ଅନୁଭବଙ୍କ ଅଭିଯୋଗର ବର୍ଷାଙ୍କ ଜବାବ: ସୋସିଆଲ ମିଡିଆରେ ଲେଖିଲେ- ସତ କେବେ ଲୁଚି ରହେନା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ । ମୋର ଭଗବାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଏପରି ଖରାପ ସମୟର ମୁକାବିଲା ପାଇଁ ସମସ୍ତଙ୍କ ଆଶିର୍ବାଦ କାମନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ସେପଟେ ବର୍ଷା ଅନୁଭବ ବିବାଦକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି । କଂଗ୍ରେସ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି କହିଛି । କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି, ଏହି ପ୍ରସଙ୍ଗରେ ଇସ୍ତଫା ଦିଅନ୍ତୁ ସାଂସଦ ଅନୁଭବ ମହାନ୍ତି । ହେଲେ ଏହାକୁ ସାଂସଦଙ୍କ ବ୍ୟକ୍ତିଗତ ସମସ୍ୟା କହି ଏଡାଇ ଯାଇଛନ୍ତି ବିଜେଡି ନେତା ଅରବିନ୍ଦ ଢାଳି । ସେହିପରି ଫିଲ୍ମ ଜଗତରୁ ଉଭୟ ବର୍ଷା ଓ ଅନୁଭବଙ୍କ ସପକ୍ଷରେ ମତ ରଖିଛନ୍ତି ସେଲିବ୍ରେଟି ।

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଜୀବନରେ ଉଠିଥିବା ଝଡରେ ଆସିଛି ନୂଆ ମୋଡ । ଅନୁଭବ ଜଣେ ମଦ୍ୟପ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବର୍ଷା ସଂଗୀନ ଅଭିଯୋଗ କରିଥିଲେ । ହେଲେ ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ କରିଛନ୍ତି ।

ସମ୍ବନ୍ଧିତ ଖବର