ଫୁଲବାଣୀ : ଗ୍ରୀଷ୍ମଦିନ ଆରମ୍ଭ ନ ହେଉଣୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗ ଏ ନେଇ ନିରବଦ୍ରଷ୍ଟା ସାଜିଛି। ଜିଲ୍ଲାରେ ଯେଉଁ ପରିମାଣରେ ବନୀକରଣ ଯୋଜନାରେ ନୂତନ ବୃକ୍ଷ ରୋପଣ ହେଉଛି, ସେଥିରୁ ଅଧିକାଂଶ ଗଛ ମରି ଯାଉଥିବା ବେଳେ ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। କନ୍ଧମାଳ ଜିଲ୍ଲା ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଏଠାରେ ଆଜି ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଛି। ତେବେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଦିନତମାମ୍ ଫୁଲବାଣୀ ଫରେଷ୍ଟ ଡିଭିଜନ ଅନ୍ତର୍ଗତ କଟ୍ରିଙ୍ଗିଆ ମାଟିଘାଟି ଏବଂ ଗୋଛାପଡ଼ା ରେଞ୍ଜ୍ ଅନ୍ତର୍ଗତ ଗୋଛାପଡ଼ାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ସେହିଭଳି ଫୁଲବାଣୀରୁ ଫିରିଙ୍ଗିଆ ମଧ୍ୟରେ ଏବଂ ଫିରିଙ୍ଗିଆରୁ ସାରଙ୍ଗଡ଼ ଓ କ. ନୂଆଗାଁ ମଧ୍ୟରେ ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି। ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ମଧ୍ୟରେ କେତେକ ସ୍ଥାନରେ ମଧ୍ୟ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ତେବେ ଜଙ୍ଗଲ ଜଳୁଥିବା ବେଳେ ବନବିଭାଗ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛି। ଏଣେ ନିଆଁ ଲିଭା ବାବଦକୁ ଜଙ୍ଗଲ ବିଭାଗକୁ ଆସିଥିବା ୩୦ ଲକ୍ଷ ଟଙ୍କା ଅନୁଦାନ ପ୍ରକୃତ ପକ୍ଷେ ବିନିଯୋଗ କରାଯିବା ବଦଳରେ ଚଳୁ ହୋଇ ଯାଉଥିବା ଅଭିଯୋଗ ହୋଇଛି।
ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ମୂଲ୍ୟବାନ ଶାଳ, ଶାଗୁଆନ, ଔଷଧୀୟ ବୃକ୍ଷ ପୋଡ଼ି ଧ୍ବଂସ ପାଇଯାଉଛି। ବନ୍ୟଜନ୍ତୁଙ୍କ ଜୀବନ ବିପଦରେ। କେତେକ ସ୍ଥାନରେ ମହୁଲ ତୋଳିବା ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କେତେକ ସ୍ଥାନରେ ଶିକାରୀ ଏବଂ ଆଉ କେତେକ ସ୍ଥାନରେ କାଠ ଅଙ୍ଗାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆ ଯାଉଥିବା ସୂଚନା ମିଳିଛି। ଅପରପକ୍ଷେ, ଜଙ୍ଗଲରେ ନିଆଁ ବ୍ୟାପିଥିବା ସତ୍ତ୍ବେ ବନବିଭାଗ ଅଧିକାରୀଙ୍କ ନିକଟରେ ସୂଚନା ନାହିଁ। କଟ୍ରିଙ୍ଗିଆ ମାଟିଘାଟି ଜଙ୍ଗଲରେ ନିଆଁ ବ୍ୟାପିବା ସମ୍ପର୍କରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସମ୍ପର୍କରେ ଜାଣି ନଥିବା କହିଥିଲେ। ତେବେ ଏଠାରେ ତୁରନ୍ତ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅପରପକ୍ଷେ, ଜଙ୍ଗଲ ନିଆଁ ଲିଭାଇବା ବାବଦରେ ଚଳିତ ବର୍ଷ ଫୁଲବାଣୀ ଫରେଷ୍ଟ୍ ଡିଭିଜନ୍ ୧୫ ଲକ୍ଷ ଟଙ୍କା ଆର୍ଥିକ ରାଶି ପାଇଛି। ସେହିଭଳି ବାଲିଗୁଡ଼ା ଫରେଷ୍ଟ ଡିଭିଜନ ମଧ୍ୟ ୧୫ ଲକ୍ଷ ଟଙ୍କା ପାଇଛି। କନ୍ଧମାଳ ଜିଲ୍ଲାର ଏହି ଦୁଇଟି ବନଖଣ୍ଡ ଜଙ୍ଗଲ ନିଆଁଲିଭା ବାବଦକୁ ୩୦ ଲକ୍ଷ ଟଙ୍କା ପାଇଥିଲେ ମଧ୍ୟ ବାସ୍ତବରେ ଏହା ଖର୍ଚ୍ଚ ନ ହୋଇ କିଛି ଅଫିସରଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ହେଉଛି। ଏହି ଟଙ୍କାରେ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ସ୍ବୟଂ ସହାୟକଙ୍କୁ ନିଆଁଲିଭା କାମରେ ନିୟୋଜିତ କରାଯାଇଥାଏ। ସେମାନଙ୍କୁ ପାଣି ଟ୍ୟାଙ୍କର ସହ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ସାମଗ୍ରୀ ଯୋଗେଇ ଦିଆଯାଇଥାଏ। ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅର୍ଥ ଖର୍ଚ୍ଚ ହୋଇଥାଏ। ମାତ୍ର କନ୍ଧମାଳ ଜିଲ୍ଲାର ଏହି ଦୁଇ ବନଖଣ୍ଡରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବାର ଅଭିଯୋଗ ହୋଇଛି।