ରଂଜିତଙ୍କ ସଂଘର୍ଷରୁ ସଫଳତାର ଯାତ୍ରା: ରାତ୍ରି ଜଗୁଆଳରୁ ଆଇଆଇଏମ୍‌ର ଆସିଷ୍ଟାଣ୍ଟ୍ ପ୍ରଫେସର୍‌

ନୂଆଦିଲ୍ଲୀ: ପ୍ରବଳ ଇଚ୍ଛାଶକ୍ତି ଥିଲେ ପ୍ରତିବନ୍ଧକ ସଫଳତାକୁ ଅଟକାଇ ପାରି ନଥାଏ। ପ୍ରାଥମିକ ଜୀବନର ସାଧନା ପରବର୍ତ୍ତୀ ସମୟରେ ସିଦ୍ଧିରେ ପରିଣତ ହୋଇଥାଏ। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କେରଳର ୨୮ ବର୍ଷୀୟ ଯୁବକ ରଂଜିତ ରାମଚନ୍ଦ୍ରନ। ରାତ୍ର ଜଗୁଆଳି ଭାବେ କାମ କରିଥିବା ରଂଜିତଙ୍କର ପାଠ ପଢ଼ା ପ୍ରତି ଏତେ ଆଗ୍ରହ ଥିଲା ଯେ କୌଣସି ପ୍ରତିବନ୍ଧକ ତାଙ୍କୁ ଶିକ୍ଷାରୁ ନିବୃତ୍ତ କରିପାରି ନଥିଲା। ଜୀବନରେ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ସେ ପ୍ରଥମେ କଲେଜ ଏବଂ ପରେ ଆଇଆଇଟି-ମାଡ୍ରସ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ଏବେ ଆଇଆଇଏମ୍‌ ରାଞ୍ଚିର ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ରାମଚନ୍ଦ୍ରନଙ୍କ ଜୀବନର ସଂଘର୍ଷମୟ ଯାତ୍ରା ଏବେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। କେରଳରେ ଏକ ଅତ୍ୟନ୍ତ ଗରିବ ପରିବାରରେ ରଂଜିତ ଜନ୍ମ ହୋଇଥିଲେ। ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କର ଏକ ନୁଆଣିଆ ଟାଇଲ୍‌ ଛପର ଘର ଥିଲା। କିନ୍ତୁ ସେ ଘରର ଅବସ୍ଥା ଏଭଳି ଯେ ବର୍ଷା ହେଲେ ପାଣି ପଶିଯାଏ। ବର୍ଷାରୁ ରକ୍ଷା ପାଇବା ପାଇଁ ଘରର ଉପରେ ସେ ପଲିଥିନ୍ ବିଛାଇଥିଲେ। ତାଙ୍କ ଜୀବନର ସଂଘର୍ଷ ଏବଂ ସଫଳତା ସଂପର୍କରେ ସେ ସାମାଜିକ ଗଣମାଧ୍ୟମରେ ନିଜେ ପୋଷ୍ଟ କରିଛନ୍ତି। ଟାଇଲ ଏବଂ ପଲିଥିନ ବିଛାଯାଇଥିବା ସେହି ନୁଆଣିଆ ଘର ସହିତ ତାଙ୍କ ଫଟୋକୁ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହା ପରେ ତାହା ଭାଇରାଲ ହେବାରେ ଲାଗିଛି। ଏପରିକି କେରଳ ଅର୍ଥମନ୍ତ୍ରୀ ଟି ଏମ୍‌ ଥୋମାସ ଆଇଜାକ୍‌ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁଯାୟୀ ରଂଜିତ କେରଳର କାସାରଗଡ଼ ଜିଲ୍ଲାର ପାନାଥୁରଠାରେ ବିଏସଏନଏଲ ଟେଲିଫୋନ ଏକ୍ସଚେଞ୍ଜରେ ରାତ୍ର ଜଗୁଆଳ ଭାବେ କାମ କରୁଥିଲେ। ସେହି ସମୟରେ ସେ ସହରର ପାୟସ ଟେନ୍‌ଥ କଲେଜରେ ଅର୍ଥନୀତି ବିଭାଗରେ ନାମ ଲେଖାଇ ପାଠ ପଢ଼ା ଆରମ୍ଭ କରିଥିଲେ। ରାତିରେ କାମ କରୁଥିବାବେଳେ ଦିନବେଳା କଲେଜକୁ ପଢ଼ିବା ପାଇଁ ଯାଉଥିଲେ। ଅର୍ଥନୀତି (ସମ୍ମାନ)ରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ଆଇଆଇଟି ମାଡ୍ରାସରେ ନାମ ଲେଖାଇଲେ। କିନ୍ତୁ ସେ କେବଳ ମାଲାୟଲମ ଭାଷା ଜାଣିଥିବାରୁ ଆଇଆଇଟି ମାଡ୍ରାସରେ ପଢ଼ିବା ପାଇଁ ତାଙ୍କୁ ଅନେକ ଅସୁବିଧା ହୋଇଥିଲା। ଏଥିରେ ସେ ହତୋତ୍ସାହିତ ହୋଇ ପିଏଚ୍‌ଡି ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ଗାଇଡ୍ ତାଙ୍କୁ ଏଭଳି ନିଷ୍ପତ୍ତି ନନେବା ପାଇଁ କହିଥିଲେ। ଏହାପରେ ସେ ସଂଘର୍ଷ କରି ନିଜର ସ୍ବପ୍ନ ପୂରଣ ପାଇଁ ପରିକରବଦ୍ଧ ହୋଇଥିଲେ। ଗତବର୍ଷ ସେ ତାଙ୍କର ପିଏଚ୍‌ଡି ସାରିବା ପରେ ବେଙ୍ଗାଲୁରୁର ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ କାମ କରିଥିଲେ। ଏବେ ସେ ଆଇଆଇଏମ ରାଞ୍ଚିଂରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ରଂଜିତ ଲେଖିଛନ୍ତି ତାଙ୍କ ବାପା ଜଣେ ଦରଜୀ ଏବଂ ମାଆ ଏମଜିଏନଆରଇଜିଏସ୍‌ରେ ଦିନ ମଜୁରିଆ ଭାବେ କାମ କରନ୍ତି। ଶିକ୍ଷାକୁ ଅସ୍ତ୍ର କରି ରଂଜିତ ‌ଯେଉଁ ସଂଗ୍ରାମ କରିଥିଲେ ତାହା ତାଙ୍କୁ ଆଜି ସାମାଜିକ ଓ ଅର୍ଥନୈତିକ ଅନଗ୍ରସରତାରୁ ମୁକ୍ତ କରିପାରିଛି ଏବଂ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କେରଳ ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର