ପାକିସ୍ତାନରେ ପୁଲିସ ବନାମ ସେନା

ସିନ୍ଧ୍‌ ଆଇଜିପିଙ୍କ ଅପହରଣ ପଛରେ ପାକ୍‌ ଗୃହ ମନ୍ତ୍ରୀଙ୍କ ହାତ

ଇସଲାମାବାଦ୍ : ପାକିସ୍ତାନରେ ଏବେ ପୁଲିସ ଏବଂ ସେନା ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ସିନ୍ଧ୍‌ ପ୍ରଦେଶ ଆଇଜିପିଙ୍କ ଅପହରଣ ପ୍ରସଙ୍ଗକୁ ନେଇ ସିନ୍ଧ୍‌ ପୁଲିସ ବିଦ୍ରୋହ ଆରମ୍ଭ କରିଛି। ପାକ୍‌ ସେନା ସିନ୍ଧ୍‌ ଆଇଜିପିଙ୍କ ଅପହରଣ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ପିଏମଏଲ୍‌ଏନ୍‌ ନେତାମାନଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ପାଇଁ ସିନ୍ଧ୍‌ ଆଇଜିପିଙ୍କୁ ଅପହରଣ କରିବା ପଛରେ ଗୃହ ମନ୍ତ୍ରୀ ଇଜାଜ୍‌ ଶାହଙ୍କ ଷଡ଼ଯନ୍ତ୍ର ରହିଛି। ପିଏମଏଲ୍‌ଏନ୍‌ ନେତା ସଫଦାର ଆୱାନ୍‌ଙ୍କ ଗିରଫ ଏବଂ ପାକିସ୍ତାନ ରେଂଜର୍ସ‌୍‌ମାନେ ସିନ୍ଧ୍‌ ଆଇଜିପିଙ୍କୁ ଅପହରଣ କରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ପାକ୍‌ ଗୃହ ମନ୍ତ୍ରୀ ବ୍ରିଗେଡିୟର ଇଜାଜ୍‌ ଶାହ। ସେ କହିଛନ୍ତି, ଅଭିବ୍ୟକ୍ତି ଜାହିର କରିବାର ଅଧିକାର ବଳରେ ଯାହା ଇଛା ତାହା କରିବାପାଇଁ ଅନୁମତି ମିଳିବନି। ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଶାହ କହିଛନ୍ତି, ପିଏମଏଲଏନ୍‌ ନେତା ନୱାଜ ସରିଫ୍‌ଙ୍କ ଦେଶ ବିରୋଧୀ କଥା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌।

ଶାହ ହେଉଛନ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା। ତାଙ୍କର ନୀତି ପାଇଁ ଏବଂ ଆତଙ୍କବାଦୀଙ୍କୁ ସମର୍ଥନ ପାଇଁ ସେ ଅନେକ ସମୟରେ ସମାଲୋଚନାର ଶିକାର ହୋଇଛନ୍ତି। ତେବେ ସିନ୍ଧ୍‌ ଆଇଜିପି ମୁସ୍ତାକ ମେହରଙ୍କ ଅପହରଣ ପଛରେ ଇଜାଜ୍‌ ଶାହଙ୍କ ହାତ ଅଛି ବୋଲି କୁହାଯାଉଛି। ରେଂଜର୍ସମାନେ ଇଜାଜ୍‌ ଶାହଙ୍କ ନିୟନ୍ତ୍ରଣରେ ଅଛନ୍ତି। ତାଙ୍କ ଇସାରାରେ ହିଁ ଏହି କାର୍ଯ୍ୟ ହୋଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ କରାଚିରେ ୧୧ ବିରୋଧୀ ଦଳମାନଙ୍କର ଏକ ମେଣ୍ଟ୍‌ ପିଡିଏମ୍‌ (ପାକିସ୍ତାନ ଡିମୋକ୍ରାଟିକ୍‌ ମୁଭ୍‌ମେଣ୍ଟ୍‌) ସରକାର ବିରୋଧରେ ଏକ ବିଶାଳ ରୢାଲି କରିଥିଲେ। ସେମାନେ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବି କରିଥିଲେ। ରୢାଲି ସମୟରେ ସଫଦାର ଆୱାନ୍‌ଙ୍କୁ ଗିରଫ କରିବାପାଇଁ ଏବଂ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ପାଇଁ ରେଂଜର୍ସ୍‌ମାନେ ସିନ୍ଧ୍‌ ଆଇଜିପିଙ୍କୁ ଅପହରଣ କରିନେଇଥିଲେ। ସେପଟେ ଏହାକୁ ବିରୋଧ କରି ସମସ୍ତ ସିନ୍ଧ୍‌ ପୁଲିସ ଏକ ସମୟରେ ଛୁଟି ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର