ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାଏ ବର୍ଷିଲା, କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ

ଭୁବନେଶ୍ବର: ସକାଳୁ ସକାଳୁ ଖରାର ମାତ୍ରା ଅନ୍ୟ ଖରା ଦିନଗୁଡ଼ିକ ଭଳି ଥିଲା। କିନ୍ତୁ ହଠାତ୍‌ ସାଢ଼େ ୧୦ଟା ବେଳକୁ ଆକାଶ ମେଘରେ ଘୋଡ଼େଇ ହୋଇଯାଇଥିଲା। ମଧ୍ୟାହ୍ନ ୧୨ଟା ବେଳକୁ କଳାହାଣ୍ଡିଆ ମେଘରେ ଆଚ୍ଛାଦିତ ଆକାଶ ବିଜୁଳି, ଘଡ଼ଘଡ଼ିର ଗର୍ଜନରେ ଗର୍ଜି ଉଠିଥିଲା। ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୫୦ କିମି ରହିଥିଲା। ମଧ୍ୟ‌ାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧୁମ୍‌ ବର୍ଷିଥିଲା।

ଚଳିତବର୍ଷ ଏହା ଥିଲା ରାଜଧାନୀର ସବୁଠାରୁ ବଡ଼ ବର୍ଷା। ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଏଭଳି ଥିଲା ଯେ ଅନେକ ଗଛ, କଚ୍ଚା ଘର ଭାଙ୍ଗି ଯାଇଥିଲା। ରାସ୍ତାରେ ଯାଉଥିବା ଦୁଇଚକିଆ ଯାତ୍ରୀ ଆଉ ପବନର ବେଗ ଆଗରେ ଆଗକୁ ବଢ଼ିପାରିନଥିଲେ। କିଛି ସମୟ ଅଟକି ଯିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପଟେ ରାଜଧାନୀ‌ର ଏହି ଅସରାଏ ବର୍ଷା ରାଜଧାନୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଥିଲା। ଘଣ୍ଟାଏ କାଳ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିଲା। ଅପରପକ୍ଷରେ ଏତେ ଦିନ ପରେ ରାଜଧାନୀରେ ଏଭଳି ବର୍ଷା ରାଜଧାନୀବାସୀଙ୍କ ଆଶ୍ବସ୍ତ କରିଛି। ଏହି ବର୍ଷା ଯୋଗୁଁ ରାଜଧାନୀରେ ଆଜି ଥଣ୍ଡା ଅନୁଭୂତ ହୋଇଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୧୯.୯ ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର