ଭକ୍ତ ଆଶ୍ୱସ୍ତ; ଆରବର୍ଷ ବି ହେବ ନାଗାର୍ଜୁନ ବେଶ

୨୬ ବର୍ଷ ପରେ ଏ ବର୍ଷ ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ଦୁର୍ଲଭ ବେଶ

ରଥଯାତ୍ରା ଭଳି କରୋନା ବାଟ ଓଗାଳିଲା, ସର୍ବସାଧାରଣ ଦର୍ଶନରେ କଟକଣା
୨୦୨୧ରେ ମଧ୍ୟ ପଞ୍ଚୁକ ଛଅଦିନ, ନଭେମ୍ବର ୧୫ରେ ପୁଣି ବେଶ ଦର୍ଶନ

ଭୁବନେଶ୍ୱର : କରୋନା ମହାମାରୀର ପ୍ରକୋପ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ନୀତି ବିଧି ଅନୁସାରେ ସଂପନ୍ନ ହେଲା। ହେଲେ ଭକ୍ତ-ଭଗବାନଙ୍କର ମିଳନ ହୋଇପାରିଲା ନାହିଁ। ଶ୍ରୀବିଗ୍ରହମାନଙ୍କର ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ। କେବଳ ନିଜ ସେବକଙ୍କ ସେବା ଭିତରେ ସୀମିତ ରହିଗଲା ରଥଯାତ୍ରା। ଭକ୍ତ ଅପେକ୍ଷା କରିଛି ଆରବର୍ଷକୁ। କରୋନା ପ୍ରକୋପ କମିଯାଇଥିବ ଓ ଠାକୁରେ ରଥ ଉପରକୁ ଆସିଲେ ପୁଣି ଦର୍ଶନ ହେବ, ରଥ ଦଉଡି ଟାଣିବ।

ଆଜି ଦିନର ବାସ୍ତବତା ହେଲା, କରୋନା ପ୍ରକୋପ ରାଜ୍ୟରେ ସାମାନ୍ୟ କମିଛି, ହେଲେ ଭୟାବହତା ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେବା ଭଳି ହୋଇନାହିଁ। ଆଉ ଚଳିତବର୍ଷ ପଞ୍ଚୁକ ୬ଦିନ ପଡ଼ୁଥିବା ପରିପ୍ରେକ୍ଷୀରେ ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ବୀର ବେଶ ଧାରଣ କରିବେ ମହାପ୍ରଭୁ।

ନଭେମ୍ବର ୨୭ ତାରିଖ ଦ୍ବାଦଶୀ ମଳ ତିଥିରେ ପ୍ରଭୁ ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ସଜ୍ଜିତ ହେବେ। କିନ୍ତୁ ରଥଯାତ୍ରା ଭଳି ଏଥର ଭକ୍ତଙ୍କୁ ଭଗବାନଙ୍କର ଏହି ଅପୂର୍ବ ଲୀଳା ଦର୍ଶନରୁ ବଞ୍ଚିତ କରୁଛି କରୋନା। ମହାପ୍ରଭୁଙ୍କର ଏହି ଆକର୍ଷଣୀୟ ବେଶ ଦର୍ଶନ ଲାଗି ଏଥର ସର୍ବସାଧାରଣ ପ୍ରବେଶ ନିଷେଧ ରହିଛି। ସ୍ବାଭାବିକ ଭାବେ ଲକ୍ଷ ଲକ୍ଷ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଏହି ଖବର ନିରାଶ କରିଛି। ଭକ୍ତମହଲରେ ପ୍ରଶ୍ନ ଉଠିଛି, ରଥଯାତ୍ରା ସିନା ଫି ବର୍ଷ ହେଉଛି, ଏଥର ନ ହେଲେ ନାହିଁ, ଆସନ୍ତାଥର ରଥ ଉପରେ ମହାପ୍ରଭୁ ଦର୍ଶନ ଦେବେ କିନ୍ତୁ ନାଗାର୍ଜୁନ ବେଶ? ପୁଣି କେବେ ଯାଇ ପଡ଼ିବ? ସେବେ ପାଗଯୋଗ ଠିକ୍ ଥିଲେ ତ? ବୟସ ଅନୁମତି ଦେଉଥିଲେ ତ?

ଭକ୍ତ ଏଭଳି ଅନେକ ଦ୍ବନ୍ଦ୍ବ ଭିତରେ ସନ୍ତୁଳି ହେଉଥିବା ବେଳେ ଏକ ଆଶ୍ବସ୍ତି ଆଣିଲା ଭଳି ଖବର ହେଉଛି, ୧୯୯୩ ଓ ୧୯୯୪ ମସିହାରେ ଲଗାତାର ଭାବେ ଯେଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେ ଯୋଗ ପୁଣି ଫିଟିଛି। ଚଳିତବର୍ଷ (୨୦୨୦ ନଭେମ୍ବର ୨୭ ତାରିଖ) ପରି ୨୦୨୧ ଅର୍ଥାତ୍ ଆସନ୍ତା ବର୍ଷ ବି ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ। ପଞ୍ଚୁକ ଛଅ ଦିନ ପଡ଼ୁଛି। ସଂପ୍ରତି ବଜାରକୁ ଆସିଥିବା ୨୦୨୧ ମସିହା କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ଯେ ନଭେମ୍ବର ୧୫ ତାରିଖ ଦିନ ଶ୍ରୀଜିଉ ମଳ ତିଥିରେ ପୁଣି ଏହି ଆକର୍ଷଣୀୟ ବେଶରେ ସଜ୍ଜିତ ହେବେ। ସେଦିନ ବଡ଼ ଏକାଦଶୀ ତିଥି ରହିଥିବା ପରିପ୍ରେକ୍ଷୀରେ ନିର୍ଦିଷ୍ଟ କେଉଁ ସମୟରେ ମହାପ୍ରଭୁଙ୍କର ଦର୍ଶନ ହେବ, ତାହା ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପଣ୍ଡିତମାନଙ୍କ ସହିତ ଆଲୋଚନା କରି ନିଶ୍ଚିତ କରିବେ।

ଶେଷଥର ପାଇଁ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୋଇଥିଲେ। ଏହା ପୂର୍ବରୁ ୧୯୯୩ ମସିହାରେ ନାଗାର୍ଜୁନ ବେଶ ଦର୍ଶନ ଲାଗି ପୁରୀରେ ଜନସମାଗମ ସୀମା ଟପିଥିଲା ଓ ଶ୍ରୀମନ୍ଦିରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଦଳାଚକଟାରେ ୩ଜଣ ପ୍ରାଣ ହରାଇଥିଲେ ଓ ୩୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ। ଦୀର୍ଘ ୨୫ ବର୍ଷ ପରେ ସେବର୍ଷ ନାଗାର୍ଜୁନ ବେଶ ପଡୁଥିବା କାରଣରୁ ଭକ୍ତ ପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନରୁ ନିଜକୁ ବଞ୍ଚିତ କରିବା ପାଇଁ ଚାହିଁନଥିଲେ।

ଏଠାରେ ଉଲ୍ଲେଖଥାଉକି, ମହାପ୍ରଭୁଙ୍କର ଏଭଳି ସାମାରିକ ବେଶ ପଛର ରହସ୍ୟ ଯେପରି ରୋଚକ, ଠିକ୍ ସେହିପରି ଇତିହାସ ବି। ନାଗାର୍ଜୁନ ବେଶ ପଛର ଏହି ଲମ୍ବା କାହାଣୀ ସଂପର୍କରେ ଚଳିତମାସ ‘ପୌରୁଷ’ ପତ୍ରିକାରେ ବିଶଦ ତଥ୍ୟ ରହିଛି। ଶ୍ରୀଜଗନ୍ନାଥ ଗବେଷକ ଡ. ଭାସ୍କର ଚନ୍ଦ୍ର ମିଶ୍ର ଏଥିରେ ଦର୍ଶାଇଛନ୍ତି ଯେ ମହାପ୍ରଭୁଙ୍କର ଏଭଳି ବେଶର ପରିକଳ୍ପନା ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ ଆଉ କୌଣସିଠାରେ ନାହିଁ। ଠାକୁରେ ହସ୍ତପଦ ବିହୀନ ହେଲେ ମଧ୍ୟ ତାଙ୍କର ଏହି ବେଶରେ ସ୍ବର୍ଣ୍ଣ ଶ୍ରୀଭୁଜ, ନଳି, ଶ୍ରୀପୟର, ଶଙ୍ଖ, ଚକ୍ର, ହଳ, ମୂଷଳ ଲାଗି କରାଯାଇଥାଏ। ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ନାଗାବେଶ ସଜ୍ଜିତ ହୁଅନ୍ତି ଏବଂ ଦେବୀ ସୁଭଦ୍ରା ତ୍ରିଭୁବନେଶ୍ବରୀ ବେଶରେ ମଣ୍ଡିତ ହୋଇଥାନ୍ତି। ଦେବୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ ଶୋଭାପାଏ ଏବଂ ଚନ୍ଦ୍ରିକା, ତଗଡ଼ି ଏବଂ ଅଣ୍ଟାପଟି ମହାପ୍ରଭୁ ଲାଗି ହୋଇଥାନ୍ତି।

ଉଲ୍ଲେଖଯୋଗ୍ୟ, ନାଗାର୍ଜୁନ ବେଶ ନିର୍ମାଣ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶହରାରେ ପ୍ରଭୁଙ୍କର ନାଗାର୍ଜୁନ ବେଶର ଅନୁକୂଳ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦର୍ଶନ କଟକଣାଯୁକ୍ତ ହୋଇଥିବା କାରଣରୁ ସରକାରୀ ପ୍ରସ୍ତୁତି ସୀମିତ ରହିଛି।

ସମ୍ବନ୍ଧିତ ଖବର