ସହର ସାରା ଛାଇଗଲାଣି ନବବର୍ଷ ଶୁଭେଚ୍ଛା ହୋର୍ଡିଂ, କଟକଣା ନ ମାନି ମନଇଚ୍ଛା ଲଗାଇଛନ୍ତି ଆଶାୟୀ ନେତା

ଦୁର୍ଘଟଣାର କାରଣ ପାଲଟୁଛି, ଚୁପ୍ ବସିଛି ବିଏମ୍‌ସି, ବିଏମ୍‌ସି ଓ ଡିସିପିଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର: ନୂଆବର୍ଷର ସପ୍ତାହେ ବିତିବାକୁ ବସିଲାଣି। କିନ୍ତୁ ଶୁଭେଚ୍ଛା ଜ୍ଞାପନର ନାଟକ ସରୁନି। ଆଗକୁ ବିଏମ୍‌ସି ନିର୍ବାଚନ ହେବାକୁ ଯାଉଥିବାରୁ ସହରର ଗଳିକନ୍ଦିରେ ଛାଇ ଯାଇଛି ବିଭିନ୍ନ ଦଳର ଆଶାୟୀ ନେତାଙ୍କ ହୋର୍ଡିଂ, ବ୍ୟାନର୍ ଓ କଟ୍‌ଆଉଟ୍‌। ସତେ ସେମିତି ରାଜଧାନୀରେ ନୂଆବର୍ଷର ହୋର୍ଡିଂ ଲଗାଇବା ପ୍ରତି‌ଯୋଗିତା ଚା‌ଲିଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେତେ କଠୋର ନିୟମ ଲାଗୁ କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ। ରାସ୍ତାରେ ମନଇଚ୍ଛା ହୋର୍ଡିଂ ଓ ବ୍ୟାନର୍‌ ଲାଗି ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ଚୁପ୍‌ ବସିଛି ବିଏମ୍‌ସି। ଏଭଳି ମନଇଚ୍ଛା ହୋର୍ଡିଂ ଲଗାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି କିଛି ସମାଜସେବୀ ବିଏମ୍‌ସି କମିସନରଙ୍କ ପାଖରେ ଅଭିଯୋଗ କରିଛନ୍ତି।

୨୦୧୮ ଅକ୍ଟୋବର ୨୨ ତାରିଖରେ ବିଏମ୍‌ସି ପକ୍ଷରୁ ଏକ ଆଇନ କରାଯାଇଥିଲା। ଛାତ ଉପରେ ଆଉ ହୋର୍ଡିଂ ଲାଗି ପାରିବ ନାହିଁ ବୋଲି ପୂର୍ବରୁ ବିଏମ୍‌ସି କହିଥିଲା। ରାଜଧାନୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ନିୟମ ଯୋଗୁଁ ସାଧାରଣ ଜନତାଙ୍କ ତଥା ବିଭିନ୍ନ ଅନୁଷ୍ଠାନର ଲାଗିଥିବା ବେଆଇନ ହୋର୍ଡିଂକୁ ବିଏମ୍‌ସି କେତେକ ସ୍ଥାନରେ କାଢ଼ି ନେଉଛି। ହେଲେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ବ୍ୟାନର ଓ ହୋର୍ଡିଂକୁ ହାତ ମାରୁନି। ହୋର୍ଡିଂଗୁଡ଼ିକୁ ହଟାଯାଉନି କି ଜରିମାନା ବି ଆଦାୟ ହେଉନାହିଁ।
ଏ ନେଇ ‘ଅଙ୍କୁଶ’ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ମହାପାତ୍ର କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳୟ ରାସ୍ତା ଉପର ବିଜ୍ଞାପନ ହୋର୍ଡିଂ ନ ଲଗାଇବା ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସେହିପରି ଜାତୀୟ ରାଜପଥ ନିକଟରେ ୧୦ ମିଟର ବ୍ୟବଧାନ ସହ ଛକ, ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଯାନବାହନ ଗମନାଗମନ ସ୍ଥାନରେ ହୋର୍ଡିଂ ଲଗାଇବା ଉପରେ କଟକଣା ରହିଛି। ମାତ୍ର ସବୁ ନିୟମକୁ ଅଣଦେଖା କରି ରାଜପଥ ଉପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ନ ଥାଇ ଦୁର୍ଘଟଣାକୁ ନିମନ୍ତ୍ରଣ ସଦୃଶ ହୋର୍ଡିଂ ଲଗାଯାଇଛି। ସାମନ୍ତରାପୁର ଜାତୀୟ ରାଜପଥରେ ରାସ୍ତା ଉପରେ ରାଜନୈତିକ ଦଳ ପକ୍ଷରୁ ଏଭଳି ହୋର୍ଡିଂ ଲଗାଯାଇଛି।

ଫଳରେ ଏହା ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଆଳରେ ନିଜ ରାଜନୈତିକ ସ୍ବାର୍ଥ ହାସଲ ନିମନ୍ତେ ସାଧାରଣ ଲୋକଙ୍କ ଜୀବନକୁ ବାଜି ଲଗାଇବାକୁ ପଛାଇ ନାହାନ୍ତି। ୫ଦିନ ହେବ ବିଏମ୍‌ସି ଜୋନାଲ ଅଫିସ୍ ଏବଂ ୫୯ନଂ ୱାର୍ଡ ଅଫିସଠାରୁ ମାତ୍ର ଶହେ ମିଟର ବ୍ୟବଧାନରେ ଏପରି ହୋର୍ଡିଂ ଲାଗୁଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀଙ୍କ ନଜରକୁ ଆସିନାହିଁ। ସେଥିପାଇଁ ଆଇନଜୀବୀ ଶ୍ରୀ ମହାପାତ୍ର ବିଏମ୍‌ସି କମିସନର ଏବଂ ଭୁବନେଶ୍ବର ଡିସିପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଫୌଜଦାରୀ ମାମଲା ଦାୟର କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର