କରୋନା କଷଣର କରୁଣ ପରିଣତି, ଫ୍ୟାନ୍‌ରେ ଝୁଲି ଯୁବତୀଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଗତକାଲି ରାତିରେ ପାହାଳ ଫାଣ୍ଡି ଅଧୀନ ଜୟପୁର ଗ୍ରାମରେ ଜଣେ ଯୁବତୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ହେଲେ ଜୟପୁର ଗ୍ରାମରେ ଭଡ଼ାଘରେ ରହୁଥିବା ନୟାଗଡ଼ର ପ୍ରତିଭା ପ୍ରଧାନ (୨୧)। ପାହାଳ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆତ୍ମହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ କରୋନା ପାଇଁ ଚାକିରି ହରାଇଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆଜି ସକାଳେ ପ୍ରତିଭା ଉଠିବାରେ ବିଳମ୍ବ ହେବାରୁ ପରିବାରଲୋକଙ୍କର ସନ୍ଦେହ ହୋଇଥିଲା। ଉକ୍ତ ରୁମ୍‌ଟି ଭିତରୁ ବନ୍ଦ ଥିବାରୁ ପରିବାରଲୋକ ପଡ଼ୋଶୀମାନଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ। ସେତେବେଳକୁ ପ୍ରତିଭାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ଏକ ଶାଢ଼ିକୁ ବେକରେ ବାନ୍ଧି ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ତେବେ କାଳେ ବଞ୍ଚିଥିବେ ଭାବି ପରିବାର ଲୋକେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ କଳହ ପାଇଁ ସେ ଗତ କିଛି ବର୍ଷ ହେଲା ଘର ଛାଡ଼ି ଜୟପୁରରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ ଓ ରାଜଧାନୀର ଏକ ମଲ୍‌ରେ ଚାକିରି କରୁଥିଲେ। କିନ୍ତୁ କରୋନା କଟକଣା ପାଇଁ ମଲ୍‌ ବନ୍ଦ ହୋଇଯିବା ପରେ ସେ ରୋଜଗାର ହରାଇଥିଲେ। ଫଳରେ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ମଲ୍‌ ଖୋଲିବା ପରେ କିନ୍ତୁ ସେ ଆଉ ତାଙ୍କ ଚାକିରି ଫେରିପାଇନଥିଲେ।

ସମ୍ବନ୍ଧିତ ଖବର