ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା: ରହସ୍ୟ ଭେଦ କରିପାରୁନି ପୁଲିସ, ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ବ

କୋଟିଏ ଟଙ୍କାର ଖୋଳତାଡ଼ କରିବ ଆୟକର ବିଭାଗ, ଅନ୍ତରାଜ୍ୟ ଗ୍ୟାଙ୍ଗ ସନ୍ଦେହ

ଭୁବନେଶ୍ବର: ରାଜଧାନୀରେ ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କୁ ଡକାଇ କୋଟିଏ ଟଙ୍କା ଲୁଟ୍ ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। କିନ୍ତୁ ପୂରା କାହାଣୀର ରହସ୍ୟ ଭେଦ କରିପାରି ନାହିଁ ପୁଲିସ। ଏହି ଗ୍ୟାଙ୍ଗ କେମିତି ତିଆରି ହେଲା, କେଉଁଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା, ମାଷ୍ଟରମାଇଣ୍ଡ କିଏ, ଫେରାର ଥିବା ଅପରାଧୀମାନେ ଏବେ କେଉଁଠି, କେତେଜଣଙ୍କର ସମ୍ପୃକ୍ତି ରହିଛି, ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ଅଞ୍ଚଳର ହୋଇଥିଲେ ମଧ୍ୟ କେମିତି ସେମାନେ ଏକାଠି ହେଲେ, ଏମିତି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି। ପୂରା ଘଟଣା ଉପରୁ ପୁଲିସ ପରଦା ଉଠାଇ ପାରି ନଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଅତିରିକ୍ତ ଡିସିପି(କ୍ରାଇମ) ରାଜକିଶୋର ପାଇକରାୟଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଗ୍ୟାଙ୍ଗରେ କିଛି ଅନ୍ତରାଜ୍ୟ ଅପରାଧୀ ରହିଥିବା ମଧ୍ୟ ସନ୍ଦେହ କରାଯାଉଛି। ଗଠନ ହୋଇଥିବା ଟିମ୍ ଅଧିକ ଖୋଳତାଡ଼ କରିବା ସହ ଫେରାର ଥିବା ଅପରାଧୀମାନଙ୍କୁ ଗିରଫ କରିବ ବୋଲି ଜଣାପଡ଼ିଛି। ଏହି ଟିମ୍ ରାଜ୍ୟ ବାହାରକୁ ମଧ୍ୟ ଯାଇ ଛାନଭିନ୍ କରିବ।

ଅନ୍ୟପକ୍ଷରେ ଅଭିଯୋଗକାରୀ ବ୍ୟବସାୟୀ କମଲ ଶାହା କୋଟିଏ ଟଙ୍କା କେଉଁଠୁ ଆଣିଲେ ତାହାର କୌଣସି କାଗଜପତ୍ର ଦେଖାଇ ପାରିନାହାନ୍ତି। ଏହା ବେଆଇନ ଅର୍ଥ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହି ଟଙ୍କାର ଖୋଳତାଡ଼ କରିବା ପାଇଁ କମିସନରେଟ ପୁଲିସ ଆୟକର ବିଭାଗକୁ ଚିଠି ଲେଖିଛି। ସେମାନେ ଖୁବଶୀଘ୍ର ଥାନାକୁ ଯାଇ ମାମଲା ସମ୍ପର୍କିତ ଫାଇଲ ଓ କାଗଜପତ୍ର ନେବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ପୁଲିସ କର୍ମଚାରୀ, ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ପ୍ରଶାନ୍ତ ପଣ୍ଡା ଓ ସହଯୋଗୀ ପ୍ରଶାନ୍ତ ପାଢ଼ୀକୁ ଏୟାରପୋର୍ଟ ଥାନା ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ବେଳେ ଖୁବଶୀଘ୍ର ରିମାଣ୍ଡ ଆବେଦନ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିମାଣ୍ଡରେ ଆସିବା ପରେ ପୂରା ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି। ଗିରଫ ହୋଇଥିବା ୩ ପୁଲିସ କର୍ମଚାରୀ ଦିଲ୍ଲୀପ ମଲ୍ଲିକ, ସନ୍ଦିପ୍ତ ପୃଷ୍ଟି ଓ ପ୍ରଫୁଲ ଭୂୟଁାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, ବ୍ୟବସାୟୀ କମଲ ଶାହାଙ୍କୁ ଗୋଟିଏ ଦିନରେ ଅଧିକ ରୋଜଗାର କରିବାର ଲୋଭ ଦେଖାଇ ତାଙ୍କର ଚିହ୍ନା ପରିଚିତ ମହେଶ୍ବର ସାହୁ ନାମକ ଅନ୍ୟ ଜଣେ ବ୍ୟବସାୟୀ ଭୁବନେଶ୍ବର ନେଇ ଆସିଥିଲେ। ପଳାସପଲ୍ଲୀରେ ଥିବା ବିଜୟ ପ୍ୟାଲେସ ହୋଟେଲକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଅନ୍ୟ ଅଭିଯୁକ୍ତମାନେ ଉପସ୍ଥିତ ଥିଲେ। ସେହି ସମୟରେ ଚାରି ପୁଲିସ କର୍ମଚାରୀ ଆଇପିଏଲ ବେଟିଂ ଚାଲୁଥିବା କହି ମିଛ ରେଡ୍ କରିଥିଲେ। ୨୨ ଲକ୍ଷ ୫୦ ହଜାର ନେଇ ଯାଇଥିଲେ। ବାକି ଟଙ୍କା ନେବାକୁ ମଧ୍ୟ ଯୋଜନା କରିଥିଲେ। କମଲ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରିବା ପରେ ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ କମଲଙ୍କୁ ଉଦ୍ଧାର କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ପରେ ଅନ୍ୟ ତିନି ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ମୋଟ ୯୯ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରିଥିଲା ପୁଲିସ।

ସ୍କାନରରେ ଏସ୍ଆଇ ବିଜୟ
ଭୁବନେଶ୍ବର: ବ୍ୟବସାୟୀଙ୍କୁ ଲୁଟିବା ପାଇଁ ଯାଇଥିବା ୪ ଜଣ ପୁଲିସ କର୍ମଚାରୀଙ୍କ ଭିତରୁ ତିନି ଜଣଙ୍କୁ ଗିରଫ କରାଯାଇଛି। କିନ୍ତୁ ଅନ୍ୟ ଜଣେ ସବଇନ୍ସେପକ୍ଟର ବିଜୟ ଦାସଙ୍କୁ କେବଳ ସ୍ପେଶାଲ ସ୍କ୍ବାଡରୁ ରିଜର୍ଭ ପୁଲିସକୁ ବଦଳି କରାଯାଇଛି। ବିଜୟଙ୍କୁ କେବଳ ବଦଳି କରି ବରିଷ୍ଠ ଅଧିକାରୀ ଘଟଣା ଉପରୁ ନଜର ହଟାଇବା ପାଇଁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ କମିସନରେଟ ପୁଲିସର ଭୂମିକା ମଧ୍ୟ ସନ୍ଦେହ ପରିସରକୁ ଟାଣି ହୋଇ ଆସିଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପୂରା ଘଟଣାର ତଦନ୍ତ ଜାରି ରହିଛି। ବିଜୟ ଏବେ ତଦନ୍ତକାରୀ ଟିମର ସ୍କାନରରେ ରହିଛନ୍ତି।

ବେଙ୍ଗାଲୁରୁରେ ବ୍ୟବସାୟ କରେ ପ୍ରଶାନ୍ତ, ଭୁବନେଶ୍ବରରେ ଥିଲା ଟିଭି ଦୋକାନ
ଭୁବନେଶ୍ବର: ବ୍ୟବସାୟୀଙ୍କୁ ଡକାଇ ଟଙ୍କା ଲୁଟ୍ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁରୀ ଗୋପ ଥାନା ନୟାହାଟ ଅଞ୍ଚଳର ପ୍ରଶାନ୍ତ ପଣ୍ଡାର ଗୁମର ଖୋଲିବାରେ ଲାଗିଛି। ପ୍ରଶାନ୍ତର ବେଙ୍ଗାଲୁରୁରେ ବ୍ୟବସାୟ ରହିଛି। ସୁନ୍ଦରପଦା ଅଞ୍ଚଳରେ ରହିବା ସହ ମଝିରେ ମଝିରେ ବେଙ୍ଗାଲୁରୁ ଯାଏ। ସେଠାରେ କିଛି ଅନୈତିକ କାମ କରୁଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଏକାମ୍ର କଲେଜ ନିକଟରେ ଏକ ଟିଭି ଦୋକାନ ମଧ୍ୟ ରହିଛି। ଶୋ ରୁମକୁ ଆସୁଥିବା ଟିଭିରେ ସାମାନ୍ୟ ସ୍କ୍ରାଚ୍ ବାହାରିଲେ ସେହି ଟିଭିକୁ ସେ ନେଇ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି। ସେହିପରି ପ୍ରଶାନ୍ତର ଜବତ ମୋବାଇଲ ଫୋନରୁ କିଛି ହ୍ବାଟସଆପ୍ ଚାଟିଂ ମଧ୍ୟ ମିଳିଛି। ସେ ପୂର୍ବରୁ କେତେକ ବ୍ୟବସାୟୀଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା ମଧ୍ୟ କରିଛି। କିନ୍ତୁ ସଫଳ ହୋଇପାରି ନାହିଁ। ରାଜ୍ୟ ବାହାରର କିଛି ଅପରାଧୀଙ୍କ ହାତ ରହିଥିବା ପୁଲିସ ଅନୁମାନ କରୁଛି। ଏ ନେଇ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର