କରୋନା ପରୀକ୍ଷା ପାଇଁ ବଢ଼ୁଛି ଭିଡ଼, ପର୍ଯ୍ୟାପ୍ତ କେନ୍ଦ୍ର ଖୋଲିବାକୁ ଦାବି

ସୁନ୍ଦରଗଡ଼ : କରୋନାର ଦ୍ବିତୀୟ ଲହରରେ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଓ ମୃତ୍ୟୁ ପ୍ରଥମ ଲହର ଅପେକ୍ଷା ବହୁଗୁଣରେ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ତୃତୀୟ ରୂପ (ଥାର୍ଡ ଷ୍ଟ୍ରେନ୍) କଥା ଚର୍ଚ୍ଚା ହେବା ପରେ ଲୋକେ ଭୀତତ୍ରସ୍ତ। ଏସ୍ଥିତିରେ ଜିଲ୍ଲାରେ ଉଭୟ ଆଣ୍ଟିଜେନ ଓ ଆରଟିପିସିଆର୍ ପରୀକ୍ଷା ପାଇଁ ନମୁନା ଦେବାକୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ନିର୍ଦ୍ଦିଷ୍ଟ ସ୍ଥାନରେ ପରୀକ୍ଷା କେନ୍ଦ୍ରକୁ ସୀମିତ କରାଯାଇଥିବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରଥମ ଲହରରେ ପର୍ଯ୍ୟାପ୍ତ କେନ୍ଦ୍ର ପ୍ରତିଷ୍ଠା କରି ପରୀକ୍ଷଣକୁ ଅତି ସହଜ ଓ ସୁବିଧାଜନକ କରାଯାଇଥିଲା। ଏବେ ଦ୍ବିତୀୟ ଲହର ସଂଘାତିକ ଥିଲେ ମଧ୍ୟ ପରୀକ୍ଷଣକୁ ସେପରି ବ୍ୟାପକ କରାଯାଇ ନଥିବାରୁ ସମସ୍ୟା ଦେଖାଦେଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ସମେତ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରେ ଖୋଲିଥିବା କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ସୂଚୀତ କରାଯାଇଛି।

ଏହିସବୁ କେନ୍ଦ୍ରରେ ସକାଳ ୮ଟାରୁ ଦିନ ୧୨ଟା ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା କରାଯାଉଥିବା କୁହାଯାଇଛି। ରାଉରକେଲା ସରକାରୀ ହସ୍ପିଟାଲ, ଇସ୍ପାତ ଜେନେରାଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଜୟପ୍ରକାଶ ହସ୍ପିଟାଲ, ସିଡବ୍ଲ୍ୟୁସି ହସ୍ପିଟାଲ, ଭେଷଜ ପଟେଲ ହସ୍ପିଟାଲ, ବନ୍ଦମୁଣ୍ଡା ରେଲୱେ ହସ୍ପିଟାଲ, ସେକ୍ଟର-୬ ହେଲ୍ଥ ସେଣ୍ଟର, ସୁପର ସ୍ପେଶିଆଲିଟି ହସ୍ପିଟାଲ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏନଟିପିସି କୋଭିଡ୍ ହସ୍ପିଟାଲ, ଏନଟିପିସି ଦର୍ଲିପାଲି, ବଣାଇ ଉପଖଣ୍ଡ ହସ୍ପିଟାଲ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜଗାଙ୍ଗପୁର, ବୀରମିତ୍ରପୁର, ଲହୁଣିପଡ଼ା, କୋଇଡ଼ା, ସର୍ଗିପାଲି, ମଙ୍ଗସପୁର, ହେମଗିର, କିଞ୍ଜିରକେଲା, ସବଡେଗା, ମଝାପଡ଼ା, ଏସ.ବଲାଙ୍ଗ,ବଡ଼ଗାଁ, କୁତ୍ରା, ଲାଇଙ୍ଗ, କୁଆରମୁଣ୍ଡା, ହାତୀବାରି, ବିଶ୍ରା, ବିରକେରା, ଗୁରୁଣ୍ଡିଆରେ କରୋନା ପରୀକ୍ଷା କରାଯାଉଛି। ସୁନ୍ଦରଗଡ଼ ସହରରେ ମାତ୍ର ୨ଟି କେନ୍ଦ୍ର ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଖୋଲାଯାଇଥିବା ବେଳେ ଲୋକେ କେବଳ ନମୁନା ଦେବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ପୂର୍ବ ବର୍ଷ ପରି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ଦାବି ହେଉଛି। ସମସ୍ତ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳରେ ଅଧିକ କେନ୍ଦ୍ର ସ୍ଥାପନ କରି କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ନମୁନା ସଂଗ୍ରହ କରି କରୋନା ଚିହ୍ନଟ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର