କଂଗ୍ରେସ ହିଁ ରାଜ୍ୟର ସ୍ଥିତିକୁ ବଦଳାଇ ପାରିବ: ଚେଲ୍ଲାକୁମାର

ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ, ରାଜଧାନୀରେ ବିଶାଳ ବାଇକ୍ ଶୋଭାଯାତ୍ରା

ଭୁବନେଶ୍ବର: ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଗର୍ଜିଲା ପ୍ରଦେଶ ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଛାତ୍ର ସମାଜର ସ୍ବାର୍ଥ ଓ ଭବିଷ୍ୟତକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ‘କମ୍ପନ’ ସମାବେଶରେ ଟାର୍ଗେଟ କରାଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ସୟଦ ୟାସିର ନଵାଜଙ୍କ ନେତୃତ୍ବରେ ଏୟାରପୋର୍ଟ ଛକରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କଂଗ୍ରେସ ଭବନ ପର୍ଯ୍ୟନ୍ତ ବାହାରିଥିଲା। ଛାତ୍ର ସମାଜର ସ୍ବାର୍ଥ ପାଇଁ ତୀବ୍ର ଆନ୍ଦୋଳନ ଜରୁରୀ ବୋଲି ବରିଷ୍ଠ ନେତୃବୃନ୍ଦମାନେ ଛାତ୍ର କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ ସଭାରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ। ଛାତ୍ର କଂଗ୍ରେସର କର୍ମୀମାନେ ସବୁ ଜିଲ୍ଲାକୁ ଯାଇ ତୃଣମୂଳ ସ୍ତରରେ ଛାତ୍ରଙ୍କ ସହ ମିଶି ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବୁଝିବେ। ସେହିଭ​ଳି ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଏ ଚେଲ୍ଲାକୁମାର କହିଥିଲେ, ଛାତ୍ର କଂଗ୍ରେସ ହିଁ ରାଜ୍ୟର ପରିସ୍ଥିତିକୁ ପରିବର୍ତ୍ତନ କରିପାରିବ। ଦୁର୍ନୀତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଥିଲେ। ଏହା ସହିତ ଭାରତର ଇତିହାସକୁ କଦର୍ଥ କରାଯାଉଥିବା କହି ବିଜେପି ଓ ଆର୍‌ଏସ୍ଏସ୍‌କୁ ଟାର୍ଗେଟ୍ କରିଥିଲେ। ଅପରପକ୍ଷରେ ରାଜ୍ୟ ସରକାର କଂଗ୍ରେସ ଅମଳରେ ତିଆରି ହୋଇଥିବା ସମସ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନରୁ ୨୦ ବର୍ଷ ଧରି ଲୁଣ୍ଠନ କରାଯାଉଥିବା କହିଥିଲେ। ସେହିଭଳି ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଵାଜ ଆଗାମୀ ଦିନରେ ସବୁ ଜିଲ୍ଲା, ବ୍ଲକ୍, ପଞ୍ଚାୟତ ବୁଲି ବୁଲି ସଭା ସମିତି କରିବ ଏବଂ ଛାତ୍ରମାନଙ୍କ ପରିସ୍ଥିତ ସଂପର୍କରେ ବୁଝିବ ବୋଲି କହିଥିଲେ। ଏହା ସହିତ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମା’କୁ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଥିବା ନବୀନ ସରକାରଙ୍କ ସମୟରେ ମାତୃଜାତି ଅଧିକ ଉପେକ୍ଷିତ। ସେଥିପାଇଁ ଛାତ୍ର କଂଗ୍ରେସ ଯଦି ସଙ୍ଗଠିତ ହୋଇ ଆନ୍ଦୋଳନ କରିବ, ତେବେ ନାରୀ ଜାତି ସମ୍ମାନ ପାଇବା ସହିତ କଂଗ୍ରେସର ପୂର୍ବ ଗୌରବ ଫେରିଆସିବ। ବ୍ରିଟିଶ ସରକାର ଶାସନ କରିବା ସମୟରେ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଶକ୍ତ ଆକ୍ରମଣ କରିଥିଲା। ଫଳରେ ଦେଶର ସମସ୍ତ ସମ୍ପତ୍ତି ଲୁଟ କରିବାରେ ସେମାନେ ସଫଳ ହୋଇଥିଲେ। ସେହିଭଳି ରାଜ୍ୟରେ ବିଜେଡି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ସମ୍ପତ୍ତି ଲୁଟ୍‌ କରିଚାଲିଛନ୍ତି। ସ୍କୁଲ, କଲେଜ୍‌ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ପାଠପଢ଼ା ହେଉନାହିଁ। ଯାହାକି ଛାତ୍ରଙ୍କର ମୌଳିକ ଅଧିକାର। ଶିକ୍ଷା ଅର୍ଥ ଉଚ୍ଚମାନର ଶିକ୍ଷା। ଉଚ୍ଚମାନର ଶିକ୍ଷା ପାଇଁ ଭଲ ଦରମାରେ ଗୁଣାତ୍ମକ ଶିକ୍ଷକଙ୍କୁ ନିଯୁକ୍ତି ଦେବା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଡ଼ିବ।

ଏହା ସହିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଲଲାଟେନ୍ଦୁ ମହାପାତ୍ର, ବିଶ୍ବଜିତ୍ ଦାସ, ସତ୍ୟପ୍ରକାଶ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମନୋରଂଜନ ଦାଶ, କିରଣ ସାହୁ, ରଂଜିତ ଦାସ, ଜୟନ୍ତ ଭୋଇ, ପଦ୍ମାକର ଗୁରୁ, ସଂଗ୍ରାମ କେଶରୀ ଜେନା, ଦେବାଶିଷ ପଟ୍ଟନାୟକ, ରଜତ ଚୌଧୁରୀ ପ୍ରମୁଖ ଆନ୍ଦୋନକୁ ତୀବ୍ର କରିବାକୁ ଛାତ୍ର କଂଗ୍ରେସକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ଦେଇଥିଲେ। ପୁରୀ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ନୟାଗଡ଼ର ଯୁବନେତା ଅଫତାବ୍ ହୁସେନଙ୍କୁ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର