ଦେଢ଼ ବର୍ଷ ହେଲା ଚାଲିଛି ବ୍ରହ୍ମପୁର ଷ୍ଟାଡିୟମ୍‌ ନବୀକରଣ, ଆରମ୍ଭ ହେଲା ଇନ୍‌ଡୋର୍‌ ହଲ୍‌ ନିର୍ମାଣ କାମ

ସ୍ଥାନୀୟ ନେତା, କ୍ରୀଡ଼ାବିତ୍‌ଙ୍କ ପ୍ରସ୍ତାବକୁ ଉପେକ୍ଷା

ବ୍ରହ୍ମପୁର: ପ୍ରାୟ ୩୦ ବର୍ଷ ପରେ ବ୍ରହ୍ମପୁର ଷ୍ଟାଡିୟମକୁ ପୂର୍ଣ୍ଣାଙ୍ଗ ରୂପଦେବା ପାଇଁ ୨୦୧୯ ମସିହା ସେପ୍ଟେମ୍ବର ମାସରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ରାଜ୍ୟ ବାହାରର ଏକ ଠିକା ସଂସ୍ଥାକୁ ନିଯୁକ୍ତ କରାଗଲା। କିନ୍ତୁ ୧୯୮୮ ମସିହାରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଯେଉଁ ନକ୍ସା (ଲେ ଆଉଟ୍) ପ୍ରସ୍ତୁତ ହୋଇଥିଲା, ତା’କୁ ବଦଳାଇ ଦିଆଯାଇଥିଲା। ନୂଆ ନକ୍ସାରେ ପଡ଼ିଆର ଆକାର ବୃଦ୍ଧି କରାନଯାଇ ଏହାକୁ କ୍ରିକେଟ୍ ଉପଯୋଗୀ ପଡ଼ିଆରେ ରୂପାନ୍ତର କରିବା ପାଇଁ ପ୍ରସ୍ତାବ ରହିଥିଲା। ପୂର୍ବରୁ ‌ଦର୍ଶକଙ୍କ ପାଇଁ ଯେଉଁ ଚାରିଟି ଗ୍ୟାଲେରି ନିର୍ମାଣ ହୋଇଥିଲା, ଆଉ ତା’କୁ ବୃଦ୍ଧି କରାଗଲା ନାହିଁ। ବୁଝାମଣା ପରେ ପ୍ରତିରକ୍ଷା ବିଭାଗରୁ ଜିଲ୍ଲା ପ୍ରଶାସନକୁ ମିଳିଥିବା ସ୍ଥାନରେ ପଡ଼ିଆକୁ ଲାଗି କେବଳ ଏକ ଭିଆଇପି ଗ୍ୟାଲେରି କରିବା, ଅବଶିଷ୍ଟ ଅଞ୍ଚଳରେ ଏକ (ମଲ୍ଟିପର୍‌ପୋଜ୍) ଇନ୍‌ଡୋର୍‌ ହଲ୍, ସୁଇମିଂପୁଲ୍‌ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ‌ରେ ବିଶେଷ ଅଗ୍ରଗତି ଦେଖିବାକୁ ମିଳୁନି। ଏହା ମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଜାରି ରହିଛି। ପଡ଼ିଆରେ ପାଣି ସିଞ୍ଚନ (ସ୍ପ୍ରିଙ୍କଲିଂ ବ୍ୟବସ୍ଥା)ପାଇଁ ପାଇପ୍‌ ବିଛା କାମ ଶେଷ ହୋଇଛି। ଚତୁଃପାର୍ଶ୍ବର ଡ୍ରେନ୍ କାମ ଜାରି ରହିଛି। ପଡ଼ିଆ ପ୍ରସ୍ତୁତି ପାଇଁ ବଜୁରି ଓ ବାଲିପକା କାମ ଚାଲିଛି। ପିଚ୍‌ ପ୍ରସ୍ତୁତି କାମ ମଧ୍ୟ ଦରଖଣ୍ଡିଆ ରହିଛି। ସୁଇମିଂପୁଲ୍‌ କାମ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଁଚିଛି। କିଛିଦିନ ତଳେ ବ୍ରହ୍ମପୁର ଗସ୍ତରେ ଆସିଥିବା ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଷ୍ଟାଡିୟମ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟରେ ଶୀଥିଳତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ତ୍ବରାନ୍ବିତ କରିବା ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷେ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଏବଂ ସହରର କ୍ରୀଡ଼ାବିତ୍‌ଙ୍କୁ ଅବଗତ କରାଇବା ସହ ଆବଶ୍ୟକ ପରିବର୍ତ୍ତନ ପାଇଁ ମତାମତ ଗ୍ରହଣ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ବର୍ଷେ ମଧ୍ୟରେ ଦୁଇଦୁଇ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଗତବର୍ଷ ଫେବ୍ରୁଆରିରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଅନ୍ୟଟି ଗତ ନଭେମ୍ବରରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ବୈଠକରେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ବିଭିନ୍ନ କ୍ରୀଡ଼ା ସହ ସମ୍ପୃକ୍ତ ବିଶିଷ୍ଟ କ୍ରୀଡ଼ାବିତ୍‌ମାନେ ଯୋଗ ଦେଇଥିଲେ। ନିର୍ମାଣ ହେବାକୁ ଥିବା ଇନ୍‌ଡୋର୍‌ ହଲ୍‌ର ଆକାର, କଂକ୍ରିଟ୍ ଚଟାଣ ଏବଂ ଏହା ଭିତରେ ଦର୍ଶକ ଗ୍ୟାଲେରିର କ୍ଷମତାକୁ ନେଇ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥିଲେ। ହ୍ୟାଣ୍ଡବଲ୍‌ଠାରୁ ଆରମ୍ଭ କରି ବାସ୍କେଟବଲ୍, ବ୍ୟାଡମିଣ୍ଟନ, ଟେବୁଲ୍ ଟେନିସ୍‌ ଆଦି ସମସ୍ତ ପ୍ରକାର ଇନ୍‌ଡୋର୍‌ ଗେମ୍‌ ଆୟୋଜନ ହେଲାଭଳି ଏହି ଇନ୍‌ଡୋର୍‌ ହଲ୍‌ର ଆକାର ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ନକ୍ସା ମୁତାବକ ଏହି ଇନ୍‌ଡୋର୍‌ ହଲ୍‌ର ଦୈଘ୍ୟ ୩୮.୯୧୫ ମିଟର ଏବଂ ପ୍ରସ୍ଥ ୩୪ ମିଟର ରହିଛି। ଏଥିରେ ପରିବର୍ତ୍ତନ କରି ଇନ୍‌ଡୋର୍‌ ହଲ୍‌ର ଭିତର ପାର୍ଶ୍ବର ଦୈର୍ଘ୍ୟ ୫୦ ମିଟର ଏବଂ ପ୍ରସ୍ଥ ୪୦ ମିଟର କରିବା, ଏକ ହଜାର ଦର୍ଶକ କ୍ଷମତା ସମ୍ପନ୍ନ ଗ୍ୟାଲେରି ନିର୍ମାଣ ଏବଂ ଚଟାଣକୁ କଂକ୍ରିଟ୍‌ ପରିବର୍ତ୍ତେ ଉଡେନ୍‌ କରିବା ପାଇଁ ନୂଆ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏସବୁକୁ ଉପକ୍ଷୋ କରି ଏବେ ପୂର୍ବ ନକ୍ସା ମୁତାବକ ଇନ୍‌ଡୋର୍‌ ହଲ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲାଣି। ଏଥିପାଇଁ ନିଅଁ ଖୋଳା ଶେଷ ହେଲାଣି।

ଯାହାକୁ ନେଇ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋ‌ଷ ଦେଖାଦେଇଛି। ଗଂଜାମ ଜିଲ୍ଲାରେ କିଛି ଦିନ ତଳେ ଦୁଇଟି ଇନ୍‌ଡୋର୍‌ ହଲ୍ (ହିଂଜିଳି ଏବଂ ଛତ୍ରପୁରରେ ନିର୍ମିତ)କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ, ଯାହକୁ ବିଶ୍ବସ୍ତରୀୟ ବୋଲି ଦର୍ଶାଯାଇଥିଲା। କିନ୍ତୁ ଛତ୍ରପୁର ଇନ୍‌ଡୋର୍‌ ହଲ୍‌ର ଉଚ୍ଚତା ଯଥେଷ୍ଟ କମ୍‌ ଥିବାରୁ ସେଠାରେ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇପାରିବ ନାହିଁ। ହିଂଜଳିକାଟୁରେ ନିର୍ମିତ ଇନ୍‌ଡୋର୍‌ ହଲ୍‌ ବଡ଼ ହୋଇଥିଲେ ମଧ୍ୟ ହ୍ୟାଣ୍ଡବଲ୍ ଖେଳିବା ଉପଯୋଗୀ ନୁହେଁ। ସେଥିପାଇଁ ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ନିର୍ମାଣ ହେବାକୁ ଥିବା ଇନ୍‌ଡୋର୍‌ ହଲ୍‌ଟିର ଆକାର ସମସ୍ତ ପ୍ରକାର ଇନ୍‌ଡୋର୍‌ ଗେମ୍‌ ଆୟୋଜନ ହେଲାଭଳି ପ୍ରସ୍ତୁତ କରିବା ପାଇଁ କ୍ରୀଡ଼ାବିତ୍‌ମାନେ ପ୍ରସ୍ତାବ ଦେଇଥିଲେ। ଯାହାପ୍ରତି ସ୍ଥାନୀୟ ବିଧାୟକଙ୍କ ମଧ୍ୟ ସମର୍ଥନ ଥିଲା। କିନ୍ତୁ ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର