ନାବାଳକ ଆଇନ ସଂଶୋଧନ ପାଇଁ ମିଳିଲା କ୍ୟାବିନେଟ୍‌ର ଅନୁମୋଦନ

ବଢ଼ିବ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କ୍ଷମତା

ନୂଆଦିଲ୍ଲୀ: ଦେଶରେ ପ୍ରଚଳିତ ଥିବା ନାବାଳକ ଆଇନ ବା ଜୁଭେନାଇଲ୍‌ ଜଷ୍ଟିସ୍‌ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ପ୍ରଦାନ କରିଛି। ଏଥିରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଭୂମିକା ଓ କ୍ଷମତାକୁ ବଢ଼ାଇ ଦିଆଯାଇଛି।

ଏ ସଂପର୍କରେ କ୍ୟାବିନେଟ ନିଷ୍ପତ୍ତି ଉପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏହି ଆଇନର କାର୍ଯ୍ୟକାରିତା ପାଇଁ ଦାୟୀ ଏଜେନ୍‌ସିଗୁଡିକର କାର୍ଯ୍ୟ ଉପରେ ନଜର ରଖିବାର କ୍ଷମତା ପାଇବେ। ଏଥିସହ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଇରାନୀ କହିଛନ୍ତି ଯେ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ର ସଦସ୍ୟ ହେବାକୁ ଥିବା ଲୋକଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିିଷ୍ଟ ନିର୍ଦ୍ଦେଶ ବା ନିୟମ ନଥିଲା। କିନ୍ତୁ, କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯାଇଥିବା ସଂଶୋଧନ ଅନୁଯାୟୀ, ସିଡବ୍ଲ୍ୟୁସିର ସଦସ୍ୟ ହେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ପୃଷ୍ଠଭୂମି ଏବଂ ଶିକ୍ଷାଗତ ଯୋଗ୍ୟତାକୁ ଯାଞ୍ଚ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ଦର୍ଶାଇଛନ୍ତି।

ଇରାନୀ କହିଛନ୍ତି ଯେ ପୂର୍ବରୁ ଯେକୌଣସି ସଂସ୍ଥା ଶିଶୁ ଯତ୍ନ (ସିସି) ଅନୁଷ୍ଠାନ ଚଳାଇବାକୁ ଚାହୁଁଥିଲେ ଏହାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କୁ ଦେବା ଆବଶ୍ୟକ ପଡ଼ୁଥିଲା। ହେଲେ, ଏବେ ପ୍ରସ୍ତାବିତ ସଂଶୋଧନରେ, ଶିଶୁ ଯତ୍ନ ଅନୁଷ୍ଠାନର ପଞ୍ଜୀକରଣ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ୍‌) ଏହାର କ୍ଷମତା ଏବଂ ପୃଷ୍ଠଭୂମି ଯାଞ୍ଚ କରିବେ ଏବଂ ପରେ ସୁପାରିଶକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବେ ବୋଲି ସେ କହିଛନ୍ତି। ନୂତନ ସଂଶୋଧନ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ୍‌) ଏଣିକି ସ୍ୱାଧୀନ ଭାବରେ ଏକ ବିଶେଷଜ୍ଞ ସିଡବ୍ଲ୍ୟୁସି, ନାବାଳକ ପୁଲିସ୍‌ ୟୁନିଟ୍‌ ଏବଂ ପଞ୍ଜୀକୃତ ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିପାରିବେ।

ଏହି ସଂଶୋଧନରେ ନାବାଳକ ନ୍ୟାୟିକ (ଜଷ୍ଟିସ୍‌) ଆକ୍ଟର ପରିସରକୁ ମଧ୍ୟ ବିସ୍ତାର କରାଯାଇଛି। ଶିଶୁ ଚାଲାଣ ତଥା ଡ୍ରଗ୍‌ ଅପବ୍ୟବହାରର ଶିକାର ହୋଇଥିବା ଶିଶୁ ତଥା ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ପରିତ୍ୟକ୍ତ ବ୍ୟକ୍ତିମାନେ ଯତ୍ନର ଆବଶ୍ୟକତା ଥିବା ଶିଶୁ ଏବଂ ସଂରକ୍ଷଣର ସଂଜ୍ଞାରେ ଅନ୍ତର୍ଭୁକ୍ତ ହେବେ ବୋଲି ସେ କହିଛନ୍ତି।

ବର୍ତ୍ତମାନ, ଏହି ନୂତନ ଆଇନରେ ତିନିଟି ଶ୍ରେଣୀ ଯଥା: ନାମମାତ୍ର, ଗୁରୁତର ଏବଂ ଘୃଣ୍ୟ ଅପରାଧ ରହିଛି। ସେ କହିଛନ୍ତି, ଆଉ ଏକ ଶ୍ରେଣୀକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ଯେଉଁଥିରେ ଅପରାଧ ପାଇଁ ଅପରାଧୀକୁ ସାତ ବର୍ଷରୁ ଅଧିକ ଦଣ୍ଡ ବିଧାନ ହେବ। କିନ୍ତୁ, କୌଣସି ସର୍ବନିମ୍ନ ଦଣ୍ଡ ଦିଆଯାଇ ପାରିବ ନାହିଁ କିମ୍ବା ସର୍ବନିମ୍ନ ସାତ ବର୍ଷରୁ କମ୍‌ ଦଣ୍ଡ ମଧ୍ୟ ଦିଆଯିବ ନାହିଁ। ଏହି ଅଧିନିୟମ ଅନୁଯାୟୀ ଅପରାଧୀର ଅପରାଧକୁ ଗୁରୁତର ବୋଲି ବିବେଚନା କରାଯିବ।

ସମ୍ବନ୍ଧିତ ଖବର