିତ ଅଞ୍ଚଳ ମଙ୍ଗରୋଲ ଓ ବାବରିଆଵାଡ଼ ଭାରତରେ ମିଶିଯାଇଥିବା ବେଳେ ତୃତୀୟ ସଂରକ୍ଷିତ ଅଞ୍ଚଳ ବଣ୍ଟଵା ମାନବଦାର ପାକିସ୍ତାନରେ ମିଶିବାକୁ ପସନ୍ଦ କରିଥିଲା। ୧୯୪୮ ଫେବ୍ରୁଆରିରେ ବଣ୍ଟଵା ମାନବଦାର ପାଇଁ ସେ ଏକ ଜନମତ କରାଇଥିଲେ। ମାତ୍ର ଲୋକେ ବହୁସଂଖ୍ୟାରେ ଭାରତରେ ମିଶିବାକୁ ପସନ୍ଦ କରିଥିଲେ। ପରେ ପରେ ଅନ୍ୟ ଦୁଇ ଅଞ୍ଚଳ ମଧ୍ୟ ସରକାରୀ ଭାବେ ଭାରତରେ ମିଶିଯାଇଥିଲେ। ତେବେ ଦୀର୍ଘ ୭୨ ବର୍ଷ ହେଲା ଜୁନାଗଡ଼କୁ ଭୁଲିଯାଇଥିବା ପାକିସ୍ତାନ ଏବେ ତାହାକୁ କେବଳ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି ଦାବି କରିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର