ଗଞ୍ଜାମରେ ଲାଗିଲା କଟକଣା; ସୁରତ, ମୁମ୍ବାଇରୁ ଆସିଲେ ଆର୍‌ଟିପିସିଆର୍‌ ରିପୋର୍ଟ ବାଧ୍ୟତାମୂଳକ

ଜରୁରୀ ନଥିଲେ ଆସିବା ବାରଣ, ଆସିଲେ ୭ ଦିନ ଗୃହ ସଙ୍ଗରୋଧ

ବ୍ରହ୍ମପୁର/ଛତ୍ରପୁର : ବାହାର ରାଜ୍ୟରୁ ଆସିଲେ କୋଭିଡ୍‌ ପରୀକ୍ଷା(ଆର୍‌ଟିପିସିଆର୍‌) ରିପୋର୍ଟ ବାଧ୍ୟତାମୂଳକ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବ୍ରହ୍ମପୁର ରେଳଷ୍ଟେସନ୍‌ ଭଳି ଛତ୍ରପୁର ଏବଂ ଖଲ୍ଲିକୋଟ ଷ୍ଟେସନ୍‌ରେ ଓହ୍ଲାଉଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ସ୍ବାସ୍ଥ୍ୟଗତ ସମସ୍ୟା କିମ୍ବା ଗସ୍ତର ସଂପୂର୍ଣ୍ଣ ତଥ୍ୟ ରେକର୍ଡ଼ଭୁକ୍ତ କରାଯିବା ସହ ୭ ଦିନ ଗୃହ ସଙ୍ଗରୋଧରେ ରଖାଯିବ। କେଉଁଦିନ କେତେ ପ୍ରବାସୀ ଆସୁଛନ୍ତି, ତାହା ରେକର୍ଡ଼ କରାଯିବ। କୋଭିଡ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର, ଗୁଜରାଟ ସମେତ ୬/୭ଟି ରାଜ୍ୟରେ କରୋନା ପୁଣି କାୟା ବିସ୍ତାର କରି ଚାଲିଛି। ମୁମ୍ବାଇ ଓ ସୁରତରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକ ସେଠାରେ ରହୁଛନ୍ତି। କେତେକ ଇଲାକରେ ପୁଣି ଲକ୍‌ଡାଉନ୍‌ ଜାରି ହେବା ପରେ ପ୍ରବାସୀ ଭିଟାମାଟି ଫେରିବା ସମ୍ଭାବନା ରହୁଛି।

ଅନ୍ୟପକ୍ଷରେ ଚଳିତ ମାସ ୧୦ ତାରିଖରୁ ଜିଲ୍ଲାରେ ପ୍ରତ୍ୟହ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ଜିଲ୍ଲାରୁ ନୂଆ ୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତ ସଂଖ୍ୟା ୨୦ରେ ପହଞ୍ଚିଛି। ଠିକଣା ସମୟରେ ଉପଯୁକ୍ତ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ ନ କଲେ ଗଞ୍ଜାମ ପ୍ରତି ବିପଦ ମାଡ଼ି ଆସିବ। ତେଣୁ ଜିଲ୍ଲା ପ୍ରଶାସନ ସତର୍କ ହୋଇ କୋଭିଡ଼୍‌ କଟକଣାକୁ କଡ଼ାକଡ଼ି କରିଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋଭିଡ଼୍‌ ସ୍ଥିତିର ସୀମକ୍ଷା ଲାଗି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। କୋଭିଡ୍ ସମୟରେ ଯେଉଁଭଳି କଟକଣା ଜାରି କରାଯାଇ ପଞ୍ଚସୂତ୍ରୀ ନିୟମ ପାଳନକୁ ଗୁରୁତ୍ବ ଦିଆ ଯାଇଥିଲା, ତାହା ପୁଣି କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ମାନଙ୍କରେ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯିବାକୁ ବୈଠକରେ ସ୍ଥିର ହୋଇଛି।

ସୂଚନା ଅନୁସାରେ, ଦଣ୍ଡନାଚ, ଠାକୁରାଣୀ ଯାତ୍ରା ପାଇଁ ବାହାର ରାଜ୍ୟରୁ ଜିଲ୍ଲାକୁ ନ ଆସିବାକୁ ଓ ସ୍ଥାନୀୟ ଲୋକେ ହିଁ ସାମିଲ୍‌ ହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ସକାଶେ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାର ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ବାହାରୁ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ କରି ଗୃହ ସଙ୍ଗରୋଧ‌ରେ ରଖାଯିବ। ଯାତ୍ରା, ଦଣ୍ଡନାଚ ପାଇଁ ରାଜ୍ୟ ଓ ଜିଲ୍ଲା ବାହାରୁ ଲୋକ ଆସୁଥିବା ଜଣା ପଡ଼ିଲେ ଯାତ୍ରା ସ୍ଥଗିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମନ୍ଦିର ଗୁଡ଼ିକରେ କୋଭିଡ୍ ନିୟମ ଅନୁପାଳନ ନକଲେ ସଂପୃକ୍ତ ମନ୍ଦିରକୁ ବନ୍ଦ ରଖାଯିବ। ଚିକିତ୍ସାଳୟ ଗୁଡ଼ିକରେ ସଙ୍ଗରୋଧ କକ୍ଷ ପ୍ରସ୍ତୁତ କରି ରଖାଯିବ। ବର୍ତ୍ତମାନ ଆସିଥିବା ଟିକାକରଣ ଯେମିତି ଶତପ୍ରତିଶତ ଶେଷ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ବସ୍ ଗୁଡ଼ିକରେ ସିଟ୍‌ କ୍ଷମତା ବାହାରେ ଠିଆ ହୋଇ ଯାତ୍ରୀ ଯେପରି ଚଢ଼ିବେ ନାହିଁ ବସ୍ ମାଲିକମାନେ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ କଟକଣା ପାଳନ ନ ହେଲେ ଲକ୍‌ଡାଉନ୍ ଜାରି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିସନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ୍‌.ଭି, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟଲୋଚନ ମହାନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର